ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୃଥୁଳତା ଅର୍ଥନୀତି ପାଇଁ ସତର୍କ ଘଣ୍ଟି, ୨୦୬୦ ସୁଦ୍ଧା ଦେଶକୁ ୭୩ ଲକ୍ଷ କୋଟିର ବୋଝ ପଡିପାରେ: ରିପୋର୍ଟ

Published By : Prameya | February 27, 2025 11:00 AM

ନୂଆଦିଲ୍ଲୀ,୨୭/୦୨: ମୋଟାପଣ ବା  ପୃଥୁଳତା କେବଳ ଏକ ବ୍ୟକ୍ତିଗତ ସମସ୍ୟା  ନୁହେଁ । ଏହା ଅର୍ଥନୀତି ପାଇଁ ଏକ ବଡ଼  ସତର୍କଘଣ୍ଟି । ଏହି ମୋଟାପଣ ଯୋଗୁ ୨୦୬୦  ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାକୁ ୭୩ ଲକ୍ଷ କୋଟି  ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ । ଗ୍ଲୋବାଲ ଓବେସିଟି ଅବ୍‌ଜର୍‌ଭେଟୋରୀ ପକ୍ଷରୁ ପ୍ରସ୍ତୁତ ଏକ  ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ କରାଯାଇଛି । 

ନିକଟରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ  ପୃଥୁଳତା ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି ଖୋଦ୍‌  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟାପଣ କେବଳ  ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଅର୍ଥବ୍ୟବସ୍ଥା ପାଇଁ  ବିପଜ୍ଜନକ ବୋଲି ସେ କହିଥିଲେ । 

ଗ୍ଲୋବାଲ ଓବେସିଟି ଅବ୍‌ଜର୍‌ଭେଟୋରୀ  ଅନୁସାରେ, ୨୦୧୯ରେ ଭାରତରେ ମୋଟାପଣର  ଆର୍ଥିକ ବୋଝ ପାଖାପାଖି ୨୮୯୫ କୋଟି ଡଲାର  ଥିଲା, ଯାହା ଦେଶର ମୋଟ ଘରୋଇ ଉତ୍ପାଦର  ୧% । ଯଦି ସ୍ଥିତି ଏଭଳି ରୁହେ ତେବେ ଏ ବର୍ଷ  ଏହା ୮୧୫୩ କୋଟି ଡଲାର ହେବାର ଆଶଙ୍କା  ରହିଛି, ଯାହାକି ଜିଡିପିର ୧.୫୭% ହେବ । ଆଶଙ୍କା  କରାଯାଉଛି ଯେ, ବର୍ଷ ୨୦୬୦ ସୁଦ୍ଧା ମୋଟାପଣ ଦ୍ୱାରା  ଭାରତୀୟ ଅର୍ଥନୀତିକୁ ୮୩୮୬୦ କୋଟି ଡଲାର ବା  ୭୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ ।  ଏହା ଦେଶର ଜିଡିପିର ୨.୫% । 

ଗତ ବର୍ଷ ଜୁଲାଇରେ ଜାରି ହୋଇଥିବା  ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ରେ ଚେତାବନୀ  ଦିଆଯାଇଥିଲା ଯେ, ଯଦି ଭାରତୀୟମାନେ ଫିଟ୍‌  ରହିବେ ନାହିଁ ତେବେ ଦେଶର ଡେମୋଗ୍ରାଫିକ୍‌  ଡିଭିଡେଣ୍ଟ ଅର୍ଥାତ୍‌ ଯୁବପିଢ଼ିଙ୍କ ସମ୍ପୂର୍ଣ୍ଣ ଫାଇଦା  ଅର୍ଥନୀତିକୁ ମିଳିବ ନାହିଁ । ଅର୍ଥାତ୍‌ ଆମ  ନାଗରିକମାନେ ସୁସ୍ଥ ନ ରହିଲେ ଏହାର  ପ୍ରଭାବ ଦେଶର ବିକାଶ ଉପରେ ପଡ଼ିବ । 

ସର୍ଭେ  ଅନୁସାରେ, ଯଦି ଭାରତକୁ ନିଜର ଡେମୋଗ୍ରାଫିକ୍‌  ଡିଭିଡେଣ୍ଟ୍‌ ବା ଯୁବପିଢ଼ିଙ୍କ ଫାଇଦା ଉଠାଇବାର  ଅଛି ତେବେ ଏଥିପାଇଁ ଏହା ଜରୁରୀ ଯେ, ଲୋକଙ୍କ  ସ୍ୱାସ୍ଥ୍ୟ ମାନକଗୁଡ଼ିକ ସନ୍ତୁଳିତ ଏବଂ ବିବିଧ ଆହାର  ଆଡ଼କୁ ସ୍ଥାନାନ୍ତର ହେଉ । ସର୍ଭେରେ ମୋଟାପଣକୁ  ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦର୍ଶାଯାଇଥିଲା ।  ସର୍ଭେ ଅନୁସାରେ, ଭାରତର ବୟସ୍କ  ଲୋକମାନଙ୍କ ମଧ୍ୟରେ ମୋଟାପଣ ଏକ ଗମ୍ଭୀର ସମସ୍ୟା ପାଲଟିଛି । 

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ  ସର୍ବେକ୍ଷଣ-୫ ଅନୁସାରେ, ୧୮ରୁ ୬୯ ବୟସ  ବର୍ଗର ପୁରୁଷଙ୍କ ମଧ୍ୟରେ ମେଦବହୁଳତା ହାର  ୨୨.୯% ହୋଇଯାଇଛି, ଯାହା ପୂର୍ବ ସର୍ଭେରେ ୧୮.୯% ଥିଲା । ମହିଳାଙ୍କ  ମଧ୍ୟରେ ଏହା ୨୦.୬%ରୁ ବଢ଼ି ୨୪.୦% ହୋଇଛି । କମ୍‌ ଶାରୀରିକ କସରତ ଏହାର  ଏକ ବଡ଼ କାରଣ । ଏହାସହିତ ଲୋକଙ୍କ  ଖାଦ୍ୟପେୟ ଅଭ୍ୟାସରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ୟାକେଟ୍‌ ବନ୍ଦ ଏବଂ ପ୍ରୋସେସ୍‌ଡ  ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ ।  

ଆର୍ଥିକ ସର୍ବେକ୍ଷଣ ୨୦୨୪-୨୫ରେ ଅଲ୍‌ଟ୍ରା-ପ୍ରୋସେସ୍‌ଡ ଖାଦ୍ୟକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି ।  ଏଥିରେ ଚିନି, ଲୁଣ ଏବଂ ଅସୁସ୍ଥକର ଫ୍ୟାଟ୍‌ ଉପରେ  କଡ଼ା ନିୟମ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ।  ଖାଦ୍ୟ ପ୍ୟାକେଟ୍‌ରେ ଚେତାବନୀ ଲେବଲ୍‌ ଲଗାଇବା  ଏବଂ ବିଶେଷକରି ପିଲାମାନଙ୍କ ପାଇଁ ଜଙ୍କ୍‌ ଫୁଡ୍‌  ବିଜ୍ଞାପନ ଉପରେ ରୋକ୍‌ ଲଗାଇବାକୁ କୁହାଯାଇଛି ।  ସ୍କୁଲ୍‌, ହସ୍ପିଟାଲ ଏବଂ ସର୍ବସାଧାରଣ ସ୍ଥାନରେ ଏଭଳି  ଖାଦ୍ୟକୁ ହଟାଇ ମିଲେଟ୍‌, ଫଳ ଏବଂ ପରିପରିବା  ଭଳି ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟକୁ ଶସ୍ତାରେ ଉପଲବ୍ଧ  କରାଇବା ପାଇଁ ପରାମର୍ଶ ଦିଆଯାଇଛି ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)  ଏବଂ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଅନ୍‌  ଇଣ୍ଟର୍‌ନ୍ୟାସ୍‌ନାଲ ଇକୋନୋମିକ୍‌ ରିଲେସନ୍ସ (ଆଇସିଆର୍‌ଆଇଆର୍‌)ର ଏକ ରିପୋର୍ଟ  ଅନୁସାରେ, ଭାରତରେ ଅଲ୍‌ଟ୍ରା-ପ୍ରୋସେସ୍‌ଡ ଖାଦ୍ୟ କ୍ଷେତ୍ରର ୨୦୧୧ରୁ ୨୦୨୧ ପର୍ଯ୍ୟନ୍ତ ଖୁଚୁରା  ବିକ୍ରି ମୂଲ୍ୟରେ ବାର୍ଷିକ ୧୩.୩୭% ବୃଦ୍ଧି ଘଟିଛି ।  ପାରିବାରିକ ଉପଯୋଗ ବ୍ୟୟ ସର୍ବେକ୍ଷଣ ୨୦୨୨- ୨୩ର ତଥ୍ୟରୁଜଣାପଡ଼ିଛି ଯେ, ଗ୍ରାମୀଣ ପରିବାର  ନିଜ ଖାଦ୍ୟ ବଜେଟ୍‌ର ପାଖାପାଖି ୯.୬% ପ୍ରୋସେସ୍‌ଡ  ଖାଦ୍ୟ ପଦାର୍ଥରେ ଖର୍ଚ୍ଚ କରନ୍ତି ଏବଂ ସହରୀ ପରିବାର ଏଥିରେ ପ୍ରାୟ ୧୦.୬୪% ଖର୍ଚ୍ଚ କରନ୍ତି ।  

ଏସବୁ ଚେତାବନୀ ସତ୍ତେ୍ୱ ଭାରତରେ  ମୋଟାପଣରୁ ବର୍ତ୍ତିବା ପାଇଁ କୌଣସି ଠୋସ୍‌ ରାଷ୍ଟ୍ରୀୟ  ରଣନୀତି ନାହିଁ । ତେବେ ପିଲାମାନେ ଏବଂ ଦୁର୍ବଳ  ବର୍ଗଙ୍କ ପୋଷଣ ପାଇଁ ନୀତି ରହିଛି କିନ୍ତୁ ସମସ୍ତ ବୟସ  ବର୍ଗର ଲୋକମାନଙ୍କ ମଧ୍ୟରେ ମୋଟାପଣରୁ ବର୍ତ୍ତିବା  ପାଇଁ କୌଣସି ବ୍ୟାପକ ଯୋଜନା ନାହିଁ । ବିଶେଷଜ୍ଞଙ୍କ  କହିବାନୁସାରେ, ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ  ଯାଏ ତେବେ ଆର୍ଥିକ ବୋଝ ଆହୁରି ବଢ଼ିପାରେ ।  

ରାଷ୍ଟ୍ରୀୟ ପୋଷଣ ସଂସ୍ଥାନରେ କାର୍ଯ୍ୟ କରିଥିବା  ବୈଜ୍ଞାନିକ ଏ.ଲକ୍ଷ୍ମୈୟା କୁହନ୍ତି, ମୋଟାପଣର ଆର୍ଥିକ  ପ୍ରଭାବ କେବଳ ଚିକିତ୍ସା ବାବଦ ଖର୍ଚ୍ଚ ମଧ୍ୟରେ ସୀମିତ  ନୁହେଁ । ସେ କହିଲେ ଯେ, ନିଯୁକ୍ତି ଓ ସୁଯୋଗ ହ୍ରାସ  ଏବଂ ସାମାଜିକ ସହାୟତା ବି କମିବା କାରଣରୁ ସୃଷ୍ଟ  ଚିନ୍ତା ବି ଏହି ଆର୍ଥିକ ବୋଝକୁ ବଢ଼ାଇଥାଏ । 

ମୋଟାପଣ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା  ନୁହେଁ ଏହା ରାଷ୍ଟ୍ରୀୟ ସମୃଦ୍ଧିକୁ ବି ପ୍ରଭାବିତ କରିଥାଏ । ଯଦି ଭାରତ ଏହାର ଡେମୋଗ୍ରାଫିକ୍‌ ଡିଭିଡେଣ୍ଟଙ୍କ  ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ଚାହେଁ ତେବେ ଏହା  ପାଖରେ ଏକ ସୁସ୍ଥ ଏବଂ ଉତ୍ପାଦକ କାର୍ଯ୍ୟବଳ ରହିବା ଜରୁରୀ । 

ଆର୍ଥିକ ସର୍ବେକ୍ଷଣ ସ୍ପଷ୍ଟ କହୁଛି ଯେ, ଯଦି  ଆମେ ଏବେ ମୋଟାପଣ ଉପରେ ନିୟନ୍ତ୍ରଣ ଆଣିବା  ନାହିଁ ତେବେ ନିଜ ଆର୍ଥିକ କ୍ଷମତାର ସମ୍ପୂର୍ଣ୍ଣ ଲାଭ  ଉଠାଇପାରିବା ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ,  ଆଗକୁ ଚିପ୍ସ କିଣୁଥିଲେ କିମ୍ବା ବ୍ୟାୟାମ ବନ୍ଦ  କରୁଥିଲେ ମନେ ରଖିବାକୁ ପଡ଼ିବ ଯେ, ମୋଟାପଣ  କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ ବରଂ ସମ୍ପୂର୍ଣ୍ଣ  ଅର୍ଥନୀତି ପାଇଁ ବଡ଼ ସମସ୍ୟା ପାଲଟିପାରେ ।

ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆଣିବ କେନ୍ଦ୍ର: ସାମିଲ ହେବେ ଅଣସଂଗଠିତ କ୍ଷେତ୍ର କର୍ମଚାରୀ, ୨୦୨୫ ଏପ୍ରିଲରୁ ଲାଗୁ ହେବ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.