ନୂଆଦିଲ୍ଲୀ ୧୮/୧୦: ଯକ୍ଷ୍ମା ରୋଗର ଯାଞ୍ଚ୍‌ ଲାଗି ଭାରତ ପ୍ରସ୍ତୁତ କରିଛି ହାତରେ ଧରାଯାଉଥିବା ଏକ ଏକ୍ସ-ରେ ଉପକରଣ । ଆଇସିଏମ୍‌ଆର୍‌ (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ)ର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ ଜନସ୍ୱାସ୍ଥ୍ୟ ପାଇଁ ଅନେକ ନୂଆ ପ୍ରୋଜେକ୍ଟ ଓ ଉପଲବ୍ଧି ବିଷୟରେ କହିବା ସମୟରେ ଯକ୍ଷ୍ମା ରୋଗ ଚିହ୍ନଟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଉପରେ ଆଲୋକପାତ କରିଛନ୍ତି । ଏହି ଉପକରଣ ପ୍ରାରମ୍ଭିକ ସ୍ତରରେ ରୋଗ ଚିହ୍ନଟ ଏବଂ ଚିକିତ୍ସା ପ୍ରୟାସକୁ ବୃଦ୍ଧି କରିବା ସହିତ ଜନସ୍ୱାସ୍ଥ୍ୟ ଫଳାଫଳରେ ସୁଧାର ଆଣିବ । 

ଗତ ବୁଧବାର ଇଣ୍ଟରନ୍ୟାସନାଲ୍‌ କନ୍‌ଫରେନ୍ସ ଅଫ୍‌ ଡ୍ରଗ୍‌ ରେଗୁଲେଟୋରୀ ଅଥରିଟିଜ୍‌ (ଆଇସିଡିଆର୍‌ଏ) ଇଣ୍ଡିଆ୨୦୨୪ରେ ଡା. ବହଲ୍‌ କହିଥିଲେ, ହାତରେ ଧରାଯାଉଥିବା ଏକ୍ସରେ ଡିଭାଇସ୍‌ର ମୂଲ୍ୟ ଅତ୍ୟନ୍ତ ମହଙ୍ଗା । ବର୍ତ୍ତମାନ ଆଇସିଏମ୍‌ଆର୍‌ର ସହଭାଗିତାରେ ଆଇଆଇଟି କାନପୁର ହାତରେ ଧରାଯାଉଥିବା ଏହି ସ୍ୱଦେଶୀ ଏକ୍ସ-ରେ ଡିଭାଇସ୍‌ ପ୍ରସ୍ତୁତ କରିଛି । ବାହାରୁ ଆସୁଥିବା ଏକ୍ସ-ରେ ଉପକରଣ ମୂଲ୍ୟର ଅଧାଠୁ ମଧ୍ୟ କମ୍‌ ମୂଲ୍ୟରେ ଏହା ଉପଲବ୍ଧ ହେବ । ଏହା ଜରିଆରେ ଘରୁ ରୋଗୀଙ୍କ ଯକ୍ଷ୍ମା ଯାଞ୍ଚ୍‌ କରାଯାଇ ପାରିବ । ଗରିବ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ।

ଡା. ବହଲ୍‌ ଆହୁରି କହିଥିଲେ, ଭାରତ ଏମ୍‌ପକ୍ସ ପାଇଁ ମଧ୍ୟ ୩ଟି ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରିଛି । ୩ କମ୍ପାନି ଏହି କିଟ୍‌ ନିର୍ମାଣ କରୁଛନ୍ତି । ସେତିକି ନୁହେଁ, ସିକଲ୍‌ ସେଲ୍‌ ରକ୍ତହୀନତା ଚିହ୍ନଟ ଲାଗି ଭାରତ ୧୮ଟି ଶସ୍ତା ପରୀକ୍ଷା ପଦ୍ଧତି ବିକଶିତ କରିଛି, ଯାହା ଏକ ବଡ଼ ଉପଲବ୍ଧି । ପ୍ରତ୍ୟେକ ପରୀକ୍ଷାର ମୂଲ୍ୟ ୩୦ ଟଙ୍କା ହେବ, ଯାହା ପୂର୍ବରୁ ପ୍ରତି ପରୀକ୍ଷା ପିଛା ୪୦୦ ଟଙ୍କା ଥିଲା । ଡେଙ୍ଗୁ ଯୋଗୁ ଭାରତରେ ଅନେକ ଜୀବନ ଯାଉଛି । ଯଦି ତଥ୍ୟ ସଠିକ୍‌ ଓ ନିରାପତ୍ତା ପରୀକ୍ଷାରେ ପାସ୍‌ କରେ, ତେବେ ଖୁବ୍‌ଶୀଘ୍ର ଡେଙ୍ଗୁ ଟିକା ଲଞ୍ଚ୍‌ ହେବ ବୋଲି ବହଲ୍‌ କହିଥିଲେ । ଏବେ ଡେଙ୍ଗୁ ଟିକାର ୩ୟ ପର୍ଯ୍ୟାୟର ଚିକିତ୍ସକୀୟ ପରୀକ୍ଷଣ ଚାଲିଛି । ବର୍ଷକ ମଧ୍ୟରେ ଫଳ ଆସିବ ବୋଲି ସେ ଆଶା କରିଛନ୍ତି ।