ନୂଆଦିଲ୍ଲୀ,୨୨/୦୮: ଦେଶରେ ହ୍ରାସ ପାଇଛି ଅଭିବୃଦ୍ଧି ହାର । ଅଭିବୃଦ୍ଧି ସହିତ ତାଳ ଦେଇ ସୃଷ୍ଟି ହେଉନି ରୋଜଗାର । ଉତ୍କଟ ହେଉଛି ବେକାରୀ ସମସ୍ୟା । ଗାଁ ଅପେକ୍ଷା ସହରରେ ସ୍ଥିତି ଭୟଙ୍କର । ୨୦୨୫ ଜୁଲାଇରେ ଭାରତର ବେରୋଜଗାର ହାର ୫.୨%କୁ ଖସିଆଛି । ଯାହା ଗତ ୩ ମାସରେ ଏହା ସର୍ବନିମ୍ନ ସ୍ତର । ଜୁନରେ ବେରୋଜଗାରୀ ହାର ୫.୬% ଥିବା ନେଇ ପରିସଂଖ୍ୟାନ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ମନ୍ତ୍ରଣାଳୟ ରିପୋର୍ଟ ଜାରି କରିଥିଲା ।
ସହରାଞ୍ଚଳରେ ଚାକିରି ସଂଖ୍ୟା ବୃଦ୍ଧି ପାଇଛି । ଆଇଟି, ଟେଲିକମ୍, ଉତ୍ପାଦନ ଏବଂ ରିଟେଲ ସେକ୍ଟର ଭଳି ଶିଳ୍ପ ପାଇଁ ନିଯୁକ୍ତି ଗ୍ରାଫ ବୃଦ୍ଧି ପାଇଛି । ହେଲେ ଗାଁ ତୁଳନାରେ ସହରରେ ବେକାରୀ ହାର ଅଧିକ । କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଯୋଗୁଁ ନିଯୁକ୍ତି ବଢିଛି । ତେଣୁ ଫଳରେ ଗାଁରେ ନିଯୁକ୍ତି ସ୍ତର ଉନ୍ନତ ରହିଛି । ସେହିପରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ବେରୋଜଗାରୀ ହାର ଅଧିକା । ଗ୍ରାମାଞ୍ଚଳରେ ବେକାରୀ ହାର ୪.୪% ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହା ୭.୨% ରହିଛି । ମହିଳାମାନଙ୍କ ମଧ୍ୟରେ ବେକାରୀ ହାର ୮.୭% ରହିଥିବା ବେଳେ ପୁରୁଷମାନଙ୍କ ମଧ୍ୟରେ ବେକାରୀ ହାର ୪.୬% ରହିଛି । ବିଶେଷ କରି ସହରାଞ୍ଚଳରେ ମହିଳାଙ୍କ ବେରୋଜଗାରୀ ହାର ଅଧିକ। ତଥ୍ୟ କହୁଛି, ସହରାଞ୍ଚଳରେ ମହିଳାମାନେ ରୋଜଗାର ଖୋଜିବାରେ ପୁରୁଷମାନଙ୍କ ତୁଳନାରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଜୁଲାଇ ୨୦୨୫ରେ ଡବ୍ଲୁପିଆର୍ ବା ଶ୍ରମିକ ଜନସଂଖ୍ୟା ଅନୁପାତ ୫୨.୦% ରହିଛି । ଦେଶରେ ମୋଟ୍ ଜନସଂଖ୍ୟାର କେତେ ଲୋକ ରୋଜଗାରିଆ ଅଛନ୍ତି ଡବ୍ଲୁପିଆର୍ ଡାଟା ଦର୍ଶାଇଥାଏ । ଜୁଲାଇରେ ଏହି ଗ୍ରାଫ୍ ଡାଟା ତଳକୁ ଖସିଛି । ଗ୍ରାମାଞ୍ଚଳରେ ଡବ୍ଲୁପିଆର ୫୪.୪% ଥିବା ବେଳେ ସହରାଞ୍ଚଳରେ ୪୭.୦% ରହିଛି। ସେହିପରି ମହିଳା ଓ ପୁରୁଷଙ୍କ ଅନୁପାତ ଦେଖିଲେ ଗ୍ରାମାଞ୍ଚଳରେ ମହିଳା ଡବ୍ଲୁପିଆର୍ ୩୫.୫% । ସେହିପରି ସହରାଞ୍ଚଳରେ ଏହା ୨୩.୫% ରହିଛି । ଅନ୍ୟପଟେ ଜୁଲାଇ ୨୦୨୫ରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ବୃଦ୍ଧି ପାଇଛି । ୧୫ ବର୍ଷ ଏବଂ ତାଠୁ ଅଧିକ ବୟସର ଲୋକଙ୍କ ପାଇଁ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ୫୪.୯% ରହିଛି। LFPR ଅର୍ଥ କାମ କିମ୍ବା କାମ କରିବା ପାଇଁ ଉପଲବ୍ଧ ମୋଟ ଲୋକଙ୍କ ସଂଖ୍ୟା। ଗ୍ରାମାଞ୍ଚଳରେ LFPR ସହରାଞ୍ଚଳ ତୁଳନାରେ ଅଧିକ ଥିଲା। ଗ୍ରାମାଞ୍ଚଳରେ ଏହା ୫୬.୯% ଥିବା ବେଳେ ସହରାଞ୍ଚଳରେ ଏହା ୫୦.୭% ରହିଥିଲା। ତେବେ ଏହି ତଥ୍ୟ ଦର୍ଶାଉଛି ଯେ ଗ୍ରାମାଞ୍ଚଳରେ କାମ କରିବାକୁ ଇଚ୍ଛୁକ ଲୋକଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ଅଧିକ ରହିଛି।