ନୂଆଦିଲ୍ଲୀ,୧୧।୧୦: ଭାରତ ଓ ଚୀନ୍ ଭିତରେ ସିଧାସଳଖ ବିମାନ ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀ ଓ ଚୀନ୍‌ର ଗ୍ବାଙ୍ଗଝୋଉ ଭିତରେ ୧୦ ନଭେମ୍ବରରୁ ପ୍ରତିଦିନ ସିଧା ଉଡାଣ ଆରମ୍ଭ ହେବାର ଘୋଷଣା କରାଯାଇଛି। ଇଣ୍ଡିଗୋ ଏୟାରବସ୍‌ ଏ୩୨୦ ବିମାନରୁ ଏହି ଯାତ୍ରା ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଓ ଚୀନ୍ ଭିତରେ ସିଧାସଳଖ ବିମାନ ଉଡାଣ ପୁଣିଥରେ ଆରମ୍ଭ ହେବାର ଏହି ଘୋଷଣା କରାଯାଇଛି। କରୋନା ମହାମାରୀ ଓ ଡୋକଲାମ୍ ବିବାଦ କାରଣରୁ ସିଧା ବିମାନ ସେବାକୁ ରୋକି ଦିଆଯାଇଥିଲା। ଚୀନ୍ ଦୂତାବାସର ମୁଖପାତ୍ର ମଧ୍ୟ ଦୁଇ ଦେଶ ଭିତରେ ଉଡାଣକୁ ପୁଣିଥରେ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।

ଇଣ୍ଡିଗୋ କହିଛି, ଏହା କୋଭିଡ୍-୧୯ ମହାମାରୀ ପରେ ଭାରତ ଓ ଚୀନ୍ ଭିତରେ ଉଡାଣ ଆରମ୍ଭ କରୁଥିବା ପ୍ରଥମ ଏୟାରଲାଇନ୍ସ ଭିତରୁ ଅନ୍ୟତମ। ଏହା ପୂର୍ବରୁ ଇଣ୍ଡିଗୋ ୨୬ ଅକ୍ଟୋବରୁ କୋଲକାତା ଓ ଗ୍ବାଙ୍ଗଝୋଉ ଭିତରେ ବିମାନର ଘୋଷଣା କରିଥିଲା। ଇଣ୍ଡିଗୋର ଗ୍ଲୋବାଲ ସେଲସ୍ ହେଡ୍‌ ବିନୟ ମାଲହୋତ୍ରା କହିଛନ୍ତି, ଆମକୁ କୋଲକାତାରୁ ନିକଟରେ ହୋଇଥିବା ମାର୍ଗ ବ୍ୟତୀତ ଦିଲ୍ଲୀ ଓ ଗ୍ବାଙ୍ଗଝୋଉ ଭିତରେ ପ୍ରତିଦିନ ସିଧା ଉଡାଣ ସହ ଚୀନ୍ ପାଇଁ କନେକ୍ଟିଭିଟି ବଢାଇବାର ଖୁସି ରହିଛି। ଦୁନିଆର ୨ଟି ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ଭିତରେ ଏହା ସାଂସ୍କୃତିକ ଭାବ ଆଦାନ-ପ୍ରଦାନ ଓ ଆର୍ଥକ ସହଯୋଗ ପାଇଁ ଅପାର ସମ୍ଭାବନା ଆଣିବ।’

ଏହାର ଲାଇନ୍ସ ଅନୁସାରେ, ଦିଲ୍ଲୀରୁ ଉଡାଣ ରାତି ୯ଟା ୪୫ ମିନିଟ୍‌ରୁ ଆରମ୍ଭ ହେବ ଓ ଭୋର ୪ଟା ୪୦ ମିନିଟ୍‌ରେ ଗ୍ବାଙ୍ଗଝୋଉରେ ପହଁଞ୍ଚିବ।  ସେଠାରୁ ବିମାନ ସକାଳ ୫.୫୦ ମିନିଟ୍‌ରେ ଭାରତ ଅଭିମୁଖେ ବାହାରି ସକାଳ ୧୦ଟା ୧୦ ମିନିଟ୍‌ରେ ଦିଲ୍ଲୀରେ ପହଁଞ୍ଚିବ। ଏହି ରୁଟ୍ ପାଇଁ ଟିକେଟ୍ ଏବେ ଇଣ୍ଡିଗୋର ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ। ଏହାଛଡା ଇଣ୍ଡିଗୋ ୨୦ ଡିସେମ୍ବରରୁ ଦିଲ୍ଲୀ ଓ ହନୋଇ ଭିତରେ ପ୍ରତିଦିନ ସିଧା ଉଡାଣ ଆରମ୍ଭ ନେଇ ଘୋଷଣା କରିଛି।