ନୂଆଦିଲ୍ଲୀ,୦୯/୦୮:ବିମାନରେ କାର୍ଗିଲ ହିରୋଙ୍କୁ ସମ୍ମାନ ।୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଲାନ୍ସନାଏକ ଦୀପଚନ୍ଦଙ୍କୁ ନିକଟରେ ନିଆରା ଭାବେ ସମ୍ମାନିତ କରାଯାଇଛି । ହରିୟାଣା ହିସାର ଜିଲ୍ଲାର ବାସିନ୍ଦା ଦୀପଚନ୍ଦ ବିମାନରେ କାନପୁରରୁ ମୁମ୍ବାଇ ଯାଉଥିବାବେଳେ ମଝି ଆକାଶରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଦୀପଚନ୍ଦ କାର୍ଗିଲ ଯୁଦ୍ଧରେ ସାହସର ସହ ଲଢ଼ିଥିଲେ ।ହେଲେ ଦୁର୍ଭାଗ୍ୟକୁ ଏକ ବିସ୍ଫୋରଣରେ ସେ ନିଜର ଦୁଇ ଗୋଡ଼ ହରାଇଥିଲେ । ତେବେ ଗତ ଜୁଲାଇ ୨୨ ତାରିଖ ଦିନ ବିମାନଟି ୩୫ ହଜାର ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ଏକ ଘୋଷଣା ହୋଇଥିଲା । ପାଇଲଟ୍ କହିଥିଲେ, ଆମମାନଙ୍କ ଗହଣରେ ଜଣେ ସ୍ୱତନ୍ତ୍ର ଅତିଥି ଉପସ୍ଥିତ ଅଛନ୍ତି । ସିଟ୍ ନମ୍ବର ୧ରେ କାର୍ଗିଲ୍ ଯୁଦ୍ଧର ହିରୋ ଲାନ୍ସନାଏକ ଦୀପଚନ୍ଦ ବସିଛନ୍ତି । ‘ଅପରେସନ୍ ବିଜୟ’ ସମୟରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଥିଲେ ସେ । ତାଙ୍କୁ ସମସ୍ତଙ୍କ ସହ ପରିଚିତ କରି ମୁଁ ଗର୍ବ ଅନୁଭବ କରୁଛି । ଏହାପରେ ସବୁ ଯାତ୍ରୀ ତାଳି ମାରି ତାଙ୍କୁ ସ୍ୱାଗତ କରିଥିଲେ ।
ଏହି ଅପ୍ରତ୍ୟାଶିତ ସମ୍ମାନ ଲାଗି ଦୀପଚନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଯୁଦ୍ଧଭୂମିର ଶୌର୍ଯ୍ୟଗାଥା ଶୁଣାଇ ସେ କହିଥିଲେ, ତାଙ୍କ ବାଟାଲିଅନ୍କୁ ଯୁଦ୍ଧରେ ଭାଗ ନେବାକୁ ଆଦେଶ ମିଳିବା ପରେ ସେମାନେ ଖୁସି ହୋଇଯାଇଥିଲେ । କାର୍ଗିଲ ଯୁଦ୍ଧରେ ସବୁଠୁ କଷ୍ଟକର କାମ ଥିଲା ତୋଲୋଲିଙ୍ଗ ପୋଷ୍ଟ କବ୍ଜା କରିବା । ତାଙ୍କ ବନ୍ଧୁକ ‘ଚାର୍ଲି-୨’ରୁ ବାହାରିଥିବା ପ୍ରଥମ ରାଉଣ୍ଡ ଗୋଳା ତୋଲୋଲିଙ୍ଗ ପୋଷ୍ଟରେ ସିଧାସଳଖ ବାଜିଥିଲା । ଏହାପରେ ତାଙ୍କର ଟିମ୍ କାନ୍ଧରେ ରଖି ୮ଥର ବନ୍ଧୁକର ସ୍ଥାନ ବଦଳାଇଥିଲେ । ତାଙ୍କ ବାଟାଲିଅନ୍ ୧୦ ହଜାର ରାଉଣ୍ଡ ଗୁଳିମାଡ଼ କରିଥିଲା । ଯୁଦ୍ଧରେ ଅସାଧାରଣ ପରାକ୍ରମ ଲାଗି ତାଙ୍କ ବାଟାଲିଅନ୍କୁ ୧୨ଟି ସାହସିକତା ପଦକ ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟକୁ ‘ଅପରେସନ୍ ବିଜୟ’ ପରେ ହୋଇଥିବା ଏକ ବିସ୍ଫୋରଣରେ ଦୀପଚନ୍ଦଙ୍କର ଦୁଇ ଗୋଡ଼ ଓ ଡାହାଣ ହାତ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା । ଜୀବନ ରକ୍ଷା ଲାଗି ଡାକ୍ତରଙ୍କୁ ତାଙ୍କର ସେହି ଅଙ୍ଗକୁ କାଟିବାକୁ ପଡି଼ଥିଲା । ଏହି ସମୟରେ ତାଙ୍କୁ ୧୭ ଲିଟର ରକ୍ତ ଦିଆଯାଇଥିଲା । ଯଦିଓ ଦୀପଚନ୍ଦ ଏବେ ପ୍ରୋସ୍ଥେଟିକ୍ ଗୋଡ଼ ସାହାଯ୍ୟରେ ଜୀବନଧାରଣ କରୁଛନ୍ତି, ତାଙ୍କ ମଧ୍ୟରେ ଜଣେ ସୈନିକର ଜୋଶ୍ ଆଜି ମଧ୍ୟ ବଳବତ୍ତର ରହିଛି ।