ନୂଆଦିଲ୍ଲୀ, ୧୭/୯ :  ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତି ମନ୍ଧାନା ନିଜର ଓ୍ବାନଡେ କ୍ୟାରିୟରର ୧୨ତମ ଶତକ ଯୋଡ଼ିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଓ୍ବାନଡେ ମ୍ୟାଚରେ ସେ ୧୧୭ରନର ଦମଦାର୍ ପାରି ଖେଳିଛନ୍ତି।  ମହିଳା ଓ୍ବାନଡେ କ୍ରିକେଟ ଇତିହାସରେ ମନ୍ଧାନା ସବୁଠାରୁ ଅଧିକ ଶତକ ଲଗାଇବା ମାମଲାରେ ତୃତୀୟ ସ୍ଥାନରେ ଆସିଯାଇଛନ୍ତି ।

ମୁଲ୍ଲାପୁରରେ ଖେଳାଯାଇଥିବା ଏହି ଦ୍ବିତୀୟ ଓ୍ବାନଡେ ମ୍ୟାଚରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ବ୍ୟାଟର ପ୍ରତିକା ରାଓ୍ବଲ କେବଳ ୨୫ରନ୍ ହିଁ କରିପାରିଥିଲେ । କିନ୍ତୁ ସ୍ମୃତି ମନ୍ଧାନା ଗୋଟିଏ ପଟ ସମ୍ଭାଳିଥିଲେ । ସ୍ମୃତି ୯୧ବଲରେ ୧୧୭ରନ କରିଛନ୍ତି । ଏହି ଧୂଆଁଧାର ପାଳିରେ ସେ ୧୪ଚୌକା ଏବଂ ୪ଛକ୍କା ଲଗାଇଥିଲେ । ସେ ୮୦ରନ୍ କେବଳ ବାଉଣ୍ଡରୀ ଲଗାଇ କରିଥିଲେ ।

ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଓ୍ବାନେଡ ମ୍ୟାଚରେ ବି ୫୮ରନର ପାଳି ଖେଳିଥିଲେ । ପ୍ରକାଶ ଯେ, ଭାରତର ଏହି ଷ୍ଟାର ଓପନର ବ୍ୟାଟର ଓ୍ବାନଡେ କ୍ରିକେଟରେ ଦ୍ବିତୀୟ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ବି ଅଟନ୍ତି । ଏହି ସୂଚୀରେ ସବୁଠାରୁ ଆଗରେ ପୂର୍ବତନ ଭାରତୀୟ ଅଧିନାୟକ ମିତାଲି ରାଜ ଅଛନ୍ତି । ସେ ନିଜ ଓ୍ବାନଡେ କ୍ୟାରିୟରରେ ୭୮୦୫ରନ୍ କରିଥିଲେ ।

ମହିଳା ଓ୍ବାନେଡ କ୍ରିକେଟରେ ସବୁଠାରୁ ଅଧିକ ଶତକ ଲଗାଇବାର ରେକର୍ଡ଼ ଅଷ୍ଟ୍ରେଲିଆର ମ୍ୟାଗ୍ ଲ୍ୟାନିଂଙ୍କ ନାଁରେ ରହିଛି । ଯିଏ ପ୍ରାୟ ୧୫ଶତକୀୟ ପାଳି ଖେଳିଛନ୍ତି । ଦ୍ବିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡାର ସୂଜୀ ବ୍ୟାଟ୍ସ ଅଟନ୍ତି , ଯାହାଙ୍କ ନାଁରେ ଓ୍ବାନଡେରେ ୧୩ଶତକ ରହିଛି । ତୃତୀୟ ନମ୍ବରରେ ଭାରତର ସ୍ମୃତି ମନ୍ଧାନା ଆସି ଯାଇଛନ୍ତି, ଯିଏ ଏବେ ପର୍ଯ୍ୟନ୍ତ ପ୍ରାୟ ୧୨ଶତକ ଲଗାଇ ସାରିଛନ୍ତି । ଇଂଲଣ୍ଡର ଟି ବ୍ୟୁମୋଟଙ୍କ ବି ୧୨ଶତକ ରହିଛି । ଓ୍ବେଷ୍ଟଇଣ୍ଡିଜର ହ୍ୟାଲି ମ୍ୟାଥ୍ୟୁଜ ୯ଶତକ ସହ ଲିଷ୍ଟରେ ୫ମ ସ୍ଥାନରେ ରହିଛନ୍ତି ।

ମ୍ୟାଗ ଲ୍ୟାନିଂ- ୧୫ଶତକ

 ସୂଜୀ ବ୍ୟାଟ୍ସ- ୧୩ଶତକ

ସ୍ମୃତି ମନ୍ଧାନା- ୧୨ଶତକ

ଟି ବ୍ୟୁମୋଟ- ୧୨ଶତକ

ହ୍ୟାଲୀ ମ୍ୟାଥ୍ୟୁଜ- ୯ ଶତକ