ଭୁବନେଶ୍ବର,୮।୧୨ : ସୂଚନା ଆୟୋଗ ଦ୍ବାରା ରେକର୍ଡ ସଂଖ୍ୟକ ଫଇସଲା କରାଯାଇଛି। ଗତ ସାତ ମାସରେ ଓଡ଼ିଶା ସୂଚନା ଆୟୋଗର ବିଚାରାଧୀନ ଅପିଲ ଓ ଅଭିଯୋଗଗୁଡିକର ସଂଖ୍ୟା ୨୨,୬୧୧ ରୁ କମି ୧୪,୦୦୦ କୁ ପହଞ୍ଚିଛି I

କୋଭିଡ୍ ମହାମାରୀ ସମୟରେ ସୀମିତ ଶୁଣାଣି ହୋଇଥିବାରୁ ତଥା ପରବର୍ତ୍ତୀ ସମୟରେ କେବଳ ଦୁଇଜଣ ସୂଚନା କମିଶନର୍ ଆୟୋଗରେ ଉପଲବ୍ଧ ଥିବାରୁ ଅନେକ ମାମଲା ପଡି ରହିଥିଲା । ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ, ଏପ୍ରିଲ ୨୦୨୫ରେ ରାଜ୍ୟ ମୁଖ୍ୟ ସୂଚନା କମିଶନର୍ଙ୍କ ସହ ଚାରିଜଣ ଅତିରିକ୍ତ ସୂଚନା କମିଶନର୍ଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଆୟୋଗ ମାମଲାଗୁଡିକର ଦ୍ରୁତ ସମଧାନ ପାଇଁ କମିଶନ ଏକ ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ସୂଚନା କମିଶନର୍, ମନୋଜ ପରିଡା କହିଛନ୍ତି ।

ଓଡ଼ିଶା ସୂଚନା କମିଶନ ବିଗତ କିଛି ମାସରେ ଅନେକ ଐତିହାସିକ ରାୟ ଜାରି କରିଛନ୍ତି ।ଏକ ଗୁରୁତ୍ବପୂର୍ଣ ରାୟରେ ରାଜ୍ୟ ମୁଖ୍ୟ ସୁଚନା କମିଶନର୍, ଶ୍ରୀ ମନୋଜ ପରିଡା ଓପିଏସସିକୁ ସେମାନଙ୍କ ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାର ସାକ୍ଷାତକାର ମାର୍କ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଦେବାକୁ ଆଦେଶ ଦେଇଛନ୍ତି । ଅତୀତରେ ଓପିଏସସି କେବଳ କିଛି ସୀମିତ ପରୀକ୍ଷାର ସାକ୍ଷାତକାର ମାର୍କ ପ୍ରାର୍ଥୀ ମାନଙ୍କୁ ଦେଉଥିଲେ । ଏହିପରି ନିର୍ଦ୍ଦେଶ ଷ୍ଟାଫ୍ ସିଲେକ୍ସ କମିଶନ୍କୁ ମଧ୍ୟ ଦିଆଯାଇଛି, ଯାହାଫଳରେ ସେମାନେ କମ୍ପ୍ୟୁଟର / ଟାଇପିଙ୍ଗ୍ ପ୍ରୋଫିସିଏନ୍ସି ପରୀକ୍ଷାରେ ପାଇଥିବା ମାର୍କ ଦେବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟ ଏକ ଗୁରୁତ୍ବପୂର୍ଣ ମାମଲାରେ ସୂଚନା କମିଶନର୍, ସୁଶାନ୍ତ କୁମାର ମହାନ୍ତି RTI ଆଇନକୁ ଦୁରୁପଯୋଗ କରି ଶହ ଶହ ମାମଲା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବନ୍ଧ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ କହିଛନ୍ତି ଯେ, ଆଗାମୀ ବର୍ଷ ଶେଷ ସୁଧା ବିଚାରାଧୀନ ମାମଲା କେବଳ କିଛି ହଜାରକୁ କମିଯାଇପାରିବ। ଯାହାଦ୍ବାରା ସୂଚନା ପାଇଁ ଆବେଦନକାରୀ ମାନଙ୍କର ପ୍ରତୀକ୍ଷା ସମୟ ୩୦ ଦିନ ଅତିକ୍ରମ କରିବ ନାହିଁ।

ସମସ୍ତ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲାର RTI ମାମଲାଗୁଡିକର ସମୀକ୍ଷା ତ୍ରୟମାସିକ ଧାରାରେ କରିବାକୁ ନିର୍ଦେଶ ଜାରିକରିବାକୁ ମୁଖ୍ୟ ସଚିବଙ୍କୁ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଅନୁରୋଧ କରିଛନ୍ତି । ସମସ୍ତ ବିଭାଗ ତାଙ୍କର ୱେବସାଇଟରେ ବିଭାଗ ସମ୍ବନ୍ଧିତ ମୌଳିକ ତଥ୍ୟ ଅପଲୋଡ୍ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା RTI ଆବେଦନକାରୀ ମାନେ ସହଜରେ ଆବଶ୍ୟକ ସୂଚନା ପାଇପାରିବେ । କେବଳ ବରିଷ୍ଠ ଏବଂ ଦକ୍ଷ କର୍ମଚାରୀଙ୍କୁ PIO ଏବଂ ଅପିଲେଟ୍ ଅଥୋରିଟି ଭାବରେ ନିଯୁକ୍ତ କରିବାକୁ ତଥା ଏହି କର୍ମଚାରୀ ମାନଙ୍କୁ ନିୟମିତ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ଆୟୋଗ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ୧,୪୭,୭୬,୨୫୦/-ଟଙ୍କାର ଜରିମାନା ଲାଗୁ କରିଛନ୍ତି । ୧୮୫୭ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଲାଗି ସୁପାରିଶ କରିଛନ୍ତି। ୧୬,୫୪,୦୦୦/- ଟଙ୍କାର କ୍ଷତିପୂରଣ ଲାଗି ଆଦେଶ କରିଛନ୍ତି ।