ବେତନଟୀ,୧୨/୧୨ : ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ୨୭ଟିକିଆ ହାତୀପଲ ନୀଳଗିରି ପଳାଇଯାଇଥିବାବେଳେ ସେଠାରୁ ମୁଖ୍ୟ ଦଳ ବେତନଟୀ ରେଞ୍ଜକୁ ପ୍ରତ୍ୟାବର୍ତ୍ତନ କରିସାରିଥିବାବେଳେ ଗୋଠରୁ ଅଲଗା ହୋଇ ପଛରେ ରହିଯାଇଥିବା ଗୋଟି କିଆ ମାଈହାତୀ କ୍ଷତାକ୍ତ ଅବସ୍ଥାରେ ଶୁକ୍ରବାର ସକାଳେ ପ୍ରତ୍ୟାବର୍ତ୍ତନ କରିଛି l
ସୂଚନା ଅନୁସାରେ, ବେତନଟୀ ରେଞ୍ଜ ଅଞ୍ଚଳରେ ବିଚରଣ କରୁଥିବା ୨୭ଟିକିଆ ଝାଡ଼ଖଣ୍ଡି ହାତୀପଲ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରି ନୀଳଗିରି ପଳାଇଯାଇଥିଲେ l ମାତ୍ର ଗୋଟିଏ ଦିନର ରହଣି ପରେ ପ୍ରଥମେ ଦୁଇଟି ହାତୀ ଆଗୁଆ ବେତନଟୀ ପଳାଇ ଆସିଥିବାବେଳେ ଗୁରୁବାର ଭୋର ସକାଳେ ୨୩ଟି ହାତୀ ପ୍ରତ୍ୟାବର୍ତ୍ତନ କରିଥିଲେ l ପଛରେ ରହିଯାଇଥିବା ଦୁଇଟି ହାତୀ ମଧ୍ୟରୁ ଗୋଟିଏ ଗୁରୁବାର ରାତି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଶୁକ୍ରବାର ସକାଳେ ପଛରେ ରହିଯାଇଥିବା ଶେଷ ହାତୀଟି କ୍ଷତାକ୍ତ ଅବସ୍ଥାରେ ପ୍ରତ୍ୟାବର୍ତ୍ତନ କରିଛି l
କ୍ଷତାକ୍ତ ହାତୀର ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ଜିଭ କଟି ଯାଇଥିବା ଦେଖିବାକୁ ମିଳିଛି l ମୁହଁରୁ ରକ୍ତଶ୍ରାବ ହେଉଥିବାବେଳେ ପାଣି ପିଇବାକୁ ଚେଷ୍ଟା କରୁଥିବା ମାଈ ହାତୀଟି ମୁହଁରେ ଗଭୀର କ୍ଷତ ପାଇଁ ପାଣି ମଧ୍ୟ ପିଇ ପାରୁନାହିଁ l ଯନ୍ତ୍ରଣାରେ ଛଟପଟ ମାଈ ହାତୀ ଏଣେ ତେଣେ ଦୌଡ଼ି ବୁଲୁଥିବା ଦେଖିବାକୁ ମିଳିଛି l କ୍ଷତାକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିବାକୁ ସ୍ୱତନ୍ତ୍ର ଟିମ୍ ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ଚୁଆପଦା ଜଙ୍ଗଲ ନିକଟରେ ପହଞ୍ଚି ଥିବାର ଦେଖିବାକୁ ମିଳିଛି l ବନବିଭାଗର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଥିବାବେଳେ ଯନ୍ତ୍ରଣା ଜ୍ୱାଳାରେ ଏଣେତେଣେ ଦୌଡ଼ି ବୁଲୁଥିବାରୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି l