ବାଲୁଗାଁ, ୧୩/୦୬:ଆଇଏନ୍ଏସ୍ ଚିଲିକା ପରେଡ଼ ଗ୍ରାଉଣ୍ଡଠାରେ ଆନୁଷ୍ଠାନିକ ଭାବେ ୨୦୨୬ ସଂସ୍କରଣର ପ୍ରଥମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚ୍ରେ ୩୦୧୨ ଜଣ ଅଗ୍ନିବୀରଙ୍କ ମଧ୍ୟରେ ୧୧୬ ଜଣ ମହିଳା ଅଗ୍ନିବୀର (୨୧୯୨ ଜଣ ଏସ୍ଏସ୍ଆର ଓ ୫୫୪ ଜଣ ଏମ୍ଆର) ଏବଂ ୨୬୫ ଜଣ ତଟରକ୍ଷୀ ନାବିକ ଦୀର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ ।
ସଫଳତାର ସହ ଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ ହୋଇଛି । ଯେଉଁଥିରେ ଏହି ଅଗ୍ନିବୀରଙ୍କ ଅବଦାନ ଅତୁଳନୀୟ ରହିବ ବୋଲି ଆଇଏନ୍ଏସ୍ ଚିଲିକା ନୌସେନା କମାଣ୍ଡର ବି ଦୀପକ ଅନୀଲ ପ୍ରକାଶ କରିଥିଲେ । ଏହି ଅବସରରେ ସେ ଅଗ୍ନିବୀରଙ୍କ ପିତାମାତା, ଅଭିଭାବକଙ୍କୁ କୃତଜ୍ଞତା ଜଣାଇଛନ୍ତି । କମାଣ୍ଡର ଅନୀଲଙ୍କ ତତ୍ତ୍ୱାବଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ପଶ୍ଚିମ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ସଞ୍ଜୟ ଭାଟସାୟନ୍, ପିଭିଏସ୍ଏମ୍, ଏଭିଏସ୍ଏମ, ଏନ୍ଏମ୍, ଫ୍ଲାଗ୍ ଅଫିସର ଉକ୍ତ ପରେଡକୁ ନୀରିକ୍ଷଣ କରିବାସହ ପରିଚାଳନା କରିଥିଲେ । ଅନୁଷ୍ଠିତ ସମାରୋହରେ ସମସ୍ତ ତାଲିମପ୍ରାପ୍ତ ଅଗ୍ନିବୀର ପରେଡ଼ ଗ୍ରାଉଣ୍ଡରେ ଚିତ୍ତାକର୍ଷକ କଳା କୌଶଳ ପ୍ରଦର୍ଶନ କରିଥିଲେ । ଉକ୍ତ ପରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା ଅଧିକାରୀ, ପୂର୍ବ କମାଣ ପତାକା ଅଧିକାରୀ, ପୂର୍ବତନ ନୌସେନା ଅଧିକାରୀ, ଅଗ୍ନିବୀରଙ୍କ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ । ଆଇଏନ୍ଏସ୍ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ବୋଲି ନୌସେନାର ବରିଷ୍ଠ ଅଧିକାରୀମାନେ ମତ ଦେଇଥିଲେ । ଦେଶ ସେବା ସହ ନୌସେନାର ମୂଳ ମୂଲ୍ୟବୋଧ, କାର୍ଯ୍ୟ ଦକ୍ଷତା ଏବଂ ସାହସକୁ ଅଗ୍ନିବୀରମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ କୃତୀ ଅଗ୍ନିବୀରଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ । ଶ୍ରେଷ୍ଠ ଅଗ୍ନିବୀର ଏସ୍ଏସ୍ଆର କୋରନାନା ଧନଲକ୍ଷ୍ମୀ, ଏମ୍ଆର ରୁଦ୍ଧିକେଶ ମାରୁତି ପାୱାର, ନାବିକ ଜିଡି, ଶ୍ରେଷ୍ଠ ମହିଳା ଅଗ୍ନିବୀର ବିପିନ ରାଉତ ଟ୍ରଫି ରମେଶ ଚୌହାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍-ମୁଖ୍ୟ ଏବଂ କମାଣ୍ଡର ବି ଦୀପକ ଅନୀଲ, ଭିଏସ୍ଏମ୍, କମାଣ୍ଡିଂ ଅଫିସର, ଆଇଏନ୍ଏସ୍ ଚିଲିକାଙ୍କ ଉପସ୍ଥିତିରେ ଅଙ୍କୁର ୧/୨୬ ସଂସ୍କରଣ ଆଇଏନ୍ଏସ୍ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଉନ୍ମୋଚନ କରାଯାଇଥିଲା । ସୂଚନା ଥାଉକି ହଜାର ହଜାର ଅଗ୍ନିବୀର ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇସାରିଲେଣି । ଅଦ୍ୟାବଧି ସାତଟି ବ୍ୟାଚ୍ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି ।
ଅଧିକ ପଢ଼ନ୍ତୁ :- DG ପଦବୀ ପାଇଁ ୩୩ IPS ମନୋନୀତ, କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ମଞ୍ଜୁରୀ