ଜୟପୁର,୨୯/୧୦: ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରେମ । ଅପହରଣ ପରେ ଶାରୀରିକ ସମ୍ପର୍କ । ନାବାଳିକା ଅପହରଣ  ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ସଦର ପୁଲିସ । ସେ ହେଲା ଅନୁଗୁଳ ଖମାର ଥାନା ଶଙ୍ଖାମୁରର ଚନ୍ଦନ  କୁମାର ବେହେରା(୨୪) । ତାକୁ କୋର୍ଟ ଚାଲାଣ  କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍‌  ପଠାଇ ଦିଆଯାଇଥିବା ଆଇଆଇସି ଈଶ୍ୱର ତାଣ୍ଡି  କହିଛନ୍ତି । 

ପୁଲିସ ସୂଚନା ଅନୁଯାୟୀ, ନାବାଳିକାର  ଘର ସଦର ବ୍ଲକ ଅଞ୍ଚଳରେ । ୫ ମାସ ତଳେ  ଚନ୍ଦନ ସହ ଇନ୍‌ଷ୍ଟାଗ୍ରାମ୍‌ରେ ତା’ର ବନ୍ଧୁତା  ସ୍ଥାପନ ହୋଇଥିଲା । ଚାଟିଂ ପରେ ସେମାନଙ୍କ  ମଧ୍ୟରେ ଭାବର ଆଦାନପ୍ରଦାନ ହୋଇଥିଲା । ଏହା ଧୀରେଧୀରେ ପ୍ରେମରେ ପରିଣତ ହୋଇଥିଲା। ଗତ ୨୧ ତାରିଖରେ ନାବାଳିକା ହଠାତ୍‌ ନିଖୋଜ  ହୋଇଯାଇଥିଲା । ପରିବାର ଲୋକେ ଚାରିଆଡ଼େ  ଖୋଜିଥିଲେ। ସମ୍ପର୍କୀୟଙ୍କୁ ଯୋଗାଯୋଗ କରି  ନିରାଶ ହୋଇଥିଲେ । ଶେଷରେ ଥାନାରେ ଲିଖିତ ଅଭିଯୋଗ  କରିଥିଲେ । ୨୩ ତାରିଖରେ ପୁଲିସ ଏକ  ନିଖୋଜ ମାମଲା ରୁଜୁ କରିଥିଲା । ବିଭିନ୍ନ  ସୂତ୍ରକୁ ଭିତ୍ତି କରି ତଦନ୍ତ ଜାରି ରଖିଥିଲା ।  ରାଉରକେଲାରୁ ଯୁବକକୁ ଗିରଫ ସହ  ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାର ବୟାନ ରେଡର୍କ ସହ ଡାକ୍ତରୀମାଇନା  କରାଯାଇଥିଲା । ଅପହରଣ ମାମଲା ପୋକ୍‌ସୋ  ମୋଡ଼ ନେଇଥିଲା । ଏସ୍‌ଆଇ ପଞ୍ଚାନନ ଶତପଥୀ  ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।