ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କେତେକ ନୂଆ ଅପଡେଟସ୍‌ ଯୋଡି ହୋଇଛି । ଏହା ଦ୍ବାରା ଟିକଟକ୍‌ ୟୁଜରଙ୍କୁ ଇନଷ୍ଟାଗ୍ରାମ୍‌ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ମେଟା । ଟିକଟକ୍‌ ଖରାପ ସମୟ ଦେଇ ଗତି କରୁଥିବା ବେଳେ ଇନଷ୍ଟାଗ୍ରାମ ଏହାର ଫାଇଦା ନେବାକୁ ଚେଷ୍ଟା ଚଳାଇଛି। ସେପଟେ ଜାନୁଆରୀ ୨୦ (ସୋମବାର)ରେ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନି ମେଟା ଏକ ନୂଆ ଭିଡିଓ କ୍ରିଏସନ୍‌ ଆପ୍‌ ‘Edits’ ଲଞ୍ଚ କରିଛି । ଏହା ଅବିକଳ CapCut ଭଳି ଦେଖାଯାଉଛି, କ୍ୟାପ୍‌କଟ୍‌କୁ  ଟିକଟକ୍‌ର ପ୍ୟାରେଣ୍ଟ କମ୍ପାନି ବ୍ୟାଇଟ୍‌ ଡ୍ୟାନ୍ସ ତିଆରି କରିଛି । 

ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରି ଘୋଷଣା କରିଛନ୍ତି ଯେ, ଆଜି ଏକ ନୂଆ ଆପ୍‌ ଏଡିଟସ୍‌ ଲଞ୍ଚ କରିଛୁ । ଯେଉଁମାନେ ମୋବାଇଲ୍‌ ଫୋନ୍‌ରେ ଭିଡିଓ ତିଆରି କରିବାକୁ ଉତ୍ସାହୀ ସେମାନଙ୍କ ପାଇଁ ଏହା ଖୁବ ସହାୟକ ହେବ । କେବଳ ଏକ ଭିଡିଓ ଏଡିଟିଂ ଆପ୍‌ ନୁହେଁ ଏଡିଟସ୍‌, ଏଥିରେ ବହୁ ଫିଚର୍ସ ରହିଛି ।  ଏହା ମାଧ୍ୟମରେ ବହୁତ ଭଲ କ୍ବାଲିଟିର ଭିଡିଓ ସୁଟ୍‌ କରାଯାଇପାରିବ ବୋଲି ସେ କହିଛନ୍ତି । ତେବେ ଟିକଟକ୍‌ରେ ଯେଉଁ ସବୁ ସୁବିଧା ମିଳୁଥିଲା ସେସବୁ ଫିଚର୍ସ ଏଡିଟସ୍‌ରେ ମିଳିପାରିବ ବୋଲି କହୁଯାଉଛି । 

ମିଳିଥିବା ସୂଚନା ଅନୁସାରେ, ଏଡିଟସ୍‌ ଏବେ ଆପ୍‌ ଷ୍ଟୋରରେ ଉପଲବ୍ଧ ଥିବା ବେଳେ ଏହା ଖୁବଶୀଘ୍ର ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଆସିବ । ପ୍ରଥମେ କେତେକ ଭିଡିଓ କ୍ରିଏଟର୍ସଙ୍କୁ ନେଇ ଏଡିଟସ୍‌କୁ କ୍ରିୟାଶୀଳ କରାଇବ ମେଟା । ଏହା ପରେ ସମସ୍ତଙ୍କ ପାଇଁ ଏହି ଆପ୍‌ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।  ସେପଟେ ଇନଷ୍ଟାଗ୍ରାମରେ ହୋଇଥିବା ନୂଆ ଅପଡେଟସ୍‌ ସଂପର୍କରେ ମୋସେରି ଘୋଷଣା କରିଛନ୍ତି । ଏବେ ଇନଷ୍ଟାରେ ୯୦ ସେକେଣ୍ଡ ପରିବର୍ତ୍ତେ ୩ ମିନିଟ୍‌ର ରିଲ୍ ପୋଷ୍ଟ ହୋଇପାରିବ । ୟୁଟ୍ୟୁବ୍‌ ୩ ମିନିଟ୍‌ର ରିଲସ୍‌ ପୋଷ୍ଟ ପାଇଁ ସୁବିଧା ଦେଉଥିବା ଟିକଟକ୍‌ରେ ଏହି ଭଳି ୬୦ ମିନିଟ୍‌ର ଭିଡିଓ ଅପଲୋଡ୍‌ ହୋଇପାରୁଛି ।