ପୁରୀ,୨୯।୮:  ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ  ରଥର ଗୋଟିଏ ଲେଖାଏଁ ଚକ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର  ଶ୍ରୀଜୀଉଙ୍କ ଦର୍ଶନ  କରିଥିଲେ। ଏହି ଅବସରରେ  ରଥଯାତ୍ରା ବେଳେ ହୋଇଥିବା ୩  ଠାକୁରଙ୍କ ୩ ରଥର ଗୋଟିଏ ଲେଖାଏଁ ଚକ ସଂସଦ ପରିସରର ଏକ ପ୍ରମୁଖ ସ୍ଥାନରେ ରଖିବାକୁ ବାଚସ୍ପତିଙ୍କୁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ବାଚସ୍ପତି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ।  ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନି ରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଲୋକସଭା ବାଚସ୍ପତି ଓର୍ମ ବିଲା , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟମାନେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା କ୍ଷଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ,ଜିଲ୍ଲାପାଳ ଓ ଏସପି ସେମାନଙ୍କୁ  ସ୍ଵାଗତ କରିଥିଲେ। ବାଚସ୍ପତି ପ୍ରଥମେ ଅରୁଣ ସ୍ତମ୍ଭ ନିକଟରେ ପ୍ରଣିପାତ, ପତିତପାବନ ଦର୍ଶନ କରି ପରେ   ଶ୍ରୀମନ୍ଦିର ଯାଇ ପ୍ରଥମେ କାଶୀ ବିଶ୍ଵନାଥଙ୍କୁ ଦର୍ଶନ ସାରି ସାତ ପାହାଚ ଦେଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢ଼ା ପରିକ୍ରମା କରି ସେ ମା’ ମଙ୍ଗଳା, ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ ମହାପ୍ରସାଦ ସେବନ କରିଥିଲେ ।

ତେବେ ଶ୍ରୀଜୀଉଙ୍କ ଦର୍ଶନ କରି ବେଶ୍ ଖୁସି ଓ ଆନନ୍ଦିତ ଥିବା ବାଚସ୍ପତି କହିଛନ୍ତି । ସାରା ବିଶ୍ବ ଏବଂ ସମଗ୍ର ଦେଶର ମଙ୍ଗଳ କାମନା କରି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେମାନଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ,ରାଜ୍ୟସଭା ସାଂସଦ  ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ମଧ୍ୟ ଥିଲେ।