ନୂଆଦିଲ୍ଲୀ,୧୨/୧୧:ଗତକାଲି ବିମାନ ସେବା ପ୍ରଦାନକାରୀ କମ୍ପାନି ଭିସ୍ତାରାର ଥିଲା ଶେଷ ଉଡ଼ାଣ । ଆଜିଠାରୁ ନୂଆ ପରିଚୟ ପାଲଟିଛି ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆରେ ବିଲୀନ ହୋଇଛି ଭିସ୍ତାରା । ୧ ଦଶନ୍ଧିର କାରବାର ମଧ୍ୟରେ ଏକ ପୂର୍ଣ୍ଣକାଳୀନ ସେବା ଯୋଗାଣକାରୀ ଭାବେ ଭିସ୍ତାରା ଛାଡ଼ିଯାଇଛି ଭିନ୍ନ ପରିଚୟ । ତେବେ ଗତକାଲି ଏହି ବିଲୟ ପ୍ରକ୍ରିୟା ଶେଷ ହେବା ପରେ ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି । ଗତକାଲି ରାତି ପ୍ରାୟ ୧୦ଟାରେ ଏହି ବିମାନ (AI-2286) ମୁମ୍ବାଇ ଅଭିମୁଖେ ଉଡାଣ ଭରି ଆଜି ସକାଳେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି ।

‘ଭିସ୍ତାରା ଏୟାର ଲାଇନ୍ସ’କୁ ବର୍ଷ ୨୦୧୩ ରେ ‘ଟାଟା ସନ୍ସ’ ଓ ସିଙ୍ଗାପୁର ଏୟାର ଲାଇନ୍ସର ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ ଭାବେ ପ୍ରତିଷ୍ଠା କରିଥିଲେ । ଏଥିରେ ଟାଟା କମ୍ପାନୀର ସର୍ବାଧିକ ୫୧ପ୍ରତିଶତ ଓ ଅବଶିଷ୍ଟ ୪୯ପ୍ରତିଶତ ମାଲିକାନା ସିଙ୍ଗାପୁର ଏୟାର ଲାଇନ୍ସର ଥିଲା । ୨୦୨୨ ମସିହାରେ ‘ଟାଟା ସନ୍ସ’ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅଧିଗ୍ରହଣ କରିବା ପରେ ଭିସ୍ତାରର ବିଲୟ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ।୨୦୨୪ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମସ୍ତ ଆଇନଗତ ଅନୁମୋଦନ ଲାଭ କରି ଶେଷ ହେବ ବୋଲି ଉଭୟ ସଂସ୍ଥା ଘୋଷଣା କରିଥିଲା । ଏହା ପୂର୍ବରୁ ଚଳିତମାସ ଆରମ୍ଭରେ ୧୧ ନଭେମ୍ବର ଭିସ୍ତାରାର ଶେଷ ଅପରେସନାଲ ଦିବସ ଏବଂ ୧୨ତାରିଖରୁ ମିଳିତ ଏୟାର ଲାଇନ୍ସ ଉଡାଣ ଭରିବା ବୋଲି କୁହାଯାଇଥିଲା । ଏବେ ଏହି ଜଏଣ୍ଟ ଭେଞ୍ଚର କମ୍ପାନୀରେ ସିଙ୍ଗାପୁର ଏୟାର ଲାଇନ୍ସର ମାତ୍ର ୨୫.୧ ପ୍ରତିଶତ ଅଂଶଧନ ରହିବା ସହ ଅବଶିଷ୍ଟ ୭୪.୯୯ ପ୍ରତିଶତ ଅଂଶଧନ ଟାଟା ସନ୍ସ ନିକଟରେ ରହିବ  । ଭିସ୍ତାରା ବିମାନ ଏବେ ଏୟାର ଇଣ୍ଡିଆ ନାମରେ ନାମିତ ହେବ ଓ ଭିସ୍ତାରାର ଗ୍ରାହକ ସେବା ପରିଚାଳନା ମଧ୍ୟ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ଥାନାନ୍ତର ହୋଇଛି । ଯାତ୍ରୀମାନେ ଏୟାର ଇଣ୍ଡିଆ ଅଫିସିଆଲ ସାଇଟରେ ଭିସ୍ତାରା ପାଇଁ ଟିକେଟ ବୁକିଂ କରିପାରିବେ । ଗତକାଲି ପ୍ରଥମ ଅନ୍ତର୍ଜାତୀୟ ଫ୍ଲାଇଟ୍‌ ଉଡାଣ ଭରିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ସଢେ ଗୋଟିଏରେ ମିଳିତ ଏୟାର ଲାଇନ୍ସର ପ୍ରଥମ ଘରୋଇ ବିମାନ ମୁମ୍ବାଇରୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଟେକଅଫ କରିବ ।