ବଲାଙ୍ଗିର,୨୯/୪(ମୁକେଶ ବହିଦାର): ନୃତ୍ୟ ମନ ଓ ଶରୀରକୁ ଝୁମାଇ ଦିଏ । ମନୋରଞ୍ଜନ କରେ, ଖୁସିଦିଏ । ତେବେ ଏହି ନୃତ୍ୟ ଏବେ ମନୋରଞ୍ଜନ ସହ ଔଷଧ ଏବଂ ଚିକିତ୍ସାର ବିକଳ୍ପ ସାଜିଛି । ଏକଦା ପୁଳାପୁଳା ଔଷଧ ଖାଉଥିବା ରୋଗୀ ଏବେ ନୃତ୍ୟକରି ସୁସ୍ଥ ହେଉଛନ୍ତି । ମଧୁମେହ, ମେଦ ବହୁଳତା, ଉଚ୍ଚ ରକ୍ତଚାପ ଭଳି ରୋଗୀଙ୍କୁ ଡ୍ୟାନ୍ସ ଥେରାପି ମାଧ୍ୟମରେ ଭଲ କରାଯାଇପାରୁଛି । ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ ହେଉଥିବାବେଳେ ରୋଗୀଙ୍କୁ ଡ୍ୟାନ୍ସ ଥେରାପି ଦେଇ ଚର୍ଚ୍ଚାରେ ବଲାଙ୍ଗିର ମନୋହରପୁର ବାସିନ୍ଦା ଡା. ବିଶ୍ୱଜିତ ଦାଶ ।

ସେ ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ପଞ୍ଚକର୍ମ ବିଭାଗ ମୁଖ୍ୟ । ନିଶାରେ ସେ ଜଣେ ଓଡ଼ିଶୀ ନୃତ୍ୟଗୁରୁ । ବିଗତ ପ୍ରାୟ ୬ବର୍ଷ ହେଲା ସେ ଏଭଳି ଡ୍ୟାନ୍ସ ଥେରାପି ଦେଇ ଅନେକ ରୋଗୀଙ୍କୁ ଭଲ କରିଛନ୍ତି । ଡ୍ୟାନ୍ସ ଥେରାପି ନେବା ପରେ କିଏ ଖାଉଥିବା ଔଷଧ ପରିମାଣ ହ୍ରାସ କରିଛି ତ ଆଉ କିଏ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ନୂଆ ପିଢ଼ି ଏବଂ ରୋଗୀଙ୍କୁ ଏହି ଥେରାପି ସମ୍ପର୍କରେ ବୁଝାଇବାକୁ ଡାକ୍ତର ଶ୍ରୀ ଦାଶ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ କର୍ମଶାଳା ଆୟୋଜନ କରୁଛନ୍ତି । ରୋଗୀଙ୍କ ପାଇଁ ସେ ଏକ ୧୭ ମିନିଟର ସ୍ୱତନ୍ତ୍ର ନୃତ୍ୟ ଶୈଳୀ ପ୍ରସ୍ତୁତ କରିଛନ୍ତି । ଏଥିରେ ଭାରତନାଟ୍ୟମ୍, ଓଡ଼ିଶୀ ଏବଂ ଛଉ ନୃତ୍ୟ ରହିଛି । କେବଳ ଏତିକି ନୁହେଁ ଡା. ଶ୍ରୀ ଦାଶ ‘ୟୋଗା ଆଣ୍ଡ ଓଡ଼ିଶୀ’ ନାମକ ଏକ ନୃତ୍ୟତତ୍ତ୍ୱ ପୁସ୍ତକର ମଧ୍ୟ ରଚୟିତା ।

ତାଙ୍କ କହିବା ଅନୁସାରେ, ଏବେ ଆଧୁନିକତାର ଛାପ ଯୋଗୁଁ ନୃତ୍ୟଗୁଡ଼ିକରେ ଅପସଂସ୍କୃତି ପଶିଯାଇଛି । ସେଗୁଡ଼ିକରେ ଅଙ୍ଗଶୁଦ୍ଧତା ନାହିଁ । କେବଳ ସୋସିଆଲ ମିଡିଆରେ ସାମୟିକ ଚର୍ଚ୍ଚା ପାଇଁ ନୃତ୍ୟ କରୁଛନ୍ତି ଯାହା ଆଦୌ ଶୁଭଙ୍କର ନୁହେଁ । ତେଣୁ ସମସ୍ତେ ଚର୍ଚ୍ଚା ପାଇଁ ନୁହେଁ, ଶରୀର ଏବଂ ମନର ଶୁଦ୍ଧତା ଓ ଶାନ୍ତି ପାଇଁ ନୃତ୍ୟ କରିବା ଉଚିତ ବୋଲି ସେ ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଉରକେଲା ନିବାସୀ ଶିକ୍ଷକ ଦମ୍ପତି ନୃସିଂହ ଚରଣ ଦାଶ ଏବଂ ଜ୍ୟୋତ୍ସ୍ନାମୟୀ ଦାଶଙ୍କ ପୁଅ ବିଶ୍ୱଜିତ ପିଲାଟି ଦିନରୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ସେତେବେଳେ ଟିଭିରେ ପ୍ରସାରିତ ସ୍ୱର୍ଗତ ସଂଯୁକ୍ତା ପାଣିଗ୍ରାହୀ ଓ ସ୍ୱର୍ଗତ ପ୍ରତିଭା ଦେବୀଙ୍କ ନୃତ୍ୟ ଦେଖିଥିଲେ । ପରେ ୧୯୯୨ ମସିହାରେ ବଡ଼ ଭଉଣୀ ସ୍ୱାତୀ ଦାଶ ତ୍ରିବେଣୀ କଳା ପରିଷଦର ସ୍ୱର୍ଗତ ଗୁରୁ ପ୍ରହଲ୍ଲାଦ ବିଶ୍ୱାଳଙ୍କ ପାଖକୁ ଓଡ଼ିଶୀ ଶିଖିବାକୁ ଗଲେ । ସେତେବେଳେ ସ୍କୁଲ ପାଠପଢ଼ା ଚାଲିଥିଲେ ମଧ୍ୟ ସେ ଭଉଣୀଙ୍କ ସହ ଗୁରୁ ଶ୍ରୀ ବିଶ୍ୱାଳ ଏବଂ ସୁନୀତା ପଟ୍ଟନାୟକଙ୍କଠାରୁ ନୃତ୍ୟଶିକ୍ଷା ଲାଭକଲେ ।

ପାଠପଢ଼ା ଚାଲୁରଖି ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପଦ୍ମବିଭୂଷଣ ଗୁରୁଶ୍ରୀ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା କଲେ । ସେଠି ଦଶାବତାର, ଗୀତଗୋବିନ୍ଦ ଭଳି ନୃତ୍ୟ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କଲେ । ଶେଷରେ କୋଲକାତାର ବଙ୍ଗୀୟ ସଙ୍ଗୀତ ପରିଷଦରୁ ସଙ୍ଗୀତ ରତ୍ନରେ ସ୍ୱର୍ଣ୍ଣପଦକ ପାଇଥିଲେ । କେବଳ ଏତିକି ନୁହେଁ ମାନସିକ/ଶାରୀରିକ ଦିବ୍ୟାଙ୍ଗ ଶିଶୁଙ୍କୁ ସେ ନୃତ୍ୟ ମାଧ୍ୟମରେ ସ୍ୱତନ୍ତ୍ର ଚିକିତ୍ସା ଦେଉଛନ୍ତି । ସେ ଏହାକୁ ବେଙ୍ଗାଲୁରୁର ଡା.ଏ ଭି ସତ୍ୟନାରାୟଣଙ୍କଠାରୁ ଶିଖି ଏବେ ନିଜେ କରିବା ସହ ଅନ୍ୟମାନଙ୍କୁ ଶିଖାଉଛନ୍ତି ।

ଏସଂକ୍ରାନ୍ତରେ ସେ ବେଙ୍ଗାଲୁରୁ, ମହୀଶୂର, ଦିଲ୍ଲୀ, ରାଜସ୍ଥାନ ଆଦି ସ୍ଥାନର ବିଭିନ୍ନ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକରେ ଡ୍ୟାନ୍ସ ଥେରାପି ପ୍ରଦର୍ଶନ କରିବା ସହ ତାହାର ବୈଷୟିକ ତଥ୍ୟ ଉପସ୍ଥାପନ କରୁଛନ୍ତି । ଗତ ୧୫ବର୍ଷ ହେଲା ବାର୍ଷିକ ପ୍ରାୟ ୨୫ରୁ ୩୦ଜଣ ପ୍ରଶିକ୍ଷାର୍ଥୀଙ୍କୁ ସେ ଓଡ଼ିଶୀ ଏବଂ ଡ୍ୟାନ୍ସ ଥେରାପି ପ୍ରଶିକ୍ଷଣ ଦେଉଛନ୍ତି । ଇତିମଧ୍ୟରେ ତ୍ରିୟା ବାଗ ଏବଂ ଅୟସ ମୃଣାଳ ନନ୍ଦ ଓଡ଼ିଶୀରେ ଜୁନିୟର ଫେଲୋସିପ ପାଇସାରିଲେଣି । ସେ ନୃତ୍ୟ ‘ଅନୁଶୀଳନ’ ନାଁରେ ଏକ ଅନୁଷ୍ଠାନ କରି ପ୍ରଶିକ୍ଷଣ ଦେଉଛନ୍ତି । ଡା. ଦାଶ ଭୁବନେଶ୍ୱର ଦୂରଦର୍ଶନର ମଧ୍ୟ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ସେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।

ବରିଷ୍ଠ ନାଗରିକ ଗୋପକୃଷ୍ଣ ନାୟକଙ୍କ କହିବା କଥା, ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଥିଲା । ଦୁଇ ମାସ ହେବ ସେ ଡ୍ୟାନ୍ସ ଥେରାପି ନେଉଛନ୍ତି । ଯେମିତି ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ପୂର୍ବରୁ ଶରୀରକୁ ପ୍ରସ୍ତୁତ(ୱାର୍ମଅପ୍) କରାଯାଏ ସେହିପରି ଡ୍ୟାନ୍ସ ଥେରାପିରେ ମଧ୍ୟ ବିଭିନ୍ନ ଧୀର ପ୍ରସ୍ତୁତି କରାଯାଏ । ପ୍ରାୟ ୧୫ରୁ ୧୭ମିନିଟର ଏହି ଅଭ୍ୟାସରେ ଶରୀର ଉପରେ ଅନେକ ପ୍ରଭାବ ପଡ଼େ । ସେ ରୋଗରୁ ଉପଶମ ପାଉଥିବା କହିଛନ୍ତି ।