ଭୁବନେଶ୍ୱର,୩୦/୦୫: ପଖାଳର ସାଥୀ ସେ । ପରିବାର ରାଜା ତା ବିନା ତରକାରୀ ଫିକା ଫିକା ଲାଗେ । ତିଅଣ ତାଟିଆର ସେ ଥିଲେ ଆଉ କିଛି ଦରକାର ପଡେନି । ଭାରି ସୁଆଦିଆ ପରିଚିତ ପରିବାଟେ ସେ । ଡାଲମାଠୁ ନେଇ ତରକାରୀରେ ସବୁ ଥିରେ ଖୋଜା ପଡ଼େ । ସେ ହେଉଛି ଆମ ସମସ୍ତଙ୍କର ପ୍ରିୟ ଆଳୁ । ପଖାଳ ସାଙ୍ଗକୁ ଆଳୁ ଚକଟା କି ଭଜା ଟିକେ ମିଳିଗଲେ ମଜା ଆସିଯାଏ । ଦର ଯେତେ ହେଲେ ବି ଆଳୁ କିଣିବାଟା ନିଶ୍ଚୟ । କିଛି ପରିବା ନଥିଲେ ଯଦି ଆଳୁ ଅଛି ଖାଇବାର ଟେନସନ୍ ନାହିଁ । ବନ୍ୟା, ବାତ୍ୟା ସ୍ଥିତି ଆସିଲେ ଆଳୁର ଚାହିଦା ଆଗ ବଢେ । ଆଳୁ ଚାଷ କରି ଚାଷୀଟିଏ ବେଶ୍ ଦୁଇପାଇସା ରୋଜଗାର ବି କରେ । ଆଉ ସେ ଆଳୁ ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ବି ମତାନ୍ତର ହୁଏ । ନିତିଦିନିଆ ଜୀବନରେ ଆଳୁକୁ ମନେ ପକାଇବାକୁ ପ୍ରତିବର୍ଷ ମେ ୩୦କୁ ଅନ୍ତର୍ଜାତୀୟ ଆଳୁ ଦିବସ ଭାବେ ପାଳନ କରାଯାଏ ।
ଫୋକସ୍ରେ କନ୍ଧମାଳ, କୋରାପୁଟ ଓ ରାୟଗଡ଼- ଆଳୁ ଏକ ଶ୍ୱେତସାର ଜାତୀୟ ପରିବା । ବିଭିନ୍ନ ପ୍ରକାର ଉନ୍ନତ କିସମର ଆଳୁ ରହିଛି । ସେଗୁଡ଼ିକ ହେଲା କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ଅଶୋକ, କୁଫ୍ରି ଜୱାହର,କୁଫ୍ରି ସୂର୍ଯ୍ୟ, ପୁଖରାଜ, କୁଫ୍ରି ଅରୁଣ, କୁଫ୍ରି ଜ୍ୟୋତି ଓ କୁଫ୍ରି ବାଦ୍ଶାହ । ୨୦୨୪-୨୫ରେ ରାଜ୍ୟରେ ୧୨, ୩୭୫ ହେକ୍ଟର ଜମିରେ ଆଳୁ ଚାଷ ହୋଇଛି । ୨୦୨୫-୨୬ ଖରିଫ ପାଇଁ ୬ ହଜାର ହେକ୍ଟର ଓ ରବି ପାଇଁ ୧୪ ହଜାର ହେକ୍ଟର ଜମିରେ ଚାଷ ହୋଇଛି । ରାଜ୍ୟରେ ନୂଆ ସମ୍ଭାବନା କୁଫ୍ରି ଉଦୟ ଓ କୁଫ୍ରି ଲୋହିତ ଆଳୁ । କନ୍ଧମାଳ, କୋରାପୁଟ ଓ ରାୟଗଡ଼ ଜିଲ୍ଲା ଆଳୁ ଚାଷକୁ ନେଇ ଫୋକସ୍ରେ ରହିଛି । ସେଠାକାର ଜମି ଆଳୁ ଚାଷ ପାଇଁ ବେଶ୍ ଉପଯୋଗୀ । ବର୍ତ୍ତମାନ ରାଜ୍ୟରେ ଆଳୁ କିଲୋ ୨୦ରୁ ୨୫ ଟଙ୍କା ରହିଛି ।
୫୮ଟି ଉପଖଣ୍ଡରେ ହେବ ଶୀତଳଭଣ୍ଡାର- ଆମ ରାଜ୍ୟ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଅଧିକ ନିର୍ଭରଶୀଳ । ୟୁପିରୁ ବି ଆଳୁ ଆସେ । ଆଳୁ ସାଇତି ରଖିବାକୁ ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ରହିଛି । ସେଥି ପାଇଁ ଆଳୁ ସଂରକ୍ଷଣ ହୋଇପାରୁ ନାହିଁ । ଯାହା ଉତ୍ପାଦ ହେଉଛି ତାହା ଶୀଘ୍ର ବିକ୍ରି ହେଉଛି । ଶୀତଳଭଣ୍ଡାର ହେରେ ଆଳୁ ସଙ୍କଟ ଦୂର ହେବ । ଖୁବଶୀଘ୍ର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ପ୍ରତିଷ୍ଠା ହେବ । ଏ ନେଇ ୨୫୨ କୋଟି ଟଙ୍କା ଖର୍ଚ୍ଚା ହେବ । ୨୦୩୦ ସୁଦ୍ଧା ନିର୍ମାଣ କାମ ସରିବ ।
ଆଉ ବ୍ଲାକମେଲ କରିପାରିବନି ବଙ୍ଗ- ରାଜ୍ୟରେ ଆଳୁ ଚାଷକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବିଗତ ବର୍ଷରୁ ଆମେ ପଶ୍ଚିମବଙ୍ଗ ଉପରେ ଅଧିକ ନିର୍ଭର କରିଆସୁଛୁ । ଚଳିତବର୍ଷ ଆମେ ଅଧିକ ୩ ଗୁଣା ଆଳୁ ଚାଷ କରିଛୁ । ଚାଷୀଙ୍କୁ ଉନ୍ନତମାନର ବିହନ ଦିଆଯାଇଛି । ଶୀତଳଭଣ୍ଡାର ନିର୍ମାଣ ଚାଲିଛି । ଏବର୍ଷଠୁ ଆଉ ପଶ୍ଚିମବଙ୍ଗ ଆମକୁ ବ୍ଲାକମେଲ କରିପାରିବ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।