ଭୁବନେଶ୍ବର ୯।୧୨: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଛି । ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇଣ୍ଟରନେଟ୍ କଟକଣା ବୃଦ୍ଧି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା । ଇଣ୍ଟରନେଟ୍ କଟକଣା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲା।
ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ମହିଳାଙ୍କ କଟାମୁଣ୍ଡ ନ ମିଳିବା ନେଇ ଉତ୍ତେଜନା ଦେଖା ଦେଇଥିଲା। ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁ ରେ ବ୍ୟାପକ ପୋଡା ଜଳା ପରେ ମଙ୍ଗଳବାର ସେଠାରେ ୧୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ କରାଯାଇଛି । ପୂର୍ବରୁ ଏମଭି ୨୬ ଗାଁରେ ସିଆରପିଏଫ ଓଏସଏପି ଆଇଆରବି ଓ ଓଡିଶା ପୋଲିସର ୨୦ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ସେପଟେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଣ୍ଡ ବିହିନ ମୃତ ଦେହ ରାଖାଲଗୁଡା ଗାଁ ରେ ପହଞ୍ଚିବା ପରେ ଶବ ସତ୍କାର ପ୍ରକିୟା ଆରମ୍ଭ ହୋଇଛି । ମହିଳାଙ୍କ ନିଜ ଚାଷ ଜମିରେ ସବ ସତ୍କାର କରାଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ମାଲକାନଗିରି ଏସପି ଓ ଜିଲ୍ଲାପାଳଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଛି ।