ନୂଆଦିଲ୍ଲୀ,୨।୧୦: ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି, ବରେଲି ଡିଭିଜନର ଚାରୋଟି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି, ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ, ପିଏସି ଏବଂ ଆରଏଏଫ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ଡ୍ରୋନ୍ ଜରିଆରେ ମଧ୍ୟ ନଜର ରଖାଯାଇଛି। ଅଧିକାରୀମାନେ ଘୋଷଣା କରିଛନ୍ତି ଯେ, ୨ ଅକ୍ଟୋବର ଗୁରୁବାର ଅପରାହ୍ନ ୩ଟାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହି କଟକଣା ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିବ। ତା ପୂର୍ବରୁ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା।
ଉଲ୍ଲେଖନୀୟ ଯେ, ଗତ ସେପ୍ଟେମ୍ବର ୨୬ ତାରିଖରେ ବରେଲିରେ ପୋଲିସ ଏବଂ ବହୁ ସଂଖ୍ୟଙ୍କ ଜନତାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହା ପରେ ବରେଲି ଏବଂ ଅନ୍ୟାନ୍ୟ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଗତ ଶୁକ୍ରବାର ନମାଜ ପରେ, କୋତୱାଲି ଅଞ୍ଚଳର ଏକ ମସଜିଦ ବାହାରେ ୨୦୦୦ ରୁ ଅଧିକ ଲୋକଙ୍କ ଭିଡ଼ ଜମା ହୋଇଥିଲା। ପଥର ମାଡ଼ ଏବଂ ଲାଠିଚାର୍ଜରେ କିଛି ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ‘ଆଇ ଲଭ୍ ମହମ୍ମଦ‘ପୋଷ୍ଟର ବିବାଦ ଉପରେ ପ୍ରସ୍ତାବିତ ପ୍ରତିବାଦକୁ ଇତ୍ତେହାଦ-ଇ-ମିଲ୍ଲତ ପରିଷଦର ସଭାପତି ମୌଲାନା ତୌକିର ରଜା ଖାନ ବାତିଲ କରିବା ପରେ ହିଂସା ଆରମ୍ଭ ହୋଇଥିଲା।
ଡିଭିଜନାଲ କମିଶନର ଭୂପେନ୍ଦ୍ର ଏସ. ଚୌଧୁରୀ କହିଛନ୍ତି , ନିକଟରେ ବରେଲିରେ ହୋଇଥିବା ହିଂସା ପରେ, ଆଜି ଦଶହରା ଉତ୍ସବକୁ ଦୃଷ୍ଟିରେ ରଖି ବରେଲି, ଶାହଜାହାନପୁର, ପିଲିଭିତ ଏବଂ ବଦାୟୁଁ ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ରାମଲୀଳା, ଦୁର୍ଗା ପୂଜା ମେଳା ଏବଂ ରାବଣ ଦହନ କାର୍ଯ୍ୟକ୍ରମ ସମୟରେ ସଜାଗ ରହିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ବିଜୟାଦଶମୀ ଏବଂ ସମ୍ବନ୍ଧିତ ପର୍ବଗୁଡ଼ିକରେ ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ କଡ଼ା ସତର୍କତା ବଜାୟ ରଖିଛି।