ମୁମ୍ବାଇ, ୧୦/୧୨ : ଆଗାମୀ ଆଇପିଏଲ-୧୯ ପାଇଁ ଆସନ୍ତା ୧୬ ତାରିଖରେ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ ପାଇଛି । ୧୦ଟି ଯାକ ଫ୍ରାଞ୍ଚାଇଜ୍‌ରେ ଖାଲି ପଡ଼ିଥିବା ମୋଟ୍‌ ୭୭ଟି ସ୍ଥାନ ପାଇଁ ମୋଟ୍‌ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୦ ଜଣ ଭାରତୀୟ ଓ ୧୧୦ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମୋଟ୍‌ ୧୩୫୫ ଜଣ ଖେଳାଳି ନାମ ଦାଖଲ କରିଥିଲେ । ଏହି ତାଲିକାକୁ ସମସ୍ତ ଫ୍ରାଞ୍ଚାଇଜ୍‌ମାନଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ଫ୍ରାଞ୍ଚାଇଜ୍‌ମାନଙ୍କ ଦ୍ୱାରା ମତାମତ ଅନୁଯାୟୀ ତାଲିକାକୁ ଛୋଟ କରାଯାଇ ୨୫୦ରେ ସୀମିତ ରଖାଯାଇଛି । ପ୍ରାଥମିକ ୧୩୫୫ଜଣିଆ ତାଲିକାରେ ସ୍ଥାନ ପାଇ ନଥିବା ୩୫ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନଙ୍କ ଅନୁରୋଧ କ୍ରମେ ତାଲିକାରେ ସ୍ଥାନ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌, ଜର୍ଜ ଲିଣ୍ଡେ, ଶ୍ରୀଲଙ୍କା ଅଲ୍‌ରାଉଣ୍ଡର ଦୁନିଥ ୱେଲାଲଗେଙ୍କ ଭଳି ଖେଳାଳି ଚୂଡ଼ାନ୍ତ ତାଲିକାକୁ ଫେରିଛନ୍ତି । ମୋଟ୍‌ ୪୦ଜଣ ଖେଲାଳି ମାର୍କି ତାଲିକାରେ ସ୍ଥାନ ପାଇଛନ୍ତି । ଏହି ଖେଳାଳିମାନଙ୍କ ବେସ ପ୍ରାଇସ ରହିଛି ସର୍ବାଧିକ ୨କୋଟି ଟଙ୍କା । ଏଥିରେ ଭାରତରୁ କେବଳ ଭେଙ୍କଟେଶ ଆୟର ଓ ରବି ବିଷ୍ଣୋଇ ରହିଛନ୍ତି । ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ୍‌ ବ୍ୟାଟର ତାଲିକାରେ ନିଜ ନାମ ସ୍ଥାନିତ କରିଛନ୍ତି । ତାଲିକାର ପ୍ରଥମ ସେଟ୍‌ରେ ଗ୍ରୀନଙ୍କ ନାମ ରହିଛି । ତାଙ୍କ ବ୍ୟତୀତ ଡେଭନ କନୱେ, ଜେକ ଫ୍ରେଜର-ମ୍ୟାକଗର୍କ, ସର୍ଫରାଜ ଖାନ, ଡେଭିଡ୍‌ ମିଲର ଓ ପୃଥ୍ୱୀ ଶ’ ମଧ୍ୟ ଏହି ତାଲିକାରେ ରହିଛନ୍ତି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି । ଏଥିରେ ରହିଛି ବିଦେଶୀ ଖେଳାଳିଙ୍କ ପାଇଁ ୩୧ଟି ସ୍ଥାନ । କୋଲକାତା ନାଇଟ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି ଓ ଦଳରେ ଖାଲି ପଡ଼ିଛି ୧୩ଟି ସ୍ଥାନ । ୬ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଉପଲବ୍ଧ ରହିଛି । ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟ ୪୩.୪ କୋଟି ଟଙ୍କା ସହ ନିଲାମକୁ ଓହ୍ଲାଇବାକୁ ପ୍ରସ୍ତୁତ ରହିଛି । ଦଳରେ ୯ଟି ସ୍ଥାନ ଖାଲି ପଡ଼ିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ନିକକ୍ଷରେ ୨୧.୮୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୮ଟି ସ୍ଥାନ ଖାଲି ରହିଛି । ଗୁଜରାଟ ଟାଇଟନ୍ସ ପର୍ସରେ ୧୨.୯୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୪ ବିଦେଶୀ ଖେଳାଳିଙ୍କ ସମେତ ମୋଟ୍‌ ୫ଟି ସ୍ଥାନ ଖାଲି ରହିଛି । ଲକ୍ଷ୍ନ ସୁପରଜାଏଣ୍ଟ୍‌ସ ପର୍ସରେ ୨୨.୯୫ କୋଟି ଟଙ୍କା ରହିଥିବାବେଳେ ଦଳରେ ମାତ୍ର ୬ଜଣ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଛି । ଏଥିରେ ବିଦେଶୀ ଖେଳାଳିଙ୍କ ପାଇଁ ୪ଟି ସ୍ଥାନ ଉପଲବ୍ଧ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୨.୭୫ କୋଟି ଟଙ୍କା ରହିଛି । ଦଳରେ ୫ଜଣ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଗତ ବର୍ଷର ରନର୍ସ ଅପ୍‌ ପଞ୍ଜାବ କିଙ୍ଗ୍‌ସ ନିକଟରେ ୧୧.୫୦ କୋଟି ଟଙ୍କା ରହିଥିବାବେଳେ ଦଳରେ ୪ଟି ସ୍ଥାନ(୨ବିଦେଶୀ ଖେଳାଳି) ଖାଲି ରହିଛି । ରାଜସ୍ଥାନ ରୟାଲ୍ସ ନିକଟରେ ରହିଛି ୧୬.୦୫ କୋଟି ଟଙ୍କା । ଦଳରେ ଜଣେ ବିଦେଶୀଙ୍କୁ ମିଶାଇ ମୋଟ୍‌ ୯ଜଣ ଖେଳାଳିଙ୍କ ସ୍ଥାନ ଖାଲି ରହିଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରେ ୧୬.୪୦ କୋଟି ଟଙ୍କା ବଳକା ରହିଛି । ଦଳରେ ମୋଟ୍‌ ୮(୨ବିଦେଶୀ) ଜଣ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୨୫.୫୦ କୋଟି ଟଙ୍କା ଉପଲବ୍ଧ ରହିଛି । ଦଳରେ ୧୦ଜଣ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଏଥିରେ ୨ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଥାନ ଉପଲବ୍ଧ ରହିଛି ।

ଜଲାଜ ବୟୋଜ୍ୟେଷ୍ଠ, ୱାହିଦୁଲ୍ଲା କନିଷ୍ଠ

ଆଗାମୀ ଆଇପିଏଲ୍‌ ମିନି ନିଲାମ ପାଇଁ ପ୍ରକାଶ ପାଇଥିବା ଖେଳାଳି ତାଲିକାରେ ଭାରତର ଜଲାଜ ସକସେନା ବୟୋଜ୍ୟେଷ୍ଠେ ଓ ଆଫଗାନିସ୍ତାନର ୱାହିଦୁଲ୍ଲା ଜାଡ୍ରାନ କନିଷ୍ଠ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ୱାହିଦୁଲ୍ଲାଙ୍କ ବୟସ ୧୮ ବର୍ଷ । ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରହିଛି । ସେହିପରି ଭାରତର ଯୁବ ବ୍ୟାଟର ସାହିଲ ପ୍ରକାଶଙ୍କ ବୟସ ୧୮ ବର୍ଷ ଓ ବେସ୍‌ ପ୍ରାଇସ ୩୦ଲକ୍ଷ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଅଲ୍‌ରାଉଣ୍ଡର ଆର ଏସ ଆମ୍ବ୍ରିସ, ଶୁଭମ ରାଣା ଓ ୱିକେଟ୍‌ କିପର କାର୍ତ୍ତିକ ଶର୍ମାଙ୍କ ବୟସ ୧୯ ବର୍ଷ ରହିଛି । ବୟୋଜ୍ୟେଷ୍ଠ ଖେଳାଳି ତାଲିକାରେ ଆଗରେ ରହିଛନ୍ତି ଅଲ୍‌ରାଉଣ୍ଡର ଜଲାଜ । ବର୍ତ୍ତମାନ ତାଙ୍କ ବୟସ ୩୯ ବର୍ଷ । ତାଙ୍କ ବେସ ପ୍ରାଇସ ୪୦ ଲକ୍ଷ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ ବୋଲର ରିଚାର୍ଡ ଗ୍ଲିସନଙ୍କ ବୟସ ୩୮ ବର୍ଷ ଓ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରହିଛି । ଭାରତର ଭେଟେରାନ ପେସ୍‌ ବୋଲର ଉମେଶ ଯାଦବ ଓ ସ୍ପିନର କରଣ ଶର୍ମାଙ୍କ ବୟସ ୩୮ ବର୍ଷ ରହିଛି । ଉମେଶଙ୍କ ବେସ ପ୍ରାଇସ ଦେଢ କୋଟି ଓ କରଣଙ୍କ ବେସ ପ୍ରାଇସ ୫୦ ଲକ୍ଷ ରହିଛି ।