ଚେନ୍ନାଇ, ୧୧/୦୪: ଚଳିତ ଆଇପିଏଲ୍ ୧୮ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ପ୍ରଥମ ୩ଟି ମ୍ୟାଚ ହାରି ସାରିଥିବା ଚେନ୍ନାଇ ଏହି ମ୍ୟାଚ ଜରିଆରେ ଭାଗ୍ୟ ବଦଳାଇବାକୁ ପ୍ରୟାସ କରିବ । ୨ଟି ମ୍ୟାଚ ଜିତିବା ପରେ ତୃତୀୟ ମ୍ୟାଚରେ ମାତ୍ର ୧ ରନ୍ ପାଇଁ ପରାଜିତ ହୋଇଥିବା ଦିଲ୍ଲୀ ମଧ୍ୟ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ଆଜି ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସାମସନ ଏପର୍ଯ୍ୟନ୍ତ ଚେନ୍ନାଇ ପକ୍ଷରୁ ଆଖିଦୃଶିଆ ଖେଳ ପ୍ରଦର୍ଶନ କରିନାହାନ୍ତି । ତାଙ୍କ ପ୍ରଦର୍ଶନ ଚେନ୍ନାଇ ଫ୍ୟାନ୍ ମାନଙ୍କୁ ନିରାଶ କରିଛି । ତେଣୁ ବଡ଼ ଇନିଂସ ଖେଳି ଦଳକୁ ଜିତାଇବା ସହ ପ୍ରଶଂସକଙ୍କ ଭରସା ଜିତିବା ସାମସନଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେବ ।
ଅଧିନାୟକ ଋତୁରାଜ ଗାଏକୱାଡଙ୍କ ବ୍ୟାଟ୍ରୁ ମଧ୍ୟ ଉପଯୋଗୀ ଇନିଂସ ଆଶା କରାଯାଉଛି । ଡିୱାଲ୍ଡ ବ୍ରେଭିସ୍ ଫିଟ୍ ହୋଇ ପ୍ରତ୍ୟାବର୍ତ୍ତନ କରୁଥିବାରୁ ଦଳର ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । ତଥାପି ମହେନ୍ଦ୍ର ସିଂହ ଧୋନି ଫିଟ୍ ହୋଇ ନଥିବାରୁ ରଣନୀତିରେ ଚେନ୍ନାଇ ପଛରେ ପଡ଼ି ଯାଇଛି ।
ଦିଲ୍ଲୀ ଗତ ମ୍ୟାଚରେ ଗୁଜରାଟ ଠାରୁ ପରାଜିତ ହୋଇଥିଲେ ହେଁ ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରଖିଛି । ଓପନର କେଏଲ ରାହୁଲ ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତିକର ଖବର । ସେ ଉକ୍ତ ମ୍ୟାଚରେ ମାତ୍ର ୮ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳିବ । କାରଣ ଚେନ୍ନାଇ ବିପକ୍ଷରେ ଖେଳିଥିବା ଶେଷ ୬ଟି ମ୍ୟାଚରେ ସେ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ୪୦ ରନ୍ର ପାଳି ଖେଳିଛନ୍ତି ।
ଅଧିକ ପଢ଼ନ୍ତୁ :- ଆରସିବିର ପରାଜୟ ପରେ ବୈଭବଙ୍କ ତାରିଫ କଲେ ବିରାଟ କୋହଲି, ଦେଲେ ସ୍ପେଶାଲ ଗିଫ୍ଟ
ଚିପକ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ସ୍ପିନରମାନେ ଏଠାରେ ପିଚ୍ର ଫାଇଦା ଉଠାଇ ପାରିବେ । ଆଜି ବର୍ଷା ଆଶଙ୍କା ନଥିବାରୁ ପୂର୍ଣ୍ଣ ୨୦ଓଭର ମ୍ୟାଚ ଖେଳା ଯାଇପାରିବ । ରାତ୍ରିରେ କାକର ସମ୍ଭାବନା ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଚେନ୍ନାଇ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଆୟୂଷ ମାହତ୍ରେ, ଶିବମ ଦୁବେ, ଡିୱାଲ୍ଡ ବ୍ରେଭିସ, ସର୍ଫରାଜ ଖାନ, କାର୍ତ୍ତିକ ଶର୍ମା/ପ୍ରଶାନ୍ତ ବୀର, ଜାମି ଓଭରଟନ, ମାଟ୍ ହେନରୀ, ନୂର ଅହମ୍ମଦ, ଅଂଶୁଲ କାମ୍ବୋଜ, ଖଲିଲ ଅହମ୍ମଦ ।
ଦିଲ୍ଲୀ: ପଥୁମ ନିଶଙ୍କା, କେଏଲ ରାହୁଲ, ନୀତିଶ ରାଣା/ଆଶୁତୋଷ ଶର୍ମା, ସମୀର ରିଜଭୀ, ଡେଭିଡ୍ ମିଲର, ଅକ୍ଷର ପଟେଲ, ଟ୍ରିଷ୍ଟନ ଷ୍ଟବ୍ସ, ବିପ୍ରଜ ନିଗମ, କୁଲଦୀପ ଯାଦବ, ଲୁଙ୍ଗି ଏନଗିଡ଼ି, ଟି ନଟରାଜନ, ମୁକେଶ କୁମାର ।