ନୂଆଦିଲ୍ଲୀ,୦୪/୦୪; ଆଜି ସନ୍ଧ୍ୟାରେ ଗୁଜରାଟ ଦଳ ଘରୋଇ ଗ୍ରାଉଣ୍ଡ୍ରେ ରାଜସ୍ଥାନକୁ ଭେଟିବ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଗୁଜରାଟ ବିଜୟ ଖାତା ଖୋଲିବା ପାଇଁ ତତ୍ପର ଥିବାରୁ ଆଜି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ତଥାପି ରାଜସ୍ଥାନର ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ପାଇଁ ଦୁଃସ୍ୱପ୍ନ ସାଜିବେ । ଗତ ବର୍ଷ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଜରିଆରେ ୧୪ବର୍ଷିୟ ବୈଭବଙ୍କ ଆବିର୍ଭାବ ଘଟିଥିଲା । ସେ ଉକ୍ତ ମ୍ୟାଚରେ ୩୫ଟି ବଲ୍ରୁ ଶତକ ଅର୍ଜନ କରିଥିଲେ । ଏହା ପରଠୁ ବୈଭବ ସବୁ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଏଥର ଆଇପିଏଲ୍ରେ ମଧ୍ୟ ସେ ଗତ ଚେନ୍ନାଇ ବିପକ୍ଷ ମ୍ୟାଚରେ ୧୫ଟି ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
ଗୁଜରାଟ ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିଲା । ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଉକ୍ତ ମ୍ୟାଚରେ ବିଫଳ ହୋଇଥିଲେ । ଗତ ସିଜନରେ ଉଭୟଙ୍କ ଓପନିଂ ଭାଗିଦାରୀ ୯୧୨ ରନ ରହିଥିଲା । ଆଜି ଉଭୟ ଲୟକୁ ଫେରିବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ଆଜି ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ନିରାଶ କରିଥିବା କାଗିସୋ ରାବାଡ଼ାଙ୍କ ସ୍ଥାନରେ ଜାସନ ହୋଲ୍ଡର ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ଉପସ୍ଥିତି ବୋଲିଂ ସହିତ ଦଳର ବ୍ୟାଟିଂ ଶକ୍ତି ମଧ୍ୟ ବୃଦ୍ଧି କରିବ ।
ଏହା ବି ପଢନ୍ତୁ...ମୈଦାନରେ ବଡ଼ ଭୁଲ୍ କଲେ କ୍ୟାପ୍ଟେନ୍ ଶ୍ରେୟସ; ଦଣ୍ଡ ପାଇଲା ପଞ୍ଜାବ ଟିମ୍, ଜାଣନ୍ତୁ କଣ ମାମଲା ?
ରାଜସ୍ଥାନ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଦଳର ବୋଲିଂ ବିଭାଗ ନଜରରେ ରହିବ । ଚେନ୍ନାଇ ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା, ନାନ୍ଦ୍ରେ ବର୍ଗର ଓ ଜୋଫ୍ରା ଆର୍ଚର ଘାତକ ବୋଲିଂ କରିଥିଲେ । ଅହମ୍ମଦାବାଦର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଗତ ଆଇପିଏଲ୍ରେ ମୋଟ୍ ୧୧ଟି ଇନିଂସରେ ୨୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଥିଲା । ଏଥର ମଧ୍ୟ ବ୍ୟାଟରଙ୍କ ପାଇଁ ଭୁସ୍ୱର୍ଗ ପାଲିଟିବ ଅହମ୍ମଦାବାଦ ପିଚ୍ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ଦୁଇ ଦଳ ମଧ୍ୟରେ ମୋଟ୍ ୮ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ଗୁଜରାଟ ୬ଟି ଜିତିଥିବାବେଳେ ରାଜସ୍ଥାନ ୨ଟି ଜିତିଛି । ଶେଷ ୫ଟି ମ୍ୟାଚ ଦେଖିଲେ ଗୁଜରାଟ ୩ଟି ଏବଂ ରାଜସ୍ଥାନ ୨ଟି ଜିତିଛି । ରେକର୍ଡ ଦେଖିଲେ ଗୁଜରାଟ ପଲ୍ଲା ଭାରି ।
ସମ୍ଭାବ୍ୟ ଟିମ୍-
ରାଜସ୍ଥାନ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।
ଗୁଜରାଟ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ ଖାନ, କାଗିସୋ ରାବାଡା/ଜାସନ ହୋଲ୍ଡର, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅଶୋକ ଶର୍ମା ।