କୋଲକାତା, ୨୪/୦୫: ଚଳିତ ଆଇପିଏଲ୍‌ର ଅନ୍ତିମ ଲିଗ୍ ମ୍ୟାଚରେ କୋଲକାତା ଓ ଦିଲ୍ଲୀ ପରସ୍ପରକୁ ଭେଟିବେ । ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ପାଇଁ ଏବେ ବି ପ୍ଲେ-ଅଫ ସୁଯୋଗ ରହିଛି । ମାତ୍ର ଅପରାହ୍ଣରେ ଥିବା ରାଜସ୍ଥାନ-ମୁମ୍ବାଇ ମ୍ୟାଚର ଫଳାଫଳ ଉପରେ ସବୁ ନିର୍ଭର କରୁଛି । ମୁମ୍ବାଇ ବିପକ୍ଷରେ ରାଜସ୍ଥାନ ବିଜୟ ହାସଲ କଲେ । କୋଲକାତା ଓ ଦିଲ୍ଲୀ ଦଳର ଶେଷ ଆଶା ମଉଳି ଯିବ । ରାଜସ୍ଥାନ ପରାଜିତ ହେଲେ ଉଭୟ ଦଳ ବଡ଼ ବ୍ୟବଧାନରେ ଜିତି ରନ୍ ରେଟ୍ ବଡାଇବାକୁ ଚେଷ୍ଠା କରିବେ ।

ଗତ ୮ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । କୋଲକାତା ୩୪ଟି ବଲ୍ ବାକି ଥାଇ ୮ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ଆସନ୍ତା କାଲି ଦିଲ୍ଲୀ ଏହି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଉଭୟ ଦଳ ନିଜ ନିଜର ଶେଷ ୨ଟି ଲେଖାଏଁ ମ୍ୟାଚ ଜିତି ମନୋବଳ ବୃଦ୍ଧି କରିଥିବାରୁ ଆସନ୍ତା କାଲି ବିଜୟ ପାଇଁ ସବୁ ଶକ୍ତ ଖଟାଇବେ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ :-  IPL 2026: ଆଜି ରାଜସ୍ଥାନ - ମୁମ୍ବାଇ ମଧ୍ୟରେ ମୁକାବିଲ, ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ପାଣ୍ଡ୍ୟା ବାହିନୀର ରଣନୀତି

କୋଲକାତା ଦଳର ୱିକେଟ୍ କିପର ଅଙ୍ଗକ୍ରୀଶ ରଘୁବଂଶୀ ଆହତ ହୋଇ ବିଦାୟ ନେଇ ସାରିଛନ୍ତି। ଆଜି ତାଙ୍କ ସ୍ଥାନରେ ତେଜସ୍ୱୀ ଡାହିୟା ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଦିଲ୍ଲୀ ଦଳରେ ପରିବର୍ତ୍ତନ ହୋଇପାରେ । ଟି ବିଜୟଙ୍କ ସ୍ଥାନରେ ଆଜି ଆକିବ ନବି ପୁନର୍ବାର ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଫଳରେ ଆଜି ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇ ପାରନ୍ତି ।

ସମ୍ଭାବ୍ୟ ଦଳ

କୋଲକାତା : ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଫିନ ଆଲେନ, କାମେରନ ଗ୍ରୀନ, ରୋଭମାନ ପାୱେଲ୍, ମନୀଷ ପାଣ୍ଡେ, ରିଙ୍କୁ ସିଂହ, ତେଜସ୍ୱୀ ଡାହିୟା, ସୁନୀଲ ନାରାଏନ, ଅନୁକୂଳ ରୟ, ବରୁଣ ଚକ୍ରବର୍ତ୍ତୀ, ସୌରଭ ଦୁବେ, କାର୍ତ୍ତିକ ତ୍ୟାଗୀ ।

ଦିଲ୍ଲୀ: ଅଭିଷେକ ପୋରେଲ, କେଏଲ ରାହୁଲ, ସାହିଲ ପରଖ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ୍ ମିଲର, ଆଶୁତୋଷ ଶର୍ମା, ଅକ୍ଷର ପଟେଲ(ଅଧିନାୟକ), ମୁକେଶ କୁମାର, ମାଧବ ତିୱାରୀ, ଆକିବ ନବି, ମିଚେଲ ଷ୍ଟାର୍କ, ଲୁଙ୍ଗି ଏନଗିଡ଼ି ।