ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବର୍ତ୍ତମାନ ଜଣେ ନୂଆ ଷ୍ଟାର୍ ଖୁବ୍‌ ଚମକୁଛନ୍ତି, ଯାହାଙ୍କ ନାମ ବୈଭବ ସୂର୍ଯ୍ୟବଂଶୀ। ଏବେ ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା। ରାଜସ୍ଥାନ ରୟାଲ୍ସର ଧୂଆଁଧାର ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଆଇପିଏଲ ୨୦୨୬ ଅନେକ ରେକର୍ଡରେ ପୂରି ଯାଇଛି। ସେ ଗୋଟିଏ ପରେ ଗୋଟିଏ ଇଂନିସ ଖେଳିଛନ୍ତି। ହେଲେ, ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ମୁମ୍ୱାଇ ଇଣ୍ଡିଆନ୍ସ ବିରୋଧରେ ବିଶେଷ କିଛି ସେମିତି କରି ପାରି ନାହାନ୍ତି ଏବଂ ୬ଟି ବଲରେ ୪ରନ କରି ଆଉଟ୍ ହୋଇ ଥିଲେ।କିନ୍ତୁ ଏହି ଛୋଟ ଇନିଂସ ବେଳେ ସେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। ସେ ଏକ ଟି-୨୦ ଟୁର୍ଣ୍ଣାମେଣ୍ଟ କିମ୍ୱା ସିରିଜରେ ସବୁଠୁ ଅଧିକ ରନ୍ କରିବାର ଟିନ୍‌ଏଜର ଖେଳାଳି ହୋଇଛନ୍ତି।

ଉକ୍ତ ମ୍ୟାଚ୍‌ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ କେବଳ ଦୁଇ ରନର ଆବଶ୍ୟକ ଥିଲା। ମ୍ୟାଚର ଆରମ୍ଭରେ ସେ ପ୍ରଥମ ବଲରେ ଖାତା ଖୋଲିବା ସହ ୱିଲ୍‌ ଜ୍ୟାକ୍ସଙ୍କ ବଲରେ ଦ୍ୱିତୀୟ ରନ ନେଇ ଏହି ଉପଲବ୍ଧି ହାସଲ କରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଦେବଦତ୍ତ ପଡିକ୍କଲଙ୍କ ନାମରେ ଥିଲା , ଯିଏକି ୨୦୧୯/୨୦ ର ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ କର୍ଣ୍ଣାଟକ ପାଇଁ ୧୨ଟି ମ୍ୟାଚରେ ୫୮୦ ରନ କରି ଥିଲେ। ବୈଭବ ଏବେ ଏହି ତାଲିକାରେ ସବୁଠୁ ଉପରକୁ ଆସିଛନ୍ତି। ସେ ଏକମାତ୍ର ଟିନଏଜର ଖେଳାଳି , ଯିଏକି ଏକ ଟି-୨୦ ଟୁର୍ଣ୍ଣାମେଣ୍ଟ କିମ୍ୱା ସିରିଜରେ ୫୮୦ ରନର ସଂଖ୍ୟା ଅତିକ୍ରମ କରିଛନ୍ତି।

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍‌ ୨୦୨୬ରେ ୧୪ଟି ମ୍ୟାଚ୍‌ ଖେଳି ମୋଟ ୫୮୩ ରନ କରିଛନ୍ତି। ଏହି ସମୟରେ ତାଙ୍କର ବ୍ୟାଟରୁ ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କଥା ଏହା ଯେ, ବୈଭବ ସୂର୍ଯ୍ୟବଂଶୀ ଏହି ରନ୍ ୨୩୨.୨୭ର ଷ୍ଟ୍ରାଇକ୍‌ ରେଟରେ କରିଛନ୍ତି, ଯାହା ଏହି ସିଜନର ଟପ୍-୧୦ ବ୍ୟାଟ୍ସମ୍ୟନଙ୍କ ମଧ୍ୟରେ ସବୁଠୁ ଅଧିକା। ଏହାସହ ସେ ବର୍ତ୍ତମାନ ସିଜନରେ ରାଜସ୍ଥାନ ରୟାଲ୍ସ ପାଇଁ ସବୁଠୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ମଧ୍ୟ ।

ବିଶେଷ କଥା ଏହା ଯେ, ବୈଭବ ସୂର୍ଯ୍ୟବଂଶୀ ଏହି ସିଜନ ୫୦୦ ରୁ ଅଧିକ ରନ୍ ଚୌକା ଛକାରେ କରିଛନ୍ତି। ଏହି ସିଜନ ତାଙ୍କ ବ୍ୟାଟରୁ ୫୦ଟି ଚୌକା ଓ ୫୩ ଛକା ଦେଖିବାକୁ ମିଳିଛି। ଅର୍ଥାତ୍‌ ସେ ୫୮୩ରୁ ୫୧୮ରନ କେବଳ ଚୌକା ଛକାରୁ କରିଛନ୍ତି। ତାଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ବାଉଣ୍ଡ୍ରିରୁ ଏତେ ପରିମାଣର ରନ୍ କରି ପାରି ନାହାନ୍ତି। ସେ ଆଇପିଏଲର ଗୋଟିଏ ସିଜନରେ ସବୁଠୁ ଅଧିକ ଛକା ମାରିବାରେ ଦ୍ୱିତୀୟ ନମ୍ୱରରେ ରହିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : IPL ୨୦୨୬ରେ ୧୦ ବଡ଼ ରେକର୍ଡ଼, ବିରାଟ ଏବଂ ସୁନୀଲଙ୍କ ସମେତ କେତେକ ଭେଟରାନ ରଚିଲେ ଇତିହାସ