ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ସୂର୍ଯ୍ୟକୁମାର ଯାଦବ । ଏହି ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ହେବ ଘର ବାହୁଡ଼ା । ଏହାସହ ଅଧିନାୟକ ଦାୟିତ୍ବ ତୁଲାଇବେ ସ୍କାଏ । ଏମିତି ଏକ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପା । ତେବେ ସୂର୍ଯ୍ୟ କୋଲକାତା ଦଳର ଅଧିନାୟକ ପଦ ସମ୍ଭାଳିବେ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂର୍ଯ୍ୟ କୁମାରଙ୍କ କ୍ୟାରିୟର ଉତଥାପ-ପତନ ମଧ୍ୟରେ ଗତି କରୁଥିବାବେଳେ ଏକ ୟୁଟ୍ୟୁବ ଚ୍ୟାରେଲରେ ଇଣ୍ଟରଭିୟ୍ୟୁ ସମୟରେ ଉଥପ୍ପା କହିଥିଲେ କି, ଆଗକୁ ସୂର୍ଯ୍ୟଙ୍କୁ ନେଇ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ବର୍ତ୍ତମାନ ପରିସ୍ଥିତିକୁ ଯଦି ଦେଖିବା ତାହେଲେ ସୂର୍ଯ୍ୟ କୋଲକାତାକୁ ଯିବା ସମ୍ଭବ । କେକେଆରକୁ ଜଣେ ଅଭିଜ୍ଞ ଅଧିନାୟକଙ୍କ ଆବଶ୍ୟକତା ରହିଥିବାବେଳେ ସୂର୍ଯ୍ୟ ଏହା ପୂରଣ କରିବେ । ଏହାସହ ଉଥପ୍ପା କହିଛନ୍ତି ୨୦୨୭ ବିଶ୍ବକପ ପରେ ଗମ୍ଭୀରଙ୍କ କାର୍ଯ୍ୟକାଳ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟ ସରିବ । ଏହାପରେ ପୁଣି କୋଲକାତା ନାଇଟ ରାଇଡର୍ସ ସହ ଯୋଡ଼ି ହେବେ ଗମ୍ଭୀର । ଗମ୍ଭୀର କୋଚ ଭାବେ ଦାୟିତ୍ବ ତୁଲାଇବେ ଏବଂ ସୂର୍ଯ୍ୟଙ୍କୁ ଅଧିନାୟକ କରିବେ ।

ଉଥପ୍ପା କହିଛନ୍ତି କି, କେକେଆର ସହ ଗମ୍ଭୀରଙ୍କ ଦୀର୍ଘକାଳୀନ ସମ୍ପର୍କ ରହିଛି । ତାଙ୍କ ଅଧିନାୟକତ୍ବରେ ୨ଥର ଏବଂ ପରାମର୍ଶଦାତା ଥିବାବେଳେ ଦଳ ଟ୍ରଫି ହାତେଇଛି । ଏଣୁ ସେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ସରିବା ପରେ ନିଶ୍ଚିତ ଭାବେ କୋଲକାତା ସହ ଯୋଡ଼ିହେବେ । କୋଚ ନହେଲେ ମଧ୍ୟ ପରାମର୍ଶଦାତା ଭାବେ ଯୋଗଦେବେ । ୨୦୧୪-୨୦୧୭ ଗମ୍ଭୀରଙ୍କ ଅଧିନାୟକତ୍ବରେ ସୂର୍ଯ୍ୟ ଖେଳିଛନ୍ତି । ଏହାସହ କୋଲକାତାରେ ଥିବାବେଳେ ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଦାୟିତ୍ବ ତୁଲାଇଛନ୍ତି । ଏଣୁ ଗମ୍ଭୀରଙ୍କ ସହ କୋଲକାତାକୁ ଫେରିବେ ସୂର୍ଯ୍ୟ । ତେବେ ଏନେଇ ଉଭୟଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

ସେପଟେ କିଛିଦିନ ତଳେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଥିଲେ ସୂର୍ଯ୍ୟ । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଯଦିଓ ପରେ ସେ ପୁଣି ଫଲୋ କରିଥିଲେ ତଥାପି ମୁମ୍ବାଇ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏପଟେ ଟିମ୍ ଇଣ୍ଡିଆ ଟି-୨୦ ଅଧିନାୟକ ପଦରୁ ହଟିଛନ୍ତି ସୂର୍ଯ୍ୟ । ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତଥାପି ତାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ ଜିତିଥିଲା । କିନ୍ତୁ ଏବେ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ ।