ପୁରୀ,୧୬/୦୬: ରଥର ବାନ୍ଧେଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାର୍ଶ୍ବ କଇଁଚି ଛନ୍ଦାଯାଏ । ଦୁଇଟି ଲେଖାଏଁ କାଠକୁ ଛନ୍ଦା ଯାଇ ଚାରିନାହାକାରେ ପିଟାଗଲେ ତାହା କଇଁଚି ଭଳି ଦେଖାଯାଏ । କଇଁଚି ଲାଗିବା ଦ୍ୱାରା ରଥ ଆଉ ଝାଙ୍କି ନଥାଏ । ରଥ ଅଧିକ ମଜଭୁତ ହୋଇଥାଏ । ସୋମବାର ରଥରେ କଇଁଚି ଲଗାଯାଇଛି । ବିଶ୍ୱକର୍ମାଙ୍କୁ ଭୋଇ ସେବକ ଓ କମାର ସେବକମାନେ ରଥରେ କଇଁଚି ଲାଗିବାରେ ସାହାଯ୍ୟ କରିଛନ୍ତି ।

ରଥଖଳାରେ ପୋଟଳ ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଶ୍ୱକର୍ମା ମାପ ଅନୁଯାୟୀ ପଟା ପ୍ରସ୍ତୁତ କଲା ପରେ କମାର ସେବକଙ୍କ ଦ୍ୱାରା ତିଆରି ବାଗିଆ କଣ୍ଟା ଓ ଗୋଡ଼ିଛାଲ କଣ୍ଟା ବାଡ଼େଇ ପୋଟଳ ପ୍ରସ୍ତୁତ ହୋଇଛି । ଏଥିସହ ଗୟଳ ଉପରେ ତାଗ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତାଳଧ୍ୱଜ ରଥରେ କତରା ଲଗାଯାଇଛି । ସୌନ୍ଦର୍ଯ୍ୟକରଣ ପାଇଁ ରଥର ସମ୍ମୁଖ ଭାଗରେ ରଙ୍ଗ ଦିଆଯାଉଛି । ଚିତ୍ରକର ସେବକମାନେ ଶିଖରଡମ୍ବରୁ (ପାଶ୍ୱର୍ ଦେବତାଙ୍କ ଆସ୍ଥାନ), ଓଲଟ ଶୁଆ, ସଖୀ, ଦ୍ୱାରପାଳ ଆଦି ରଥାଂଶକୁ ପ୍ରସ୍ତୁତ କରୁଛନ୍ତି ।

ଅଧିକ ପଢ଼ନ୍ତୁ :-  Rath Khala Update: ରଥରେ ଉଠିଲା ବଡ଼ ପୋଟଳ, ଆଗକୁ ଲାଗିବ ‘ପାରାଭାଡ଼ି’

ରୂପକାର ସେବକମାନେ ରଥର ବିଭିନ୍ନ ଅଂଶ ଖୋଦେଇରେ ଓ ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ ଲୁହା ସାମଗ୍ରୀ ତିଆରିରେ ବ୍ୟସ୍ତ । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ।