ନୂଆଦିଲ୍ଲୀ: ସାଉଦି ଆରବର ଜେଦାରେ ଆଇପିଏଲ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ଚର୍ଚ୍ଚାକୁ ଆସିଥିଲେ ୧୩ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଅକ୍ସନ ଇତିହାସରେ ସବୁଠୁ କମ୍‌ ବୟସର ଖେଳାଳି ଭାବରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ହେଲେ ଆଇପିଏଲର କୋଟିପତି ପ୍ଲେୟାର ପାକିସ୍ତାନ ସାମ୍ନାରେ ଫ୍ଲଫ୍‌ ସାବ୍ୟସ୍ତ ହୋଇଛନ୍ତି । 

ଏବେ ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ । ଆଜି (ଶନିବାର) ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୯ ବଲ୍‌ ଖେଳି କେବଳ ୧ ରନ୍‌ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ବୈଭବ ଓପନିଂ କରିଥିଲେ । ତାଙ୍କ ସହ ଆୟୁଷ ମାତ୍ରେ ମଧ୍ୟ ପଡ଼ିଆକୁ ଓହ୍ଲାଇଥିଲେ । 

ରନ୍‌ ଚେଜ୍‌ କରୁଥିବା ଟିମ୍‌ ଇଣ୍ଡିଆ ପ୍ରଥମେ ଆୟୁଷଙ୍କ ଓ୍ବିକେଟ ହରାଇଥିଲା । ସେ ୧୪ ବଲ୍‌ ଖେଳି ୨୦ ରନ୍‌ କରିପାରିଥିଲେ । ଦ୍ବିତୀୟ ଓ୍ବିକେଟ ଭାବରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ବୈଭବଙ୍କ ଏହି ପ୍ରଦର୍ଶନ ରାଜସ୍ଥାନ ରୟାଲ୍ସ ପାଇଁ ଚିନ୍ତା ବଢ଼ାଇପାରେ । ସେପଟେ ଆଜିର ଏହି ମୁକାବିଲାରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପାକିସ୍ତାନ ଟିମ୍‌ ୭ ଓ୍ବିକେଟ ହରାଇ ୨୮୧ ରନ୍‌ କରିଥିବା ବେଳେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ ।