ଭୁବନେଶ୍ୱର,୦୭/୧୨: ବରିଷ୍ଠ  ଆଇପିଏସ୍‌ ଆଶିଷ କୁମାର ସିଂଙ୍କୁ  ଡେପୁଟେସନରେ ଇଣ୍ଡୋ-ତିକ୍ରତିଆନ ବର୍ଡର ପୁଲିସ (ଆଇଟିବିପି)କୁ ପଠାଯାଇଛି । ୨୦୦୪ ବ୍ୟାଚ୍‌ ଏହି  ଆଇପିଏସ୍‌ ଆଗାମୀ ୫ ବର୍ଷ ପାଇଁ ଆଇଜି ଭାବେ ଆଇଟିବିପିରେ କାର୍ଯ୍ୟ କରିବେ । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ  ବିଜ୍ଞପ୍ତି ଜାରି ହୋଇଛି । ଯଥାଶୀଘ୍ର ତାଙ୍କୁ ବର୍ତ୍ତମାନର କାର୍ଯ୍ୟରୁ ବିରତି ଦିଆଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟ  ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ସିଂ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଫିସର  ଅନ୍‌ ସ୍ପେଶାଲ ଡ୍ୟୁଟି (ଓଏସ୍‌ଡି) ଭାବେ  କାର୍ଯ୍ୟ କରୁଛନ୍ତି ।  

ସୂଚନାଯୋଗ୍ୟ, ଗତ ସାଧାରଣ  ନିର୍ବାଚନ ବେଳେ ଶ୍ରୀ ସିଂ ବିବାଦ ଘେରକୁ  ଆସିଥିଲେ । ନିର୍ବାଚନ ପରିଚାଳନାରେ  ସେ ବ୍ୟାପକ ଅନିୟମିତତା କରୁଥିବା  ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ  ଅଭିଯୋଗ ଆଣିଥିଲେ । ଗତ ମେ’  ୪ ତାରିଖରେ ଶ୍ରୀ ସିଂ ସ୍ୱାସ୍ଥ୍ୟଗତ  କାରଣ ଦର୍ଶାଇ ମାସକ ପାଇଁ ଛୁଟି  ନେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ  ନେଇ ସତ୍ୟାସତ୍ୟ ଜାଣିବାକୁ ମେ’ ୨୮  ତାରିଖରେ ଇସିଆଇଙ୍କ ପକ୍ଷରୁ ସ୍ୱାସ୍ଥ୍ୟ  ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ  ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର  ମେଡିକାଲ ବୋର୍ଡ ତାଙ୍କର ସ୍ୱାସ୍ଥ୍ୟ  ପରୀକ୍ଷା କରିଥିଲା । ତାଙ୍କ ସ୍ୱାସ୍ଥ୍ୟ  ଠିକ୍‌ଠାକ୍‌ ଥିବା ନେଇ ଉକ୍ତ ବୋର୍ଡ  ରିପୋର୍ଟ ଦେଇଥିଲା ।