ନୂଆଦିଲ୍ଲୀ: ହରିୟାଣାର ସେକ୍ଟର ୨୫ ସ୍ଥିତ ଶ୍ମଶାନରେ ଆଇପିଏସ (IPS)  ଓ୍ବାଇ ପୁରନ କୁମାରଙ୍କୁ ଆଜି (ବୁଧବାର) ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି । ହରିୟାଣା ପୋଲିସ ଗାର୍ଡ ଅଫ୍ ଅନର ପ୍ରଦାନ କରିଛି । ଓ୍ବାଇ.ପୁରନ କୁମାରଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ୨୦୦୧ ବ୍ୟାଚ୍ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଓ୍ବାଇ. ପୁରନ କୁମାରଙ୍କ ପରିବାର ଘଟଣାର ଅଷ୍ଟମ ଦିନରେ ପୋଷ୍ଟମର୍ଟମ ପାଇଁ ସମ୍ମତି ପ୍ରଦାନ କରିଥିଲେ। ପୁରନ କୁମାର ତାଙ୍କ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ।

ଆତ୍ମହତ୍ୟା ପୂର୍ବରୁ, ଆଇପିଏସ ଓ୍ବାଇ.ପୁରନ କୁମାର ୯ ପୃଷ୍ଠାର ଏକ ଆତ୍ମହତ୍ୟା ନୋଟ୍ ଛାଡିଯାଇଛନ୍ତି, ଯେଉଁଥିରେ ୧୫ ଜଣ ବର୍ତ୍ତମାନ ଏବଂ ପୂର୍ବତନ ଅଧିକାରୀଙ୍କ ନାମ ନେଇଛନ୍ତି ସେ । ଏଥିରେ ରାଜ୍ୟ ପୋଲିସର ଶୀର୍ଷ ଅଧିକାରୀଙ୍କ ବିରୁଦ୍ଧରେ ଜାତିଭେଦ ଏବଂ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି ସେ। ତେବେ ଏହି ଘଟଣାର ଏକ ନୂତନ ମୋଡ଼ ସେତେବେଳେ ଆସିଲା ଯେତେବେଳେ ହରିୟାଣା ପୋଲିସର ଜଣେ ସହାୟକ ସବ-ଇନ୍ସପେକ୍ଟରଙ୍କୁ ଗୁଳି ବାଜି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ୱର୍ଗତ ପୁରନ କୁମାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିଥିବା ଏକ ଆତ୍ମହତ୍ୟା ନୋଟ୍ ସହିତ ତାଙ୍କୁ ଉଦ୍ଧାର କରାଯାଇଥିଲା।

ପୂରଣ କୁମାରଙ୍କ ଆତ୍ମହତ୍ୟା ବିବାଦ ମଧ୍ୟରେ ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇବାର କିଛି ଘଣ୍ଟା ପରେ, ମଙ୍ଗଳବାର ଦିନ ଓମ ପ୍ରକାଶ ସିଂହଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। କୁମାରଙ୍କ ପରିବାର ତାଙ୍କୁ ହଇରାଣ କରିଥିବା ଅଭିଯୋଗରେ ତାଙ୍କ ଏବଂ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ମଧ୍ୟରେ ସରକାର କପୁରଙ୍କୁ ଛୁଟିରେ ପଠାଇ ଦେଇଥିଲେ।

ତେବେ ଏହାକୁ ଏକ ଦୁଃଖଦ ଏବଂ ସମ୍ବେଦନଶୀଳ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କୁ ପରିବାରକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ନିବେଦନ କରିଛନ୍ତି। ସେ ଜାତିଭିତ୍ତିକ ଭେଦଭାବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।