ନୂଆଦିଲ୍ଲୀ, ୧୪।୩: ପଶ୍ଚିମ ଏସିଆରେ ଦିନକୁ ଦିନ ଘନେଇବାରେ ଲାଗିଛି ଯୁଦ୍ଧର ବାଦଲ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଏହି ରକ୍ତାକ୍ତ ସଂଘର୍ଷ ଏବେ କେବଳ ସେହି ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହାର ପ୍ରଭାବ ଭାରତର କୂଟନୀତି ଉପରେ ସ୍ପଷ୍ଟ ଭାବେ ପଡ଼ିବାକୁ ଆରମ୍ଭ କଲାଣି । ବିଶେଷ କରି ଇରାନ ଏବେ ‘ବ୍ରିକ୍ସ’ (BRICS) ସଙ୍ଗଠନ ମାଧ୍ୟମରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି, ଯାହା ନୂଆଦିଲ୍ଲୀ ପାଇଁ ଏକ ବଡ଼ ଦ୍ୱିଧା ସୃଷ୍ଟି କରିଛି । ବର୍ତ୍ତମାନ ବ୍ରିକ୍ସର ଅଧ୍ୟକ୍ଷତା ଭାରତ ପାଖରେ ରହିଛି । ଏହି ସମୟରେ ଇରାନ ପକ୍ଷରୁ ଏକ ବଡ଼ ଦାବି ଉପସ୍ଥାପନ କରାଯାଇଛି । ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ କଥା ହେବା ସମୟରେ ବ୍ରିକ୍ସ ଦେଶଗୁଡ଼ିକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ଇରାନ ଚାହୁଁଛି ଯେ, ବ୍ରିକ୍ସ ପକ୍ଷରୁ ଇସ୍ରାଏଲ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଉ । ତେବେ ଭାରତ ପାଇଁ ଏହା ଏତେ ସହଜ ନୁହେଁ । କାରଣ ବ୍ରିକ୍ସରେ ଇରାନ ସହିତ ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଭଳି ଦେଶ ମଧ୍ୟ ସଦସ୍ୟ ଅଛନ୍ତି, ଯେଉଁମାନଙ୍କର ଆଞ୍ଚଳିକ ସ୍ୱାର୍ଥ ପରସ୍ପରଠାରୁ ଭିନ୍ନ । ଏଭଳି ସ୍ଥିତିରେ ସମସ୍ତଙ୍କୁ ସନ୍ତୁଷ୍ଟ କଲା ଭଳି ଏକ ସଂଯୁକ୍ତ ବୟାନ ଜାରି କରିବା ଭାରତ ପାଇଁ ଏକ ବଡ଼ ପରୀକ୍ଷା ପାଲଟିଛି ।
ଏହା ବି ପଢ଼ନ୍ତୁ... ବାଗଦାଦରେ ଆମେରିକୀୟ ଦୂତାବାସ ଉପରେ ଇରାନର ବଡ଼ ଆକ୍ରମଣ, ହୁ-ହୁ ହୋଇ ଜଳୁଛି ହେଲିପ୍ୟାଡ୍
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା:
ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ଟେଲିଫୋନ ଯୋଗେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ସଂଘର୍ଷ ଯୋଗୁଁ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଯିବା ଏବଂ ବାସଗୃହ ନଷ୍ଟ ହେବା ଅତ୍ୟନ୍ତ ଚିନ୍ତାଜନକ । ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ସମୁଦ୍ର ପଥରେ ଜାଳେଣି ଏବଂ ସାମଗ୍ରୀର ନିରନ୍ତର ପରିବହନକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯୁଦ୍ଧ କୌଣସି ସମାଧାନ ନୁହେଁ, ବରଂ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ହେବା ଉଚିତ ବୋଲି ମୋଦୀ ପୁନରାବୃତ୍ତି କରିଛନ୍ତି ।
ଜୟଶଙ୍କରଙ୍କ କୂଟନୈତିକ ତତ୍ପରତା:
ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗରେ ବେଶ ସକ୍ରିୟ ଅଛନ୍ତି । ସେ କେବଳ ଇରାନ ନୁହେଁ, ବରଂ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ପରାମର୍ଶ କରିଛନ୍ତି । ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ସନ୍ତୁଳିତ ଆଭିମୁଖ୍ୟ ପ୍ରସ୍ତୁତ କରିବା ପାଇଁ ଭାରତ ପ୍ରୟାସ କରୁଛି । ତେବେ ଶାଙ୍ଘାଇ ସହଯୋଗ ସଙ୍ଗଠନ (SCO) ପାଇଁ ଇରାନ ସପକ୍ଷରେ କହିବା ଯେତିକି ସହଜ ଥିଲା, ବ୍ରିକ୍ସ ପାଇଁ ତାହା ଅଧିକ ଜଟିଳ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ପଶ୍ଚିମ ଏସିଆର ଏହି ନିଆଁ କେଉଁ ରୂପ ନେଉଛି ଏବଂ ଭାରତ ନିଜର ବନ୍ଧୁ ରାଷ୍ଟ୍ର ଇସ୍ରାଏଲ ଏବଂ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଇରାନ ମଧ୍ୟରେ କିଭଳି ସନ୍ତୁଳନ ରକ୍ଷା କରୁଛି, ତାହା ଦେଖିବାକୁ ବାକି ରହିଲା ।