ତେହରାନ ୧୫/୦୩: ହୋର୍ମୁଜ ପ୍ରଣାଳୀକୁ ନେଇ ନୂଆ ଚାଲ୍ ଖେଳିଛି ଇରାନ । କହିଛି, ହୋର୍ମୁଜ ଦେଇ ଜାହାଜଗୁଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ । କିନ୍ତୁ ଏଥିପାଇଁ ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଚୀନ୍ ମୁଦ୍ରା ୟୁଆନ ଦ୍ୱାରା ତୈଳ କାରବାର କଲେ ହିଁ ଏଥିଲାଗି ଅନୁମତି ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି ।

ସୂତ୍ର ମୁତାବକ, ଯୁଦ୍ଧ ଚାଲିଥିବା ବେଳେ ତେହରାନ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ସାମୁଦ୍ରିକ କରିଡରର ପରିଚାଳନା ନିମନ୍ତେ ଏହା ଉଦ୍ଦିଷ୍ଟ । ତେବେ ଏହି ଯୋଜନା ପଛରେ ଚୀନ୍ର ହାତ ଥିବା ଅନୁମାନ କରାଯାଉଛି । କାରଣ ବିଶ୍ୱ ତୈଳ ବାଣିଜ୍ୟରେ ୟୁଆନ ବ୍ୟବହାର ଲାଗି ଚୀନ୍ ଅନେକ ବର୍ଷ ହେଲା ଚେଷ୍ଟା ଚଳାଇଛି । ଅଶୋଧିତ ତୈଳ କ୍ରୟ ନିମନ୍ତେ ଆମେରିକୀୟ ଡଲାର ପରିବର୍ତ୍ତେ ୟୁଆନ ଗ୍ରହଣ ଲାଗି ଏହା ସାଉଦି ଆରବକୁ ଅନୁରୋଧ କରିଆସୁଛି । କିନ୍ତୁ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ । ଅନ୍ତର୍ଜାତୀୟ ମୁଦ୍ରା ବଜାରରେ ଏବେ ବି ଆମେରିକୀୟ ଡଲାର ପ୍ରଭାବୀ ରହିଛି ।

ଅଧିକ ପଢ଼ନ୍ତୁ:-  ଇରାନର ନୂଆ କ୍ଷେପଣାସ୍ତ୍ର ‘୩୫୯’, ଆମେରିକାର ସମସ୍ତ ଡ୍ରୋନ୍ ପାଇଁ ସାଜିବ କାଳ

ବର୍ତ୍ତମାନ ତୈଳ ରପ୍ତାନିକାରୀ ଦେଶଗୁଡ଼ିକ ଉପରେ ସବୁ ନିର୍ଭର କରୁଛି । ଯଦି ସେମାନେ ଚୀନ୍ ମୁଦ୍ରା ସ୍ୱୀକାର କରନ୍ତି, ତେବେ ହୋର୍ମୁଜ ଜଳମାର୍ଗ ସ୍ୱାଭାବିକ ହୋଇପାରିବ । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନର ଏହି ଚାଲ୍ ଭଣ୍ଡୁର କରିଦେଇ ପାରନ୍ତି । କାରଣ ସେ କଦାପି ଏହା କରାଇ ଦେବେନାହିଁ । ଅନ୍ୟପକ୍ଷରେ ଟ୍ରମ୍ପ୍ ଇରାନକୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ହୋର୍ମୁଜକୁ ଯଦି ଇରାନ ଏହିଭଳି ଭାବେ ଅଟକାଇବା ଜାରି ରଖେ, ତେବେ ଏହାର ତୈଳ ଭଣ୍ଡାରଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ ହେବ ।