ନୂଆଦିଲ୍ଲୀ,୦୮/୦୩; ଇରାନ ସହ ଯୁଦ୍ଧରେ ଆମେରିକାକୁ ବଡ଼ କ୍ଷତି ହୋଇଛି । ଇରାନ ଆକ୍ରମଣରେ ଜୋର୍ଡାନର ମୁୱାଫାକ୍ ସଲ୍ଟି ଏୟାର ବେସ୍ରେ ଥିବା ଥାଡ୍ (ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ୍ ଏରିଆ ଡିଫେନ୍ସ ବା ଟିଏଚ୍ଏଏଡି)ର ରାଡାର ସିଷ୍ଟମ ଧ୍ୱଂସ ହୋଇଛି । ଏକ ଥାଡ୍ ସିଷ୍ଟମର ମୂଲ୍ୟ ୨୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଥାଡ୍ର ରାଡାର ସିଷ୍ଟମ୍ ମୂଲ୍ୟ ପ୍ରାୟ ୩୦୦ ମିଲିୟନ ଡଲାର ବା ପ୍ରାୟ ୨,୭୦୦ କୋଟି ଟଙ୍କା । ଏହା ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଡାର ସିଷ୍ଟମ । ଇରାନ ଏହାକୁ ଧ୍ୱଂସ କରିବା ଆମେରିକା ପାଇଁ ଏକ ବଡ଼ ଝଟକା । ଜଣେ ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଥାଡ୍ ମିସାଇଲ ଡିଫେନ୍ସ ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଏଏନ୍/ଟିପିୱାଇ-୨ ଟ୍ରାନ୍ସପୋର୍ଟେବଲ ରାଡାର । ଏହି ସିଷ୍ଟମ ବାଲିଷ୍ଟିକ ମିସାଇଲଗୁଡ଼ିକୁ ରୋକିବା ସହ ତାହାକୁ ନଷ୍ଟ କରିଥାଏ । ଥାଡ୍ ରାଡାର ସିଷ୍ଟମ ନଷ୍ଟ ହୋଇଥିବାର ସାଟେଲାଇଟ ଫୁଟେଜ ସାମ୍ନାକୁ ଆସିଛି । ଇରାନ ଆକ୍ରମଣରେ ଏହି ରାଡାର ଇନଷ୍ଟଲେସନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ଆମେରିକାର ଏହି ମିଲିଟାରୀ ବେସ୍ ଇରାନଠାରୁ ପ୍ରାୟ ୮୦୦ କିମି ଦୂରରେ ରହିଛି । ଆକ୍ରମଣ ପରେ ସେଠାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ତେଣୁ ଏକାଧିକ ମିସାଇଲରେ ଆକ୍ରମଣ ହୋଇଥିବା ଏଥିରୁ ଜଣାପଡ଼ୁଛି ।
ଏହା ବି ପଢନ୍ତୁ...ଥମୁନି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ; ବିସ୍ଫୋରଣରେ ଥରିଲା ନରୱେରେ ଥିବା ଆମେରିକା ଦୂତାବାସ, ଟାୱାର ଭୁଶୁଡି ଜଣେ ମୃତ
ଥାଡ୍ ସିଷ୍ଟମ କ’ଣ ? ଥାଡ୍ ବା ଟର୍ମିନାଲ ହାଇ ଅଲ୍ଟିଟ୍ୟୁଡ୍ ଏରିଆ ଡିଫେନ୍ସ ୟୁନିଟ୍ ମୁଖ୍ୟତଃ ଆକାଶରେ ବହୁ ଉଚ୍ଚରେ ବାଲିଷ୍ଟିକ ମିସାଇଲ ଖସାଇବା ଲାଗି ବ୍ୟବହାର ହୋଇଥାଏ । ଏହା କମ୍ ଦୂରତାର ପାଟ୍ରିଅଟ୍ ବ୍ୟାଟେରୀ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବିପଦ ସହ ଲଢ଼ି ପାରିଥାଏ । ଏହା ପାଟ୍ରିଅଟ୍ ସିଷ୍ଟମଠାରୁ ଅଧିକ ପ୍ରଭାବଶାଳୀ । ଥାଡ୍ରେ ଏଏନ୍/ଟିପିୱାଇ-୨ ରାଡାର କାମ ନ କଲେ ମିସାଇଲ ଇଣ୍ଟରସେପ୍ସନ କାମ ପାଟ୍ରିଅଟ ସିଷ୍ଟମ ଉପରକୁ ଆସିଯାଇଥାଏ । ଆମେରିକା ପାଖରେ ମାତ୍ର ୮ଟି ଥାଡ୍ ସିଷ୍ଟମ ରହିଛି । ଏହାର ବ୍ୟାଟେରୀ ଦାମ ପ୍ରାୟ ୧ ବିଲିୟନ ଡଲାର ଏବଂ ରାଡାର ମୂଲ୍ୟ ପ୍ରାୟ ୩୦୦ ନିୟୁତ ଡଲାର । ଗୋଟିଏ ଥାଡ୍ ସିଷ୍ଟମରେ ୬ ଲଞ୍ଚର ଟ୍ରକ୍ ଥାଏ । ପ୍ରତି ଲଞ୍ଚରରେ ୮ ଇଣ୍ଟରସେପ୍ଟର ମିସାଇଲ ରହିଥାଏ । ଏଥିରେ ମୋଟ ୪୮ ମିସାଇଲ ରହିପାରେ । ଏନ୍/ଟିପିୱାଇ-୨ ଏହାର ଶକ୍ତିଶାଳୀ ରାଡାର ।
ଆମେରିକା, ଦକ୍ଷିଣ କୋରିଆ, ୟୁଏଇ, ଇସ୍ରାଏଲ, ସାଉଦିଆରବ, ଗୁଆମ ଆଇଲାଣ୍ଡ୍ ସମେତ ଅସ୍ଥାୟୀ ଭାବେ କେତେକ ମଧ୍ୟପ୍ରାଚ୍ୟ ଦେଶରେ ଥାଡ୍ ସିଷ୍ଟମ ମୁତୟନ ହୋଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏକ ଥାଡ୍ ବ୍ୟାଟେରୀକୁ ୯୦ ସୈନିକ ମିଶି ଅପରେଟ୍ କରିଥାନ୍ତି । ଏହାର ରାଡାର ଦୀର୍ଘ ଦୂରତାର ଶକ୍ତିଶାଳୀ ରାଡାର । କିଛି ସେକେଣ୍ଡରେ ହିଁ ଥାଡ୍ ରେସ୍ପନ୍ସ ଦେଇଥାଏ । ଏଥିରେ ହିଟ୍ଟୁ-କିଲ୍ ଟେକ୍ନିକ୍ ରହିଛି । ଏଥିସହ ଶତ୍ରୁପକ୍ଷର ମିସାଇଲ ଏବଂ ଯୁଦ୍ଧବିମାନ ଉପରେ ନଜର ରଖିବା ଲାଗି ଏକ ଟିପିୱାଇ-୨ ରାଡାର ଏବଂ ଟାକ୍ଟିକାଲ ଫାୟାର କଣ୍ଟ୍ରୋଲ ୟୁନିଟ୍ ରହିଛି । ଅର୍ଥାତ ଏହା ଏକ ସମ୍ପୂର୍ଣ୍ଣ ସିଷ୍ଟମ, ଯେଉଁଥିରେ ଗୋଟିଏ ବି ଜିନିଷ ନଷ୍ଟ ହେଲେ ପୂରା ସିଷ୍ଟମ ଆପେ ଆପେ ବେକାର ହୋଇଯାଏ । ତେଣୁ ଥାଡ୍ ରାଡାର ଉପରେ ଆକ୍ରମଣ ଇରାନର ସବୁଠୁ ସଫଳ ଏବଂ ସଠିକ୍ ଆକ୍ରମଣ ବିବେଚନା କରାଯାଉଛି ।