ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଇରାନ୍‌ର ରାଷ୍ଟ୍ରପତି ମସୁଦ ପେଜେସ୍କିୟନ । ଟ୍ରମ୍ପ ନିର୍ବାଚିତ ହେବା ପରେ ଇରାନ୍‌ ପ୍ରତି ଯୁଦ୍ଧର ଭୟ ଥିବାରୁ ସେ ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଇରାନ୍‌ ଆଣବିକ ଯୁଦ୍ଧାସ୍ତ୍ରରେ କୌଣସି ରୁଚି ରଖେ ନାହିଁ, ତେଣୁ ଟ୍ରମ୍ପ ନିଶ୍ଚିତ ରୂପେ ଶାନ୍ତି ରକ୍ଷା କରିବେ, ଯୁଦ୍ଧ ନୁହେଁ । ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌କୁ ଫେରିବାର ସପ୍ତାହେ ପୂର୍ବରୁ ଇରାନ୍‌ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ସମଗ୍ର ବିଶ୍ବରେ ଚହଳ ପକାଇଛି । ଏନବିସି ନ୍ୟୁଜକୁ ସାକ୍ଷାତକାର ଦେଇ ପେଜେସ୍କିୟନ କହିଛନ୍ତି, ‘ମୋର ବିଶ୍ବାସ ରହିଛି ଏଠାରେ (ଇରାନ୍‌) ଏବଂ ସମଗ୍ର ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ଟ୍ରମ୍ପ କାର୍ଯ୍ୟ କରିବେ । ଏହାର ବିପରୀତରେ ଯାଇ ରକ୍ତାପାତ କିମ୍ବା ଯୁଦ୍ଧରେ ଯୋଗଦାନ ଦେବେ ନାହିଁ ।’ 

 ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ କହିଥିଲେ, ଇସ୍ରାଏଲ ଇରାନ୍‌ର ଆଣବିକ୍‌ ପରୀକ୍ଷାଗାର ଉପରେ ଆକ୍ରମଣ କରିପାରେ । ଏହା ପୂର୍ବରୁ ନଭେମ୍ବର ୨୦୨୪ରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍‌ ମଧ୍ୟ ଇରାନ୍‌ର ନ୍ୟୁକ୍ଲିୟର ପ୍ଳାଣ୍ଟ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ । ଇରାନ୍‌ ରାଷ୍ଟ୍ରପତି ପେଜେସ୍କିୟନ୍‌ ଆହୁରି କହିଛନ୍ତି, ‘ଆମ ଉପରେ କୌଣସି ପ୍ରକାର ଆକ୍ରମଣର ଜବାବ ଦେବୁ । ଆମେ ଯୁଦ୍ଧକୁ ଭୟ କରୁନାହୁଁ, କିନ୍ତୁ ଆମେ ଯୁଦ୍ଧ ଚାହୁଁନୁ ।’ ସୂଚନାଯୋଗ୍ୟ, ଆମେରିକାବର ବାରଣ ସତ୍ତ୍ବେ ଇରାନ୍‌ ନିଜର ଆଣବିକ ଶକ୍ତି ବୃଦ୍ଧି କରୁଥିବା ଚର୍ଚ୍ଚା ହେଉଛି । ଇସ୍ରାଏଲ ମଧ୍ୟ ଏନେଇ ଅନେକ ଥର ଦାବି କରିଛି । ସେପଟେ ତେହରାନ୍‌ ଏଭଳି ଦାବିର ସତ୍ୟତା ନଥିବା ନେଇ କହିଆସିଛି । 

୨୦୧୫ରେ ଇରାନ୍‌ ଏବଂ ଆମେରିକା ମଧ୍ୟରେ ହୋଇଥିବା ଆଣବିକ ବୁଝାମଣାକୁ ଟ୍ରମ୍ପଙ୍କ ନେତୃତ୍ବାଧୀନ ସରକାର ପ୍ରତ୍ୟାହାର କରିନେଇଥିଲେ।  ଏହି ବୁଝାମଣା ଇରାନ୍‌କୁ ପରମାଣୁ ଯୁଦ୍ଧାସ୍ତ୍ର ବିକଶିତ କରିବାକୁ ବିରତ ରଖିଥିଲା । ଏହା ପରେ ଇରାନ ନିଜର ୟୁରାନିୟମ କ୍ଷମତାକୁ ୬୦ ପ୍ରତିଶତ ବୃଦ୍ଧି କରିଛି।  ଏହାର ଅର୍ଥ ପରମାଣୁ ବେମା ତିଆରି କରିବା ଦିଗରେ ଦ୍ରୁତ ବେଗରେ ଅଗ୍ରସର ହେଉଛି ଇରାନ୍‌ । ଯାହାକୁ ନେଇ ଆମେରିକା ସମେତ ସମଗ୍ର ବିଶ୍ବରେ ଉଦବେଗ ପ୍ରକାଶ ପାଇଛି । ସେପଟେ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ପେଜେସ୍କିୟନ୍‌। ସେ କହିଛନ୍ତି, ଆମେ କୌଣସି ପ୍ରକାର ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରୁନାହୁଁ । ତଥାପି ଆମେ ପରମାଣୁ ବୋମା ତିଆରି କରୁଛୁ ବୋଲି ସେମାନେ ଅଭିଯୋଗ କରୁଛନ୍ତି ।