ନୂଆଦିଲ୍ଲୀ/ହାଇଦ୍ରାବାଦ, ୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଭାରତୀୟ ମାଟିରୁ ଇରାନ ଏହାର କଡ଼ା ଜବାବ ଦେଇଛି । ହାଇଦ୍ରାବାଦସ୍ଥିତ ଇରାନର ମହାବାଣିଜ୍ୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ 'ଏକ୍ସ'ରେ ଏକ ପୋଷ୍ଟ ଶେୟାର କରାଯାଇ ଟ୍ରମ୍ପଙ୍କ ଦାବିକୁ ଏକ "ଭଙ୍ଗା ସ୍ୱପ୍ନ" ବୋଲି ଆଖ୍ୟା ଦିଆଯାଇଛି । ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ' ରେ ଟ୍ରମ୍ପ ଲେଖିଛନ୍ତି: "ଇରାନ ନିଜର ସଂବର୍ଦ୍ଧିତ ୟୁରେନିୟମକୁ ତୁରନ୍ତ ଆମେରିକାକୁ ହସ୍ତାନ୍ତର କରୁ, ଯାହାଦ୍ୱାରା ଏହାକୁ ଫେରାଇ ଆଣି ନଷ୍ଟ କରାଯାଇପାରିବ । ଅଥବା ଇରାନର ଇସଲାମିକ ଗଣରାଜ୍ୟ ସହିତ ମିଶି ସେହି ସ୍ଥାନରେ ହିଁ ଏହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଆଯାଉ ।"
ହାଇଦ୍ରାବାଦରୁ ଇରାନର ପାଲଟା ପ୍ରହାର:
ଟ୍ରମ୍ପଙ୍କ ଏହି ବୟାନ ଉପରେ ଭାରତର ହାଇଦ୍ରାବାଦରେ ଥିବା ଇରାନ ଦୂତାବାସ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାକୁ ଆଇନା ଦେଖାଇଛି । ଇରାନ ପକ୍ଷରୁ କୁହାଯାଇଛି: "ଯଦି ଇରାନ ଆପଣଙ୍କୁ ୟୁରେନିୟମ ଦେବାକୁ ଚାହୁଁଥାନ୍ତା, ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହିଁ ଦେଇସାରନ୍ତାଣି । ଯଦି ଆପଣ ଯୁଦ୍ଧ ବଳରେ ଆମଠାରୁ ୟୁରେନିୟମ ଛଡ଼ାଇ ପାରୁଥାନ୍ତେ, ତେବେ ବହୁ ପୂର୍ବରୁ ଛଡ଼ାଇ ସାରନ୍ତେଣି । ଏବେ ଆପଣ କେବଳ ନିଜର ସ୍ୱପ୍ନକୁ ଦୋହରାଇ ପାରିବେ । ଏକ ବିଭ୍ରାନ୍ତ ଏବଂ ଯୁଦ୍ଧ ଅପରାଧୀ ବନ୍ଧୁ ଉପରେ ଭରସା କରିବାର ପରିଣାମ ଏୟା ହିଁ ହୋଇଥାଏ ।"
'ଆତ୍ମରକ୍ଷା' ଆଳରେ ଆମେରିକାର ପୁନର୍ବାର ଆକ୍ରମଣ:
ଏହି ବାକଯୁଦ୍ଧ ମଧ୍ୟରେ ଆମେରିକା ସେନା ପୁଣିଥରେ ଇରାନ ଉପରେ ସାମରିକ ଆକ୍ରମଣ କରିଛି । ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ CNN ର ରିପୋର୍ଟ ଅନୁଯାୟୀ, 'ହୋର୍ମୁଜ୍ ପ୍ରଣାଳୀ' ନିକଟରେ ଥିବା ଇରାନର ମିସାଇଲ୍ ଲଞ୍ଚିଂ ପ୍ୟାଡ୍ ଏବଂ ସାମରିକ ନୌକାଗୁଡ଼ିକୁ ଟାର୍ଗେଟ କରି ଆମେରିକା ଏହି ଆକ୍ରମଣ କରିଛି । ଆମେରିକା ଏହାକୁ ନିଜର "ଆତ୍ମରକ୍ଷା" ପାଇଁ କରାଯାଇଥିବା ପଦକ୍ଷେପ ବୋଲି କହିଛି । ଏହି ଆକ୍ରମଣ ଚାଲୁ ରହିଥିବା ଯୁଦ୍ଧବିରତି ପ୍ରକ୍ରିୟା ଉପରେ କି ପ୍ରଭାବ ପକାଇବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ, କତାରର ମଧ୍ୟସ୍ଥତା ଏବଂ ଆମେରିକାର ସମନ୍ୱୟରେ ଦୋହାଠାରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ପରମାଣୁ କାର୍ଯ୍ୟକ୍ରମ ଏବଂ କଟକଣା ହଟାଇବା ସମ୍ପର୍କିତ ଚୁକ୍ତିର ଭାଷାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଉପୁଜିଥିବାରୁ ଏହି ବୁଝାମଣା ଅଧାରେ ଅଟକି ରହିଛି ।
ଇରାନର ଅତ୍ୟଧିକ ସଂବର୍ଦ୍ଧିତ ୟୁରେନିୟମକୁ 'ଇସ୍ଫହାନ'ଠାରେ ରଖାଯାଇଛି, ଯାହାକି ଇରାନର ତିନୋଟି ପ୍ରମୁଖ ଭୂତଳ ପରମାଣୁ କେନ୍ଦ୍ର ମଧ୍ୟରୁ ଅନ୍ୟତମ । ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ର ମୁଖ୍ୟ ରାଫାଏଲ୍ ଗ୍ରୋସି ଗତ ବର୍ଷ ଅକ୍ଟୋବରରେ ଚେତାବନୀ ଦେଇଥିଲେ ଯେ, ଇରାନ ପାଖରେ ଥିବା ୟୁରେନିୟମକୁ ଯଦି ଆଉ ସାମାନ୍ୟ ସଂବର୍ଦ୍ଧିତ କରାଯାଏ, ତେବେ ସେଥିରୁ ଅତିକମରେ ୧୦ଟି ପରମାଣୁ ବୋମା ପ୍ରସ୍ତୁତ କରାଯାଇପାରିବ । ତେବେ ଇରାନ ଏହି ଦାବିକୁ ସଦାସର୍ବଦା ପ୍ରତ୍ୟାଖ୍ୟାନ କରିଆସିଛି । ଇରାନର କହିବା କଥା ଯେ ତାର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ । ସେହିପରି IAEA ମଧ୍ୟ ଏପର୍ଯ୍ୟନ୍ତ ଇରାନ ପାଖରେ କୌଣସି ସକ୍ରିୟ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟକ୍ରମର ସ୍ପଷ୍ଟ ପ୍ରମାଣ ପାଇନାହିଁ ।
ଆହୁରି ପଢ଼ନ୍ତୁ... US-Israel Plan: ଅଲ୍-ଆକ୍ସା ମସଜିଦ୍କୁ ୩ ଧର୍ମର ମିଳନସ୍ଥଳ କରିବାକୁ ପ୍ରସ୍ତୁତି, ସାମ୍ନାକୁ ଆସିଲା ଆମେରିକା-ଇସ୍ରାଏଲ୍ର ଗୁପ୍ତ ପ୍ଲାନ୍ !