ନୂଆଦିଲ୍ଲୀ,୨୨।୩:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ କର୍ପସ (ଆଇଆରଜିସି) ପକ୍ଷରୁ କଡା ଚେତାବନୀ। ରବିବାର ଆଇଆରଜିସି ଏକ ବୟାନ ଜାରି କରିଛି ଯେ,ଯଦି ଟ୍ରମ୍ପ ଇରାନୀ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରନ୍ତି,ତେବେ ହୋର୍ମୁଜକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯିବ। ସେ ପର୍ଯ୍ୟନ୍ତ ଖୋଲା ଯିବନି ଯେଉଁ ଯାଏଁ ପ୍ରଭାବିତ ସ୍ଥାନ ପୁଣିଥରେ ତିଆରି ନହୋଇଛି।ଏହି ବୟାନ ଟ୍ରମ୍ପଙ୍କ ସେହି ଧମକ ପରେ ଆସିଛି, ଯେଉଁଥିରେ ସେ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଥିଲେ, ଯଦି ଇରାନ ୪୮ ଘଣ୍ଟା ଭିତରେ ହୋର୍ମୁଜ ନଖୋଲୋତେବେ ଇରାନର ଶକ୍ତି ଭିତ୍ତିଭୂମିକୁ ନଷ୍ଟ କରିଦେବୁ।
ଟ୍ରମ୍ପଙ୍କ ଏହି ଚେତାବନୀ ମଧ୍ୟ ପୂର୍ବରେ ଚାଲିଥିବା ଯୁଦ୍ଧର ଚତୁର୍ଥ ସପ୍ତାହ ପରେ ଆସିଛି। ଇରାନ ହୋର୍ମୁଜକୁ ପ୍ରଭାବୀ ଭାବରେ ବନ୍ଦ କରି ବିଶ୍ବ ତୈଳ ଯୋଗାଣକୁ ପ୍ରଭାବିତ କରିଛି। ଟ୍ରମ୍ପ ଧମକ ପରେ ଇରାନ ଏହାର କଡା ଜବାବ ଦେଇଛି। IRGC କହିଛି ଯେ ଯେଉଁ କମ୍ପାନୀଗୁଡ଼ିକରେ ଆମେରିକାର ଅଂଶଧନ ଅଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ। ଆମେରିକୀୟ ଏବଂ ଇସ୍ରାଏଲୀ ଶକ୍ତି ଭିତ୍ତିଭୂମି ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରିବ, ଯେଉଁଥିରେ ସବୁଠାରୁ ବଡ଼ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ସାମିଲ ଅଛି। ଏହା ଶକ୍ତି ଯୁଦ୍ଧର ସମ୍ଭାବନାକୁ ବୃଦ୍ଧି କରୁଛି।
ଉଲ୍ଲେଖନୀୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ୨୩ ଦିନରେ ପହଞ୍ଚିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଉଭୟ ପଟୁ ଜୋରଦାର ଆକ୍ରମଣ ଜାରି ରହିଛି । ସମସ୍ତେ ଭାବୁଥିଲେ ଖାମିନେଇଙ୍କ ମୃତ୍ୟୁ ପରେ ଇରାନ ହାର୍ ମାନିଯିବ କିନ୍ତୁ ତାହା ହୋଇ ନାହିଁ । ଆହୁରି ହିଂସ୍ର ହୋଇଉଠିଛି ଇରାନ୍ । ସାଉଦି ଆରବ, ୟୁଏଇକୁ ଟାର୍ଗେଟ କରି ଘନଘନ ମିସାଇଲ ଓ ଡ୍ରୋନ ମାଡ଼ କରୁଛି ଇରାନ ।