ନୂଆଦିଲ୍ଲୀ,୨୨।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି) ଦୁଇଟି ଜାହାଜ ଉପରେ ଆକ୍ରମଣ କରି ତାକୁ ଜବତ କରିଛି। ଏହି ଜାହାଜକୁ ଜବତ କରି ଇରାନ ନେଇଯାଇଛି ଆଇଆରଜିସି। ଏଥିରୁ ଏକ ଜାହାଜ ମଧ୍ୟ ଭାରତ ଆସୁଥିଲା। ରିପୋର୍ଟ ଅନୁସାରେ, ଏହି ଜାହାଜର ଚିହ୍ନଟ ଏମଏସସି ଫ୍ରାନ୍ସେସ୍କା ଏବଂ ଏପାମିନୋଡେସ୍ ଭାବରେ କରାଯାଇଛି। ଜାହାଜର ମାଲିକଙ୍କ ସହଙ୍କ ସହ ଯୋଗାଯୋଗ କରାଯାଉଛି। ତା ଭିତରୁ ଗୋଟିଏ ଜାହାଜ ଏପାମିନୋଡେସ୍ ଦୁବାଇ ବାଟ ଦେଇ ଗୁଜରାଟର ମୁନ୍ଦ୍ରା ପୋର୍ଟକୁ ଆସୁଥିଲା। ଏମଏସସି ଫ୍ରାନ୍ସେସ୍କାରେ ପାନାମାର ପତାକା ଲାଗିଥିବା ବେଳେ ଏପାମିନୋଡେସ୍ ଲାଇବେରିର ପତାକା ଲଗାହୋଇଥିଲା।

ଜାହାଜ ଟ୍ରାକିଂ ଡାଟା ଅନୁଯାୟୀ, ଇରାନ ଦ୍ୱାରା ଜବତ କରାଯାଇଥିବା ଜାହାଜ, ଏପାମିନୋଡେସ୍, ଗୁଜୁରାଟର ମୁନ୍ଦ୍ରା ବନ୍ଦରକୁ ଯାଉଥିଲା। ଦୁବାଇରୁ ଯାତ୍ରା ଆରମ୍ଭ କରି ଭାରତ ଅଭିମୁଖେ ଯାଉଥିବା ଏହି ଜାହାଜକୁ ଆଇଆରଜିସି ଆକ୍ରମଣ କରି ଜବତ କରିଥିଲା। ଭାରତୀୟ ବନ୍ଦର ଅଭିମୁଖେ ଯାଉଥିବା ଏହି ଜାହାଜକୁ ଜବତ କରିବା ଦ୍ବାରା ସାମୁଦ୍ରିକ ସୁରକ୍ଷା ଏବଂ ସପ୍ଳାଇ ଚେନ୍‌କୁ ନେଇ ଭାରତର ଚିନ୍ତା ସୃଷ୍ଟି କରିଛି।

ଇରାନୀ ନୌସେନା ଏକ ବିବୃତ୍ତି ଜାରି କରିଛି। କହିଛି ଯେ ଦୁଇଟି ଜାହାଜ, ଏମଏସସି ଫ୍ରାନ୍ସେସ୍କା ଏବଂ ଏପାମିନୋଡେସ୍ ଆବଶ୍ୟକୀୟ ଅନୁମତି ବିନା ଅପରେଟ୍ କରୁଥିଲେ। ସେମାନେ ନାଭିଗେସନ୍ ସିଷ୍ଟମରେ ହେରଫେର କରିଥିଲେ, ଯାହା ସାମୁଦ୍ରିକ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଥିଲା। ତାକୁ ଆଇଆରଜିସି ନୌସେନା ଦ୍ୱାରା ଜବତ କରାଯାଇଥିଲା ଏବଂ ଇରାନୀ ଉପକୂଳକୁ ନିଆଯାଇଛି। ଉଭୟ ଜାହାଜ ବର୍ତ୍ତମାନ ଇରାନୀ କ୍ଷେତ୍ରୀୟ ଜଳସୀମାରେ ଅଛି, ଯେଉଁଠାରେ ସେମାନଙ୍କର ମାଲ, ଡକ୍ୟୁମେଣ୍ଟ ଏବଂ ସମ୍ପର୍କିତ ରେକର୍ଡ ଯାଞ୍ଚ କରାଯାଉଛି।

ଏହା ପୂର୍ବରୁ, ଇରାନର ହର୍ମୁଜ୍ ଜଳସୀମା ନିକଟରେ ତିନୋଟି ଜାହାଜ ଉପରେ ପ୍ରବଳ ଗୁଳିମାଡ କରାଯାଇଥିଲା। ତିନୋଟି ମାଲବାହୀ ଜାହାଜକୁ ଟାର୍ଗେଟ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଆଇଆରଜିସି ସହିତ ଜଡିତ ଏକ ଗନ୍ ବୋଟ୍ ହଠାତ୍ ଗୁଳିଚାଳନା କରିଥିଲା। ଆଶ୍ଚର୍ଯ୍ୟର କଥା, ଜାହାଜଗୁଡ଼ିକର ପରିବହନ ଅନୁମତି ଥିଲା, କିନ୍ତୁ ଆକ୍ରମଣକାରୀମାନେ ଗୁଳିଚାଳନା କରିବା ପୂର୍ବରୁ କୌଣସି ରେଡିଓ ଯୋଗାଯୋଗ କିମ୍ବା ଚେତାବନୀ ଦେଇ ନଥିଲେ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନ ଯାତ୍ରାକୁ ସ୍ଥଗିତ କରିଦେଇଛନ୍ତି। ଟ୍ରମ୍ପ ଆମେରିକା ଓ ଇରାନର ଅସ୍ତ୍ରବିରତିକୁ ଦୁଇ ସପ୍ତାହ ପାଇଁ ବଢାଇ ଦେଇଥିଲେ। ଏହି ଘଟଣାକ୍ରମ ଓ୍ବେଷ୍ଟ ଏସିଆରେ ବିବାଦକୁ ଦର୍ଶାଉଛି।