ନୂଆଦିଲ୍ଲୀ,୧୪।୩: ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ୧୪ଦିନ ଧରି ଯୁଦ୍ଧ ଜାରି ରହିଛି। ଏହା ଭିତରେ ସାରା ଦୁନିଆରେ ଦେଖାଯାଇଛି ଶକ୍ତି ସଙ୍କଟ। ଏସବୁ ଭିତରେ ଆମେରିକାକୁ ଏବେ ଇରାନ ଦେଇଛି ଧମକ। ସେ କହିଛି ଏଥର ଆମେରିକାର ‘ତୈଳ ଭଣ୍ଡାର’ ଉପରେ ଆକ୍ରମଣ କରି ପାଉଁଶ କରିଦେବୁ। ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କହିଛନ୍ତି, ଯଦି ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଜାହାଜର ସୁରକ୍ଷିତ ଗତିବିଧି ବାଧାପ୍ରାପ୍ତ ହେଲେ ଇରାନର ସର୍ବବୃହତ ତୈଳ ରପ୍ତାନି କେନ୍ଦ୍ର ‘ଖାର୍ଗ ଦ୍ୱୀପ’କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବୁ। ଏହି ଯୁଦ୍ଧ ବିଶ୍ୱ ତୈଳ ବଜାରକୁ ଦୋହଲାଇ ଦେଇଛି, ଯାହା ଫଳରେ ଅଶୋଧିତ ତୈଳ ମୂଲ୍ୟ ୪୦% ରୁ ଅଧିକ ବୃଦ୍ଧି ପାଇଛି।
୨୮ ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରଥମ ଦିନ ହିଁ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଆମେରିକା-ଇସ୍ରାଏଲ ଇରାନରେ ୧୫,୦୦୦ରୁ ଅଧିକ ଆଡ୍ଡା ଉପରେ ଆକ୍ରମଣ କରିସାରିଛି। ଇସ୍ରାଏଲ ଏକାକୀ ୭୬୦୦ ଆକ୍ରମଣ କରିଛି, ଯେଉଁଥିରେ ଅଧିକାଂଶଇରାନ ମିସାଇଲ କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛି।
ଇରାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ୧୨୦୦ରୁ ଅଧିକ ଲୋକ ମୃତ୍ୟୁ ହୋଇଛନ୍ତି। ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁସାରେ,୩୨ଲକ୍ଷ ଲୋକ ଦେଶ ଭିତରେ ବିସ୍ଥ ହୋଇସାରିଛନ୍ତି। ଇରାନ ପାଲଟା ଆକ୍ରମଣରେ ଅତି କମ୍ରେ ୧୦ ଦେଶ ଉପରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରାଯାଇଛି।