ନୂଆଦିଲ୍ଲୀ, ୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ବୟାନ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଇରାନ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଟ୍ରମ୍ପ ନିଜର ପରବର୍ତ୍ତୀ ରଣନୀତି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକାର ପ୍ରଥମ ପ୍ରାଥମିକତା ହେଉଛି ଇରାନ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବା, କିନ୍ତୁ ଏହା ପରେ ଆମେରିକାର ନଜର 'କ୍ୟୁବା' ଉପରେ ରହିବ ।

ଇରାନ ପରେ କ୍ୟୁବା ପାଳି !

ହ୍ୱାଇଟ୍ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଟ୍ରମ୍ପ କହିଛନ୍ତି, "ଆମେ ପ୍ରଥମେ ଏହି ଯୁଦ୍ଧକୁ ଶେଷ କରିବାକୁ ଚାହୁଁ । କିନ୍ତୁ, ଇରାନ ପରେ ଆମେରିକାର ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ହେବ କ୍ୟୁବା ।" କ୍ୟୁବା ସହିତ ଏକ ନୂତନ ବୁଝାମଣା ପାଇଁ ଆମେରିକା ପ୍ରସ୍ତୁତ ହେଉଥିବା ସେ ସଙ୍କେତ ଦେଇଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନର ସାମରିକ ଶକ୍ତିକୁ ମୂଳପୋଛ କରିଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ମାତ୍ର ୩ ଦିନ ମଧ୍ୟରେ ଇରାନର ୨୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇଛି । ଇରାନର ବାୟୁସେନା ଏବଂ ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ନିଜର ସାମରିକ ଶକ୍ତି ହରାଇବା ପରେ ଏବେ ଇରାନ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁଛି ।

ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଆଇର ବଡ଼ ଭୂମିକା, ମୃତ୍ୟୁ ନିଷ୍ପତ୍ତି ନେବ ମେସିନ୍ !

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନର ନେତାମାନେ ଏବେ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାକୁ ସନ୍ଦେଶ ପଠାଉଛନ୍ତି । କିନ୍ତୁ, ଆମେରିକା ଏବେ ବି ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛି । ଯଦି ଇରାନ ସଂଘର୍ଷ ଜାରି ରଖେ, ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଯୁଦ୍ଧ ସତ୍ତ୍ୱେ ବିଶ୍ୱ ବଜାରରେ ତୈଳ ଦର ସ୍ଥିର ରହିଥିବାରୁ ଟ୍ରମ୍ପ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଇରାନ ପରେ କ୍ୟୁବାକୁ ନେଇ ଆମେରିକାର କି ପଦକ୍ଷେପ ରହିବ, ତାହା ଉପରେ ଏବେ ସାରା ବିଶ୍ୱର ନଜର ।