ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ସମାଧାନ କରିବାକୁ ଚାହୁଁଛି ଇରାନ୍‌, ମଧ୍ୟସ୍ଥତା ପାଇଁ ଦେଲା ପ୍ରସ୍ତାବ

Published By : Tapas Panda | April 25, 2025 10:28 PM

Image Courtesy: hindustantimes

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ଉତ୍ତେଜନା ଚରମରେ ପହଞ୍ଚିଛି । ସାରା ବିଶ୍ବର ନଜର ଏବେ ଭାରତ ଓ ପାକିସ୍ତାନର ପଦକ୍ଷେପ ଉପରେ ରହିଛି । ଯଥା ସମ୍ଭବ ସଞ୍ଜମତା ରକ୍ଷା କରିବାକୁ ଜାତି ସଂଘ ସାଧାରଣ ସମ୍ପାଦକ ଆଣ୍ଟୋନିଆ ଗୁଟେରେସ ଉଭୟ ଦେଶକୁ ପରାମର୍ଶ ଦେଇଛନ୍ତି । ଆମେରିକା କିନ୍ତୁ ଭାରତକୁ ପୂର୍ଣ୍ଣ ସମର୍ଥନ କରିଛି। ଆତଙ୍କବାଦୀଙ୍କୁ ଖୋଜି ବାହାର କରିବାକୁ ଆମେରିକା ଭାରତକୁ ସହଯୋଗ କରିବ ବୋଲି ଏହାର ଗୁଇନ୍ଦା ଏଜେନ୍ସି ମୁଖ୍ୟ ତୁଲସୀ ଗବାର୍ଡ ଘୋଷଣା କରିଛନ୍ତି। 

ଏହାରି ଭିତରେ ଯୁଦ୍ଧ ଆଶଙ୍କାକୁ ଦେଖି ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଇରାନ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଦୂର କରିବାକୁ ଇରାନ ମଧ୍ୟସ୍ଥତା କରିବାକୁ ରାଜି ଅଛି ବୋଲି କହିଛି। ଏନେଇ ଶୁକ୍ରବାର ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରଘଚି ଶାନ୍ତି ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇଛନ୍ତି। ଭାରତ ଏବଂ ପାକିସ୍ତାନକୁ ଭଲ ପଡ଼ୋଶୀ ବୋଲି କହିବା ସହିଦ ଦୁଇ ଦେଶକୁ ତେହେରାନ ସର୍ବୋଚ୍ଚ ପ୍ରାଥମିକତା ଦିଏ ବୋଲି କହିଛନ୍ତି ।

ଏନେଇ ଆରଘଚି ଟ୍ୱିଟ୍‌ କରି ଲେଖିଛନ୍ତି, ‘ଭାରତ ଏବଂ ପାକିସ୍ତାନ ଇରାନର ପଡ଼ୋଶୀ ଭଳି, ଆମମାନଙ୍କ ମଧ୍ୟରେ ଶତାଧିକ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି। ଅନ୍ୟ ପଡ଼ୋଶୀମାନଙ୍କ ପରି, ଆମେ ସେମାନଙ୍କୁ ଆମର ସର୍ବୋପରି ପ୍ରାଥମିକତା ବୋଲି ମାନୁ। ତେଣୁ ତେହେରାନ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବୁଝାମଣା କରାଇବା ପାଇଁ ପ୍ରସ୍ତୁତ ଅଛି।’ ଏହାପରେ ଆରଘଚି ପାରସ୍ୟ କବି ସାଦିଙ୍କର କିଛି କୋଟକୁ ଉଦ୍ଧୃତ କରିଛନ୍ତି । ଯେଉଁଥିରେ ସେ ମାନବୀୟ ସଂଯୋଗ, ସହାନୁଭୂତି, ସଂହତି ଏବଂ କରୁଣାର ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ।

ପାକିସ୍ତାନରୁ ପରିଚାଳିତ ଲସ୍କର-ଏ-ତୋଇବା (LeT)ର ଏକ ଶାଖା ବୋଲି କୁହାଯାଉଥିବା "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ"ର ଆତଙ୍କବାଦୀମାନେ ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ସେମାନଙ୍କୁ ଧର୍ମ ପଚରାଯାଇ ଗୁଳି କରାଯାଇଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଯାହାକୁ ନେଇ ଉଭୟ ଦେଶ ପରସ୍ପର ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.