ନୂଆଦିଲ୍ଲୀ,୧୦।୧୧: ଇରାକର ବିବାହ ଆଇନରେ ଆଇନଗତ ସଂଶୋଧନ ପାସ୍ କରିବାର ପ୍ରସ୍ତୁତି କରାଯାଉଛି। ଏହି ଆଇନ ପୁରୁଷଙ୍କୁ ୯ ବର୍ଷର ଝିଅଙ୍କୁ ବିବାହ କରିବାକୁ ଅନୁମତି ଦେଉଛି। ‘ଦ ଟେଲିଗ୍ରାଫ୍’ର ରିପୋର୍ଟ ଅନୁସାରେ, ମହିଳାଙ୍କୁ ତଲାକ, ପିଲାଙ୍କ କଷ୍ଟଡି ଓ ଐତିହର ଅଧିକାରରୁ ବଞ୍ଚିତ କରିବା ପାଇଁ ମଧ୍ୟ ସଂଶୋଧନ ପ୍ରସ୍ତାବିତ କରାଯାଇଛି। ଏହି ବିଲ୍ ନାଗରିକଙ୍କୁ ପାରିବାରିକ ମାମଲା ଉପରେ ନିଷ୍ପତ୍ତି ନେବା ପାଇଁ ଧାର୍ମିକ ଅଧିକାର କିମ୍ବା ନାଗରିକ ନ୍ୟାୟପାଳିକାରେ କୌଣସି ଗୋଟିଏକୁ ଚୟନ କରିବାର ଅନୁମତି ମଧ୍ୟ ଦେବ।
ଶିୟା ଦଳର ମେଣ୍ଟର ନେତୃତ୍ବ ଥିବା ରୁଢିବାଦୀ ସରକାରର ଲକ୍ଷ୍ୟ ଝିଅଙ୍କୁ ଅନୈତିକ ସମ୍ପର୍କରୁ ରକ୍ଷା କରିବାର ଚେଷ୍ଟାରେ ପ୍ରସ୍ତାବିତ ସଂଶୋଧନକୁ ପାସ୍ କରିବା। ଆଇନରେ ଦ୍ବିତୀୟ ସଂଶୋଧନ ୧୬ ସେପ୍ଟେମ୍ବରରେ ପାସ୍ କରାଯାଇଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ, ୧୯୫୯ ରେ ଯେତେବେଳେ ଏହି ଆଇନ ୧୮୮ର ନାଁ ଦିଆଯାଇଥିଲା, ଏହାକୁ ପଶ୍ଚିମ ଏସିଆର ସବୁଠାରୁ ପ୍ରଗତିଶୀଳ ଆଇନ ଭିତରୁ ଗୋଟିଏ ମନେକରାଯାଉଥିଲା। ଇରାକର ମେଣ୍ଟ ସରକାର କହିଛି ପ୍ରସ୍ତାବିତ ସଂଶୋଧନ ଇସ୍ଲାମୀ ଶରିୟା ଆଇନର ଶକ୍ତ ବାଖ୍ୟାର ଅନୁରୂପ। ଏହାର ଉଦ୍ଦେଶ୍ୟ ଯୁବା ମହିଳାଙ୍କୁ ସୁରକ୍ଷା ଦେବା। ସଂସଦରେ ବହୁମତ ଥିବା ସରକାରଙ୍କଠାରୁ ଆଶା କରାଯାଉଛି ସେ ଇରାକର ମହିଳା ଗୋଷ୍ଠୀଙ୍କ ବିରୋଧ ପରେ ମଧ୍ୟ ଏହି ଆଇନକୁ ପାସ୍ କରିବେ।
ୟୁନିସେଫ୍ ଅନୁସାରେ, ଇରାକରେ ବାଲ୍ୟ ବିବାହ ଉଚ୍ଚ ସ୍ତରରେ ପ୍ରଚଳିତ ରହିଛି। ପ୍ରାୟ ୨୮% ଇରାକର ଝିଅଙ୍କ ବିବାହ ୧୮ ବର୍ଷରେ ହୋଇଯାଉଛି ଓ ପ୍ରସ୍ତାବିତ ସଂଶୋଧନରୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି।