ନୂଆଦିଲ୍ଲୀ,୩୧/୧୨:ଭାରତୀୟ ରେଳବାଇର ଇ-ଟିକେଟିଂ ପ୍ଲାଟଫର୍ମ ଇଣ୍ଡିଆନ ରେଲୱେ କାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ବା ଆଇଆରସିଟିସି ର ଅନଲାଇନ ୱେବସାଇଟ ଓ ମୋବାଇଲ ଆପ୍‌ ସର୍ଭର ଡାଉନ । ଚଳିତ ମାସରେ ଦ୍ବିତୀୟ ଥର ଲାଗି ଡ଼ାଉନ ହୋଇଛି ସର୍ଭର । ଫଳରେ ଆଜି ଅନେକ ୟୁଜର ତତକାଳ ଟିକେଟ ବୁକ୍‌ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାପରେ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡ଼ିଥିବା ଦେଖିବାକୁ ମିଳିଛି ।

 ସାଧାରଣତଃ ଆଇଆରସିଟିସି ଆପ୍‌ରେ ସକାଳ ୧୦ଟାରୁ ତତକାଳ ଟିକଟ ବୁକିଂ କରିବା ସମୟ । ସେପଟେ ସ୍ଲିପର କ୍ଲାସ ବୁକିଂ କରିବା ଲାଗି ଟିକଟ ବୁକିଂ ସମୟ ପୂର୍ବାହ୍ନ ୧୧ଟା ହୋଇଥାଏ । କିନ୍ତୁ ଆଜି (ଡିସେମ୍ବର ୩୧) ଆଇଆରସିଟିଟିର ଟିକଟିଂ ପ୍ଲାଟଫର୍ମ ସକାଳ ପ୍ରାୟ ୯.୫୦ ରୁ  ସର୍ଭର ଡାଉନ୍ ହୋଇଯାଇଥିଲା । ଯାହାଦ୍ବାରା ଲକ୍ଷ ଲକ୍ଷ ଲୋକ ଅସୁବିଧା ଭୋଗିଛନ୍ତି । ଗତ ସପ୍ତାହରେ ମଧ୍ୟ ଆଇଆରସିଟିସି ସର୍ଭରରେ ସମାନ ଘଟଣା ଘଟିଥିଲା । ସର୍ଭର ଠପ୍ ହେତୁ ସମଗ୍ର ଦେଶରେ ଉପଭୋକ୍ତାମାନେ ତତ୍କାଳ ଟିକେଟ ବୁକ୍ କରିପାରିନାହାଁନ୍ତି । ଆଇଆରସିଟିସି   ଅନୁସାରେ,'ମେଣ୍ଟେନାନ୍ସ ପାଇଁ ଏବେ ଇ-ଟିକେଟିଂ ସର୍ଭିସ ଉପଲବ୍ଧ ହେବ ନାହିଁ । ଦୟାକରି ପରେ ବୁକ୍‌ କରନ୍ତୁ । ଟିକଟ ରଦ୍ଦ କରିବା/TDR ଫାଇଲ କରିବା ପାଇଁ ଦୟାକରି କଷ୍ଟମ କେୟାର ନମ୍ବର 1୪୬୪୬,୦୮୦୪୪୬୪୭୯୯୯ ବା ୦୮୦୩୫୭୩୪୯୯୯ରେ କଲ୍‌ କରନ୍ତୁ ।'