ମୁମ୍ବାଇ, ୨୮/୦୬: ରବିବାର ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ବା ଅନ୍ତିମ ଟି-ଟ୍ବେଣ୍ଟି ମୁକାବିଲା । ସଂଧ୍ୟାରେ ସିଭିଲ୍ ସର୍ଭିସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ୍ । ଆଜିର ମୁକାବିଲାରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତି ବିପର୍ଯ୍ୟୟକୁ ଏଡ଼ାଇବାକୁ ଚେଷ୍ଟା କରିବ । ଅନ୍ୟପଟେ ଦେଖିବାକୁ ଗଲେ ଆୟର ସେନା ଏହି ମୁକାବିଲାକୁ ନେଇ ଚାପ ଓ ଚିନ୍ତାରେ ରହିଛି । ଆଜିର ମ୍ୟାଚରେ ପରାସ୍ତ ହେଲେ ସମ୍ମାନ ସହିତ ଆୟର୍ଲାଣ୍ଡ ଠାରୁ ସିରିଜ୍ ହାରିବାର କଳଙ୍କ ଲାଗିବ ।

କିଛି ବର୍ଷ ହେଲା ଟିମ୍ ଇଣ୍ଡିଆ ଟି-ଟ୍ବେଣ୍ଟିରେ ଅପ୍ରତିଦ୍ବିନ୍ଦ୍ବୀ ଦଳ ଭାବେ ନିଜକୁ ସାବ୍ୟସ୍ତ କରିଛି । ହେଲେ ବର୍ତ୍ତମାନ ଭାରତୀୟ ଦଳର ରଣନୀତି, ଟିମ୍ ଚୟନ ହଠାତ୍ ବିତର୍କକୁ ଚାଲିଆସିଛି । ନେତୃତ୍ବ ଓ ତାଳମେଳକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିନାୟକତ୍ବ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ସଫଳ ଯୁଗ ଶେଷ ହେବା ପରେ ଭାରତୀୟ ଟି-ଟ୍ବେଣ୍ଟି କ୍ରିକେଟ୍ ଦଳର ମଙ୍ଗ ଧରିଛନ୍ତି ଶ୍ରେୟାସ ଆୟର । କିନ୍ତୁ ସେ ପ୍ରଥମ ମ୍ୟାଚରୁ କଳଙ୍କ ବୋଝ ମୁଣ୍ଡାଇଛନ୍ତି । ଆୟରଙ୍କ ଯୁଗ ପରାଜୟରୁ ଆରମ୍ଭ ହୋଇଛି । ଆୟର୍ଲାଣ୍ଡ ଭଳି ଦେଶ ଠାରୁ ଟିମ୍ ଇଣ୍ଡିଆ ଟି-ଟ୍ବେଣ୍ଟିରେ ମାତ୍ ଖାଇଛି । ଦୁଇଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ଠାରୁ ପରାସ୍ତ ହୋଇଛି । ତେଣୁ ଆଜିର ମୁକାବିଲା ଶ୍ରେୟାସ ସେନା ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ଭାରତୀୟ ଦଳ ଓପନର, ଓ୍ବିକେଟ୍ ରକ୍ଷକ ସଞ୍ଜୁ ସାମସନଙ୍କ ଅସ୍ଥିର ପ୍ରଦର୍ଶନକୁ ନେଇ ଦୁଇ ପୂର୍ବତନ କ୍ରିକେଟର କିମ୍ବଦନ୍ତି ସୁନିଲ ଗାଭାସ୍କର ଓ ସଞ୍ଜୟ ମଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି । ବରଂ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦ୍ବିତୀୟ ମ୍ୟାଚରେ ଖେଳାଇ ଆୟର୍ଲଣ୍ଡ ଉପରେ ଆରମ୍ଭରୁ ଚାପ ସୃଷ୍ଟି କରିବାକୁ ଉଭୟ ପରାମର୍ଶ ଦେଇଛନ୍ତି । ସେପଟେ ଭାରତୀୟ ଦଳ ଆୟର୍ଲାଣ୍ଡକୁ ହେୟ ଜ୍ଞାନ କରିବ ନାହିଁ ବୋଲି ଅଧିନାୟକ ଶ୍ରେୟାସ ଆୟର ସ୍ପଷ୍ଟ କରି ଦେଇଛନ୍ତି । କାହାକୁ ହେୟ ଜ୍ଞାନ ନକରିବାକୁ ସେ ନିଜ ଦଳର ଖେଳାଳିଙ୍କୁ ଚେତାଇ ଦେଇ କହିଥିଲେ , ତୁମେ ଖାଳି ପଡ଼ିଆକୁ ଓହ୍ଲାଇଲେ ଜିତି ପାରିବ ନାହିଁ, ମ୍ୟାଚ୍ ଜିତିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆମକୁ ବର୍ତ୍ତମାନରେ ରହିବାକୁ ହେବ । ବିପକ୍ଷକୁ ହରାଇବାକୁ ସୁଯୋଗ ମିଳିଲେ ତାଙ୍କୁ ପରାସ୍ତ କରିବାକୁ ହେବ । କୌଣସି ପରିସ୍ଥିତି ଓ ସମୟକୁ ହଲକା ଭାବେ ନିଆ ନାହିଁ ବୋଲି ଆୟର କହିଛନ୍ତି ।

ଭାରତୀୟ ସମ୍ଭାବ୍ୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମସନ/ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷାନ, ଶ୍ରେୟାସ ଆୟର (ଅଧିନାୟକ), ତିଲକ ବର୍ମା, ଓ୍ବାଶିଂଟନ ସୁନ୍ଦର, ଶିବମ ଦୁବେ, ଅକ୍ଷର ପଟେଲ୍, ହର୍ଷିତ୍ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା,/ରବି ବିଷ୍ଣୋଇ ।

ସାମ୍ଭାବ୍ୟ ଆୟର୍ଲାଣ୍ଡ: ଲର୍କାନ ଟକର (ଅଧିନାୟକ), ରସ୍ ଏଡ଼ାୟାର, ବେନ୍ କାଲିଜ୍, ଗାରେଶ ଡେଲାନି, ଜର୍ଜ ଡକରେଲ୍, ମାଥ୍ୟୁ ହାମ୍ଫ୍ରେସ୍, ଲିଆମ୍ ମାକକାର୍ଥି, ଜୟ ମୁନ୍ଦ୍ରା, ହ୍ୟାରି ଟକର, ଟିମ୍ ଟକର, ମ୍ୟାଟ୍ ହୋଲାର୍ଡ

ଅଧିକ ପଢନ୍ତୁ-ICC Women's T20 World Cup 2026: ସଂଧ୍ୟାରେ ଭାରତ-ଅଷ୍ଟ୍ରେଲିଆ ସଂଘର୍ଷପୂର୍ଣ୍ଣ ମ୍ୟାଚ୍, ଜିତିଲେ ଏମିତି ରହିବ ସେମି ସମୀକରଣ