ସୁନ୍ଦରଗଡ଼, ୨୪/୦୬ : ଉତ୍କଟ ଦାରିଦ୍ର୍ୟ ଆଗରେ ହାର୍ ମାନିଲା ପିତୃ ପ୍ରେମ। ମଣିଷକୁ ପଥର କରିଦେଲା ଅଭାବ ଅନଟନ। ତିନି ପିଲାଙ୍କ ପେଟକୁ ଦାନା ମୁଠେ ଦେଇ ନପାରିବାରୁ ସରକାରଙ୍କ ହାତକୁ ଟେକିଦେଲେ ଜଣେ ଅସହାୟ ବାପା। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ କିଞ୍ଜିର କେଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଭୋକର ଏଭଳି ବିକଳ ଚିତ୍ର। ରାହୁଲ ଖମାର ନାମକ ଜଣେ ଦିନ ମଜୁରିଆ ତାଙ୍କର ତିନି ପିଲାଙ୍କୁ ପାଳି ନପାରିବାରୁ ବାଧ୍ୟ ହୋଇ ଚାଇଲଡ୍ ଓ୍ବେଲଫେୟାର କମିଟି ହାତକୁ ଟେକିଦେଇଛନ୍ତି।

ସୂଚନାନୁଯାୟୀ, ୪ବର୍ଷ ତଳେ ରାହୁଲ ଖମାରଙ୍କ ସ୍ତ୍ରୀ ତିନି ପିଲାଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ଚାଲିଯାଇଥିଲେ। ଏହା ପରେ ରାହୁଲ ଶ୍ରମିକ ଭାବେ କାମ କରି ପିଲାଙ୍କୁ ପାଳୁଥିଲେ। ଯେଉଁ ଦିନ କାମ ମିଳେ ସେଦିନ ଚାରି ପ୍ରାଣୀଙ୍କ ପେଠକୁ ଦାନା ମୁଠେ ଯୋଗାଡ଼ ହୁଏ । ହେଲେ ଯେଉଁ ଦିନ କାମ ନମିଳେ ସେଦିନ ସମସ୍ତଙ୍କୁ ଉପାସ ରହିବାକୁ ପଡ଼େ। ଜଣେ ବାପା ହୋଇ ପିଲାଙ୍କୁ ଆଉ କେତେ ଦିନ ଭୋକ ଉପାସରେ ରଖିଥାନ୍ତେ ସେ। ଶେଷରେ ବାଧ୍ୟ ହୋଇ ତିନି ପିଲାଙ୍କୁ CWC ହାତକୁ ଟେକିଦେଇଛନ୍ତି ରାହୁଲ। ସେ ତାଙ୍କର ୧୦ ବର୍ଷର ବଡ଼ ଝିଅ, ୮ବର୍ଷର ଝିଅ ଆଉ ୫ବର୍ଷର କୁନି ପୁଅକୁ CWCକୁ ହସ୍ତାନ୍ତର କରିଛନ୍ତି। ଆଜି ଚାଇଲ୍ଡ୍ ହେଲ୍ପ୍ ଲାଇନ୍ ଜିଲ୍ଲା ସଂଯୋଜକ ଜିତୁ ପଟେଲ ଓ ସୁପର ଭାଇଜର ମଧୁସୂଦନ ଭୋଏ ପିଲାମାନଙ୍କୁ ନେଇ CWCଙ୍କ କୋର୍ଟରେ ହାଜର କରିଥିଲେ । ପରେ ଶିଶୁମାନଙ୍କୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢନ୍ତୁ- SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ; ଚାଲିଛି ଖୋଳତାଡ଼, ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ