କଟକ, ୯।୮: ମେ’ ମାସରେ ମୃତ୍ୟୁ । କିନ୍ତୁ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁ ତାରିଖ ୨ ମାସ ପୂର୍ବର, ଅର୍ଥାତ୍‌ ମାର୍ଚ୍ଚ ମାସର ବୋଲି ଉଲ୍ଲେଖ କରାଯାଇଛି । ଏଭଳି ଏକ ତ୍ରୁଟି ପାଇଁ ଜଣେ ଅଭାଗିନୀ ମା’ ତା’ ପୁଅ ମୃତ୍ୟୁ ବାବଦ କ୍ଷତିପୂରଣ ରାଶି ପାଇ ପାରୁନାହାନ୍ତି । ଏସ୍‌ସିବି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟ ସଂଶୋଧନ କରିବାକୁ ଏସ୍‌ସିବିଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କଟକ ମଧୁପାଟଣା ଅଞ୍ଚଳର ମିନି ଦାସ । ମିନିଙ୍କ ପୁଅ ବିଚିତ୍ର ଦାସଙ୍କର ୨୦୨୪ ମେ' ମାସରେ ଅକାଳ ମୃତ୍ୟୁ ହୋଇଥିଲା । ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ ବିଚିତ୍ର । ପୁଅର ମୃତ୍ୟୁ ପରେ ମା' ମିନି ଦାସ ସଂପୂର୍ଣ୍ଣ ଅସହାୟ ହୋଇଯାଇଛନ୍ତି । ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟ ହୋଇପଡ଼ିଥିଲା । ତାଙ୍କୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବାର ନିୟମ ରହିଛି । 

କିନ୍ତୁ, ପୁଅ ମୃତ୍ୟୁକୁ ୧୫ମାସ ବିତିବାକୁ ବସିଥିବା ବେଳେ ମିନି ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ।  ଅଭିଯୋଗ ମୁତାବକ, ଏସ୍‌ସିବି ମେଡ଼କାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା । ମୃତ୍ୟୁର କିଛି ଦିନ ପରେ ଏଫ୍‌ଏମ୍‌ଟି ବିଭାଗ ପକ୍ଷରୁ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ବିଚିତ୍ରଙ୍କ ମୃତ୍ୟୁ ମାର୍ଚ୍ଚ ୮ରେ ହୋଇଥିବା ଦର୍ଶାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ତ୍ରୁଟି ଥିବାରୁ ବୃଦ୍ଧା ମା'ଙ୍କୁ ସରକାରୀ ସହାୟତା ମିଳିପାରିନାହିଁ । ରିପୋର୍ଟକୁ ସଂଶୋଧନ କରିବା ଲାଗି ସେ ବିଭିନ୍ନ ବିଭାଗକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ପରେ ସେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏବେ ଯାଏ ତାଙ୍କୁ କିଛି ସୁଫଳ ମିଳିନାହିଁ । କେବଳ ମୃତ୍ୟୁ ତାରିଖ ଭୁଲ୍‌ ନୁହେଁ, ରିପୋର୍ଟରେ ବିଚିତ୍ରଙ୍କ ଘର କଟକ ବଦଳରେ ଖୋର୍ଦ୍ଧା ଜିଲ୍ଲା ବୋଲି ଉଲ୍ଲେଖ କରାଯାଇଛି । ଏ ସଂକ୍ରାନ୍ତରେ ସିଡିଏମ୍‌ଓ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ କର୍ତ୍ତୃପକ୍ଷ କୌଣସି ଠୋସ୍‌ ସୂଚନା ଦେଇ ପାରିନାହାନ୍ତି । ଫାଇଲ୍‌ ଦେଖିବା ପରେ କୌଣସି ମନ୍ତବ୍ୟ ଦେବେ ବୋଲି କହିଛନ୍ତି । କିନ୍ତୁ ସରକାରୀ ବ୍ୟବସ୍ଥାରେ ଏଭଳି ତ୍ରୁଟି ପାଇଁ ହନ୍ତସନ୍ତ ହେଉଛନ୍ତି ପୁଅକୁ ହରାଇଥିବା ଜଣେ ଅସହାୟା ମା’ ।