ନୂଆଦିଲ୍ଲୀ,୧୯।୧୧: ବିଶ୍ବର ଦୁଇ ପ୍ରମୁଖ ଦେଶ ଚୀନ୍ ଓ ଜାପାନ ବର୍ତ୍ତମାନ ଗମ୍ଭୀର କୁଟନୈତିକ ବିବାଦର ସାମନା କରୁଛନ୍ତି। ଜାପାନର ନୂତନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି ନିକଟରେ ସଂସଦରେ ଦେଇଥିବା ବୟାନରେ କହିଥିଲେ, ଯଦି ତାଇଓ୍ବାନ ଉପରେ ଚୀନ୍ ସାମରିକ ଆକ୍ରମଣ କରେ, ତେବେ ଏହା ଜାପାନର ‘ଅସ୍ତିତ୍ବ ପାଇଁ ସଙ୍କଟ ସୃଷ୍ଟି କରିପାରେ, ଯାହା ଫଳରେ ଜାପାନକୁ ସାମୁହିକ ଆତ୍ମରକ୍ଷାର ଅଧିକାର ଅନୁସାରେ, ସାମରିକ ହସ୍ତକ୍ଷେପ କରିବାକୁ ପଡିଥାଏ। ଏହି ବୟାନ ଯୁଦ୍ଧସ୍ତରୀୟ କାଳରେ କୌଣସି ଜାପାନ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ସ୍ପଷ୍ଟ ବୟାନ ବୋଲି କୁହାଯାଉଛି, ଯାହାଫଳରେ ତାଇଓ୍ବାନ ସଙ୍କଟକୁ ଜାପାନୀ ସୈନିକଙ୍କ ସମ୍ଭାବିତ ମୁତୟନ ସହ ସିଧାସଳଖ ଯୋଡା ଯାଇଛି।

ତାକାଇଚି ୭ ନଭେମ୍ବରରେ ସଂସଦରେ କହିଥିଲେ ତାଇଓ୍ବାନର ଜଳଡମ୍ବରୁରେ ଚୀନ୍‌ର ବଳ ପ୍ରୟୋଗର ସ୍ଥିତି ଜାପାନର ସୁରକ୍ଷା ପାଇଁ ଗମ୍ଭୀର ବିପଦ ହେବ। ସେ ‘ସାମୁହିକ ଆତ୍ମରକ୍ଷା’ର ଆଲୋଚନା କରି ସଙ୍କେତ ଦେଇଛନ୍ତି ଯେ,ଜାପାନକୁ ତାଇଓ୍ବାନରେ ସାମରିକ କାର୍ଯ୍ୟାନୁଷ୍ଠାନର ଦରକାର ପଡିପାରେ। ଚୀନ୍ ଏହି ବୟାନକୁ ଖୁବ୍ ବିପଦଜନକ ବୋଲି କହି ତୁରନ୍ତ ପାଲଟା ଆକ୍ରମଣ କରିଛି। ବେଜିଂ ନିଜର ନାଗରିକଙ୍କୁ ଜାପାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଯାହାଫଳରେ ପର୍ଯ୍ୟଟନ ଓ ବ୍ୟାପାର ଉପରେ ଗଭୀର ପ୍ରଭାବ ପଡିପାରେ। ଚୀନ୍ ଦୂତବାସ ଏହାକୁ ଜାପାନ ‘ସାମରିକବାଦର ପୁନରାବୃତ୍ତି’ ବୋଲି କହିଛି। ସେଭଳି ପିଏମ୍ ତାକାଇଚିଙ୍କ ବୟାନ ଫେରାଇ ନେବାକୁ ମନା କରି ଦେଇଥିଲେ।

ଓସାକାରେ ଚୀନ୍ ମହାବାଣିଜ୍ୟଦୂତ ଶୁଏ ଜିୟାନ ସୋସିଆଲ ମିଡିଆ ଏକ୍ସରେ(ପରେ ହଟାଯାଇଥିବା ପୋଷ୍ଟରେ) ତାକାଇଚିଙ୍କ ମୁଣ୍ଡ କାଟିବାର ଧମକ ଦେଇଛନ୍ତି, ଯାହାକୁ ଜାପାନ କଡା ବିରୋଧ କରିଛି ଓ ଚୀନ୍ ରାଷ୍ଟ୍ରଦୂତଙ୍କୁ ଜବାବ୍ ତଲବ କରିଛି। ଦୁଇ ଦେଶ ପରସ୍ପରର ରାଷ୍ଟ୍ରଦୂତଙ୍କୁ ଜବାବ୍ ତଲବ କରିଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯଦି, ଜାପାନ ନିଜର ଭୁଲ ଜାରି ରଖେ, ତେବେ ଚୀନକୁ କଠୋର ଓ ଦୃଢ ପାଲଟା ଆକ୍ରମଣ କରିବାକୁ ପଡିବ।ଏହି ବିବାଦ ଦ୍ବାରା ଜାପାନର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଝଟକା ଲାଗିଛି। ଟୋକିଓ ସ୍ଥିତ ଟୁର ଅପରେଟର ଇଷ୍ଟ ଜାପାନ ଇଣ୍ଟରନ୍ୟାସନାଲ ଟ୍ରାଭେଲ ସର୍ଭିସ୍ ବର୍ଷର ଶେଷ ଦିନ ପାଇଁ ନିଜର ୮୦% ବୁକିଂ ହରାଇଛି ।