ନୂଆଦିଲ୍ଲୀ,୨୯/୦୭: ଧର୍ମାନ୍ତରୀକରଣ ଆଢ଼ୁଆଳରେ ଶତ୍ରୁର ବଡ଼ ପ୍ଲାନ୍ । ଭାରତରେ ଆଇଏସଆଇର ଲେଡି ବ୍ରିଗେଡ୍ । ସ୍ଲିପର ସେଲ୍ ସିଣ୍ଡିକେଟ୍ର ପର୍ଦ୍ଦଫାଶ । ପାକ୍ ଗୁଇନ୍ଦା ସଂସ୍ଥାର ଷଡ଼ଯନ୍ତ୍ର ଫେଲ୍ । ଅପରେସନ ସିନ୍ଦୂରରେ ମୁହଁ ମୁଥା ଖାଇଥିବା ପାକିସ୍ତାନ ପ୍ରତିଶୋଧ ନେବାକୁ ବିଳିବିଳି ହେଉଛି । ମୁହାଁମୁହିଁ ଯୁଦ୍ଧରେ ବାରମ୍ବାର ପରାସ୍ତ ହେବାପରେ ଏବେ ଏନଜିଓ ସଂସ୍ଥା ଏବଂ ୟୁଟୁବରଙ୍କ ଶରଣରେ ପଶିଛି । ଭାରତ ସାମ୍ନାସାମ୍ନୀ ନିଚା ଦେଖାଇବାକୁ ରୀତିମତ ଷଡ଼ଯନ୍ତ୍ର ଚଳାଇଛି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇଏସ । ନୀରିହ ଗରିବ ଝିଅଙ୍କୁ ଅର୍ଥ ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ ଆଢ଼ୁଆଳରେ ଦେଶର ବିଭିନ୍ନ ସ୍ଥାନରେ ମହିଳା ସ୍ଲିପର ସେଲ୍ ଗଠନ କରିବା ଯୋଜନାରେ ରହିଛି ପାକ୍ ଗୁଇନ୍ଦା ସଂସ୍ଥା ।
ଉତ୍ତର ପ୍ରଦେଶ ଆଗ୍ରାରୁ ଶତ୍ରୁ ଷଡ଼ଯନ୍ତ୍ରର ବଡ଼ ଖୁଲାସା ହୋଇଛି । ଏଥିରେ ଏନଜିଓ ସଂସ୍ଥାଙ୍କୁ ଢାଲ ବନାଇଥିଲା ପଡ଼ୋଶୀ ଦେଶ । ଫିଲିପାଇନ୍ସର ‘ଗୋ-ଫଣ୍ଡ ମି’ ନାମକ ଏନଜିଓ ସଂସ୍ଥା ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କାର ଫଣ୍ଡ୍ ଭାରତକୁ ଆସୁଥିଲା । ଏହାର ପ୍ରମାଣ ଡଲାର ଏବଂ କ୍ରିପ୍ଟୋ କରେନ୍ସିରେ ପାଣ୍ଠିରେ ମିଳିଛି । ଏକ ସିଣ୍ଡେକେଟ୍ ଇଂଲଣ୍ଡ ଏବଂ କାନାଡାରୁ ଦାନ ଆକାରରେ ପାଣ୍ଠି ଏନଜିଓ ସଂସ୍ଥାକୁ ପଠାଉଥିଲା । ପରେ ଏହି ଅର୍ଥକୁ ମହିଳା ସ୍ଲିପର ସେଲ୍ ଗଠନରେ ବ୍ୟବହାର କରାଯାଉଥିଲା । ରାଜଧାନୀ ଦିଲ୍ଲୀରେ ଏହି ଧର୍ମାନ୍ତରୀକରଣ ସିଣ୍ଡିକେଟର ଏକ ହ୍ବାଟ୍ସଆପ୍ ଶାଖା ରହିଛି । ଏହାର ସଦସ୍ୟମାନେ ଗରିବ ପୀଡ଼ିତା ଝିଅମାନଙ୍କୁ ଫସାଇ ଜିହାଦ ପାଇଁ ପ୍ରୋତ୍ସାହିତ କରୁଥିଲେ । ଆଉ ଏହି କାର୍ଯ୍ୟକୁ ସୂଚାରୂପେ ତୁଲାଉଥିଲେ ପାକିସ୍ତାନର ଦୁଇ ୟୁଟୁବର ତନବୀର ଅହମ୍ମଦ ଏବଂ ସାହିଲ ଆଦବୀ । ଏମାନେ ଝିଅମାନଙ୍କୁ ଇସଲାମ୍ ଧର୍ମ ଗ୍ରହଣ ପାଇଁ ଅନଲାଇନ୍ ତାଲିମ୍ ଦେଉଥିଲେ ।
ଭାରତରେ ଆଇଏସଆଇର ଏଜେଣ୍ଟ ସାଜିଥିଲା କାନାଡାରେ ରହୁଥିବା ମଧ୍ୟପ୍ରଦେଶ ଗାନ୍ଧିନଗରର ସୟଦ ଦାଉଦ । ଭାରତରେ ମହିଳା ସ୍ଲିପର ସେଲ୍ ଗଠନ କରି ଝିଅମାନଙ୍କୁ ଉପ-ସାଗରୀୟ ଦେଶଗୁଡ଼ିକୁ ଯୋଜନା ରଚିଥିଲା ଗୁଇନ୍ଦା ସଂସ୍ଥା ଆଇଏସଆଇ । ତେବେ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ଉତ୍ତର ପ୍ରଦେଶ ଏଟିଏସ ପର୍ଦ୍ଦାଫାଶ୍ କରି କାଶ୍ମୀରର ମାଷ୍ଟରମାଇଣ୍ଡ ହାରିସକୁ ଖୋଜୁଛି । ସେପଟେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହାକୁ ଆତଙ୍କବାଦ ଘଟଣା ସହିତ ଜଡ଼ିତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।