ନୂଆଦିଲ୍ଲୀ:- ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପରେ ହିନ୍ଦୁ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି ବାଂଲାଦେଶ ସରକାର। ହିନ୍ଦୁ ସଂଗଠନ ଇସ୍କନକୁ ଏକ ଧାର୍ମିକ ଚରମପନ୍ଥୀ ସଂଗଠନ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ଏହାକୁ ବ୍ୟାନ ଲଗାଇବାକୁ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି। ଯାହାକୁ ନେଇ ଆଉ ଏକ ବିବାଦ ଆରମ୍ଭ ହୋଇଯାଇଛି।  

ଇସ୍କନକୁ ବାଙ୍ଗଲାଦେଶରେ ବ୍ୟାନ କରିବା ନେଇ ବୁଧବାର ଜଣେ ଓକିଲ ହାଇକୋର୍ଟରେ ଏକ ଲିଖିତ ଆବେଦନ କରିଛନ୍ତି। ସଂଗଠନ ହିଂସା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ ଲଗାଇଛନ୍ତି। ଇସକନ ସାଧୁ ଚିନ୍ମୟ କୃଷଙ୍କୁ ଜାମିନ ନ ମିଳିବା ପରେ ହୋଇଥିବା ହିଂସାରେ ଜଣେ ସରକାରୀ ଓକିଲଙ୍କର ମୃତ୍ୟୁକୁ ସେ ଉଦାହରଣ ଭାବରେ କୋର୍ଟଙ୍କ ସମ୍ମୁଖରେ ରଖିଥିଲେ। ମାମଲାରେ ଶୁଣାଣି କରି କୋର୍ଟ ଆଟର୍ଣ୍ଣୀ ଜେନେରାଲଙ୍କୁ ଇସ୍କନର ଇତିହାସ ଓ ବାଂଲାଦେଶର ଏହା କିପରି ସ୍ଥାପନା ହେଲା ତାହା ଜାଣିବାକୁ ଚାହିଁଥିଲେ। 

ଜବାବରେ ଆଟର୍ଣ୍ଣୀ ଜେନେରାଲ ମହମ୍ମଦ ଆଶାଦ୍ଦୁଜ୍ଜମାନ ଯାହା କହିଥିଲେ ତାହା ଇସ୍କନ୍‌ କର୍ମକର୍ତ୍ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଇସ୍କନ ଏକ ରାଜନୈତିକ ଦଳ ନୁହେଁ। ଏହା ଏକ ଧାର୍ମିକ ମୈଳବାଦୀ ସଂଗଠନ । ସରକାର ପୂର୍ବରୁ ଏହାର ଯାଞ୍ଚ କରୁଛନ୍ତି ବୋଲି ଆଟର୍ଣ୍ଣି ଜେନେରାଲ୍ କହିଥିଲେ। ଗୁରୁବାର ସକାଳ ସୁଦ୍ଧା ଇସ୍କନ ଉପରେ ସରକାରଙ୍କ ଆଭିମୁଖ୍ୟ ଓ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ହାଇକୋର୍ଟ ଆଟର୍ଣ୍ଣୀ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେମିତି ପରିସ୍ଥିତି ଆଉ ନ ବିଗିଡ଼େ ସେନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ବାଲାଂଦେଶ ସରକାର ହିନ୍ଦୁ ବିରୋଧୀ ଚିନ୍ତାଧାରା ସହିତ କାମ କରୁଛନ୍ତି। ଦେଶକୁ ଗଣତନ୍ତ୍ର ରାଷ୍ଟ୍ର ନୁହେଁ ଇସ୍ଲାମିକ୍ ଦେଶ କରିବାକୁ ଚାହୁଁଛନ୍ତି। ନିକଟରେ ଏନେଇ ବାଂଲାଦେଶ ଆଟର୍ଣ୍ଣି ଜେନେରାଲ ଖୋଲାଖୋଲି ପରାମର୍ଶ ଦେଇଥିଲେ। ଯେହେତୁ ଦେଶରେ ୯୦ ପ୍ରତିଶତ ଜନସଂଖ୍ୟା ମୁସ୍ଲିମ, ତେଣୁ ବାଙ୍ଗଲାଦେଶ ସମ୍ବିଧାନରୁ “ଧର୍ମନିରପେକ୍ଷ” ଶବ୍ଦକୁ ଉଠାଇ ଦେବାକୁ ସେ ପରାମର୍ଶ ଦେଇଥିଲେ। ସେପଟେ ଇସ୍‌କନକୁ ବ୍ୟାନ୍ କରିବା ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସଂଗଠନ ଉପସଭାପତି ରାଧା ରମଣ ଦାସ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାର ମାଧ୍ୟମରେ ହିନ୍ଦୁ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇବାକୁ ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ତେବେ ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ ରାଷ୍ଟ୍ରପତି ଗାଦିରେ ବସିବା ପରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ରାଧା ରମଣ ଦାସ। 

ସେହିପରି ବାଂଲାଦେଶ ଆଟର୍ଣ୍ଣୀ ଜେନେରାଲ ଇସ୍କନକୁ ଧାର୍ମିକ ମୈଳବାଦୀ ସଂଗଠନ କହିବା ଉପରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏନେଇ ରାଧା ରମଣ ଦାସ କହିଛନ୍ତି “ବାଙ୍ଗଲାଦେଶରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ଆମେ ବିପର୍ଯ୍ୟସ୍ତ ଲୋକଙ୍କୁ ଖାଦ୍ୟ ଯୋଗାଇ ଥିଲୁ। ସେତେବେଳେ ଆମକୁ କେହି ପଚାରିନଥିଲେ। ତଥାପି ଆମେ ସେବା କରିଥିଲୁ। ଦୁନିଆର ପ୍ରାୟ ୮୦ କୋଟି ଅନାହାରଙ୍କୁ ଇସ୍କନ ଖାଇବାକୁ ଯୋଗାଉଛି। ଏତେ ପରେ ଆମକୁ ଧାର୍ମିକ ଚରମପନ୍ଥୀ ସଂଗଠନ କିଭଳି କହୁଛନ୍ତି?” 

ଏସବୁ ବିବାଦ ଇସ୍‌କନ ସାଧୁ ଚିନ୍ମୟ କୃଷ୍ଣଙ୍କ ଗିରଫ ପରେ ଆରମ୍ଭ ହୋଇଛି। ବାଂଲାଦେଶରେ ହିନ୍ଦୁ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଚିନ୍ମୟ କୃଷ୍ଣ ସ୍ୱର ଉଠାଉଥିଲେ। ତେଣୁ ତାଙ୍କ ଉପରେ ଦେଶଦ୍ରୋହ ମାମଲା କରି ତାଙ୍କୁ ଗିରଫ କରାଯାଇଛି। ଚିନ୍ମୟ କୃଷ୍ଣ ବାଂଲାଦେଶର ପତାକାକୁ ଅପମାନ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି। 

ସୂଚନା ଥାଉକି, ଅଗଷ୍ଟ ୫ରେ ଶେଖ ହସିନାଙ୍କ ଆୱାମୀ ଲିଗ ସରକାର ପତ୍ତନ ପରେ ବାଙ୍ଗଲାଦେଶରେ ଅନ୍ୟ ସଂଖ୍ୟାଲଘୁଙ୍କ ସମେତ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେବେଠାରୁ ଏପର୍ଯ୍ୟନ୍ତ ମୋଟ ୨୦୦ରୁ ଅଧିକ ଆକ୍ରମଣ ହେଲାଣି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି।