ନୂଆଦିଲ୍ଲୀ,୧୧/୧୨: ସିରିଆରେ ଅସଦ ଶାସନର ପତନ ପରେ ଇସ୍ରାଏଲ ଏକ ବଡ଼ କାମ ଆରମ୍ଭ କରିଛି। ସମଗ୍ର ସିରିଆରେ ସାମରିକ ଟାର୍ଗେଟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି। ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅସୈନିକୃତ ବଫର ଜୋନ୍ ଏବଂ ଏହାର ବାହାରେ ଗ୍ରାଉଣ୍ଡ ସୈନ୍ୟ ମୁତୟନ କରାଯାଇଛି। ଇସ୍ରାଏଲ୍ ସେନା ମଙ୍ଗଳବାର କହିଛି ଯେ ଗତ ଦୁଇ ଦିନ ମଧ୍ୟରେ ସିରିଆରେ ପ୍ରାୟ ୪୮୦ ଷ୍ଟ୍ରାଇକ୍ କରିଛି। ଏହାଦ୍ୱାରା ସିରିଆର ରଣନୀତିକ ଅସ୍ତ୍ରଶସ୍ତ୍ର ଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କ୍ୟାଟ୍ଜ କହିଛନ୍ତି ଯେ ଇସ୍ରାଏଲ୍ ନୌସେନା ଲଟକିଆରେ ସିରିଆର ନୌସେନା ଜାହାଜକୁ ଧ୍ୱଂସ କରିଦେଇଛି, ଯାହା ଏକ ବଡ଼ ସଫଳତା ଅଟେ।
ଏହାର ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଶାର ଅଲ-ଆସାଦଙ୍କ ଶାସନର ପତନକୁ ଏକ ନୂତନ ତଥା ନାଟକୀୟ ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସିରିଆ ଶାସନର ପତନ ହେଉଛି ହମାସ, ହିଜବୁଲ୍ଲାହ ଏବଂ ଇରାନ ପାଇଁ ଏକ ଗୁରୁତର ଝଟକା। ମୁଁ ଯେପରି ପ୍ରତିଶୃତି ଦେଇଥିଲି, ଆମେ ମଧ୍ୟପ୍ରାଚ୍ୟର ଚେହେରାକୁ ପରିବର୍ତ୍ତନ କରୁଛୁ। ଇରାନର ସହଯୋଗୀ ଆସାଦଙ୍କ ପତନରେ ଇସ୍ରାଏଲର ଅଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଲେବାନନରେ ହିଜବୁଲ୍ଲାହ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ସିରିଆ ଏକ ବାଟ ପ୍ରଦାନ କରିଥିଲା।
ସିରିୟାର ସାମରିକଗାର ଉପରେ ଆକ୍ରମଣ:
ଇସ୍ରାଏଲ୍ ଅଧିକାରୀମାନେ ସିରିଆରେ କ୍ଷମତାକୁ ଆସିବାକୁ ଯାଉଥିବା ଚରମପନ୍ଥିଙ୍କୁ ନେଇ ଚିନ୍ତିତ ଅଛନ୍ତି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ସୋମବାର କହିଛନ୍ତି ଯେ ଇସ୍ରାଏଲ ସିରିଆରେ ଏକ ମିସାଇଲ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଆକ୍ରମଣ କରିଛି, ଯାହାଫଳରେ ଏହା କୌଣସି ଭୁଲ ଲୋକର ହାତରେ ଯେପରି ନ ପଡ଼େ । ଭବିଷ୍ୟତରେ କ’ଣ ହେବ ସେ ବିଷୟରେ କିଛି କୁହାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। କିନ୍ତୁ ବର୍ତ୍ତମାନ ଇସ୍ରାଏଲର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ।
ସିରିୟାର ନୌସେନା ଉପରେ ଆକ୍ରମଣ:
ଇସ୍ରାଏଲ ଦ୍ୱାରା ହୋଇଥିବା ୪୮୦ ଆକ୍ରମଣ ମଧ୍ୟରୁ ପ୍ରାୟ ୩୫୦ ଯୁଦ୍ଧ ବିମାନ ଦ୍ୱାରା କରାଯାଇଥିଲା। ମିଶାଇଲ, ଡ୍ରୋନ୍, ଯୁଦ୍ଧ ବିମାନ, ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସ୍ଥାନକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ୍ ସୈନ୍ୟବାହିନୀ କହିଛି ଯେ ଅବଶିଷ୍ଟ ଆକ୍ରମଣ ଗ୍ରାଉଣ୍ଡ ଅଭିଯାନକୁ ସମର୍ଥନ କରି ଅସ୍ତ୍ରଶସ୍ତ୍ର ଡିପୋ, ସାମରିକ ସଂରଚନା, ଲଞ୍ଚର୍ ଏବଂ ଗୁଳିଗୋଳା ଉପରେ ଟାର୍ଗେଟ କରାଯାଇଛି। ଆଇଡିଏଫ୍ କହିଛି ଯେ ଇସ୍ରାଏଲି ଜାହାଜ ଦୁଇଟି ସିରିଆ ନୌସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା ଯେଉଁଠାରେ କି ୧୫ ଟି ଜାହାଜ ଥିଲା। ଡଜନେ ସାମୁଦ୍ରିକ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି। ତେବେ ଅନେକ ଦେଶ ଇସ୍ରାଏଲ ସିରିୟାରୁ ଜମି ଦଖଲ କରିଥିବା ଅଭିଯୋଗ କରୁଛନ୍ତି।