ନୂଆଦିଲ୍ଲୀ: ଲାଇଭ୍ ଟିଭି ଶୋ’ ଚାଲିଥିବା ବେଳେ ନ୍ୟୁଜ୍ ଚ୍ୟାନେଲ ଉପରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି । ଇରାନର ସରକାରୀ ଟିଭି ଚ୍ୟାନେଲ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡ୍କାଷ୍ଟିଂର ବିଲ୍ଡିଂ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି । ଜଣେ ମହିଳା ଆଙ୍କର ଖବର ପଢୁଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ଯାହା ପରେ ମହିଳା ଆଙ୍କର ଜଣଙ୍କ ଭୟରେ ଲାଇଭ୍ ପ୍ରୋଗ୍ରାମ ଛାଡ଼ି ଦୌଡ଼ି ପଳାଇଥିଲେ । ଏବେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି ।
⚡🦀🇮🇱هماکنون ساختمان صدا وسیمای رژیم در آتش ودود pic.twitter.com/bgEJECcVz9
— LiveIranNews (@IranNewsAgency0) June 16, 2025
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ମିସାଇଲ୍ ମାଡ଼ ବେଳେ ଚ୍ୟାନେଲର ନ୍ୟୁଜ୍ ଆଙ୍କର ଲାଇଭ୍ ପ୍ରୋଗ୍ରାମ କରୁଥିଲେ । ବିସ୍ଫୋରଣ ପରେ ଷ୍ଟୁଡିଓରେ ଥିବା ଲାଇଟ୍ ବନ୍ଦ ହେବାକୁ ଲାଗିଥିଲା । କିଛି ସମୟ ଭିତରେ ପ୍ରସାରଣ ବନ୍ଦ ହୋଇଗଲା ଓ ସ୍କ୍ରିନ୍ ବ୍ଲାକ୍ ହୋଇଗଲା । ଷ୍ଟୁଡିଓରେ ଆହ୍ଲା-ହୁ-ଆକବର ଶୁଣିବାକୁ ମିଳୁଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଉଛି ।
ଗତ ଚାରି ଦିନ ଧରି ଚାଲିଥିବା ସଂଘର୍ଷ ପରେ ସୋମବାର ଇସ୍ରାଏଲର ରାଜଧାନୀ ତେଲ ଅଭିଭ୍ ଏବଂ ବନ୍ଦର ସହର ହାଇଫା ଉପରେ ଇରାନ ଏକ ବଡ଼ ଆକ୍ରମଣ କରିଥିଲା । ଇସ୍ରାଏଲ ସନ୍ଧ୍ୟାରେ ଏହି ଆକ୍ରମଣର ଜବାବ ଦେଇଥିଲା । ଇରାନର ସରକାରୀ ମିଡିଆ ବିଲ୍ଡିଂ ଉପରେ ଆକ୍ରମଣର କିଛି ସମୟ ପୂର୍ବରୁ ଇସ୍ରାଏଲ ଏହି ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲା ।
ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ ଆଇଆରଆଇବି ମୁଖ୍ୟାଳୟ ଅବସ୍ଥିତ ଅଞ୍ଚଳରୁ ଲୋକଙ୍କୁ ଦୂରେଇ ରହିବାକୁ କହିଥିଲା । ଏହା ବ୍ୟତୀତ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ ମଧ୍ୟ କହିଥିଲେ ଯେ, ଇରାନ ଯେଉଁ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରୁଛି ତାହା ଶେଷ ହେବାକୁ ଯାଉଛି ।