ନୂଆଦିଲ୍ଲୀ: ଇରାନ ଉପରେ ଏକ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଏହା ପରେ ଇରାନ ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଇରାନକୁ କହିଛନ୍ତି ଯେ, ଇସ୍ରାଏଲ ପାଖରେ ଅନେକ ବିପଦପୂର୍ଣ୍ଣ ଅସ୍ତ୍ର ଅଛି। ଇରାନରେ ଯେଉଁମାନେ ଚୁକ୍ତିନାମାକୁ ବିରୋଧ କରୁଥିଲେ ସେମାନଙ୍କୁ ହତ୍ୟା କରାଯାଇଛି। ଇରାନ ପାଖରେ ଏବେ ବି ସୁଯୋଗ ଅଛି। ଏବେ ଚୁକ୍ତି କର ନଚେତ୍ ଆହୁରି ବିନାଶ ହେବ।  ଟ୍ରମ୍ପ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ଇରାନକୁ ଚୁକ୍ତି କରିବା ପାଇଁ ଅନେକ ସୁଯୋଗ ଦେଇଥିଲି। 

 ଆମେରିକା ବିଶ୍ୱର ସର୍ବୋତ୍ତମ ଏବଂ ଘାତକ ସାମରିକ ଉପକରଣ ତିଆରି କରେ ଏବଂ ଇସ୍ରାଏଲ ପାଖରେ ଏହାର ଏକ ବିଶାଳ ଭଣ୍ଡାର ଅଛି। ଆଗକୁ ଆହୁରି କିଛି ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, ଇରାନୀ ଉଗ୍ରବାଦୀ ସାହସର ସହିତ କହିଥିଲେ କିନ୍ତୁ ସେମାନେ ଜାଣି ନଥିଲେ ଯେ କ'ଣ ହେବାକୁ ଯାଉଛି। ସେମାନେ ସମସ୍ତେ ଏବେ ମୃତ୍ୟୁବରଣ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଯାହା ହେବ ତାହା ଆହୁରି ଖରାପ ହେବ। ଏହି ନରସଂହାରକୁ ଶେଷ କରିବା ପାଇଁ ଏବେ ବି ସମୟ ଅଛି। ଆଗକୁ ଆହୁରି ଯୋଜନାବଦ୍ଧ ଆକ୍ରମଣ ହେବ, ଯାହା ବହୁତ ଖରାପ ହେବ। 

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନକୁ ଏକ ଚୁକ୍ତି କରିବାକୁ ପଡିବ। ଶୁକ୍ରବାର ଇସ୍ରାଏଲ, ଇରାନର ପରମାଣୁ ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। ଏହାକୁ ଇରାନ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଇରାନର ଦ୍ରୁତ ଗତିରେ ବଢ଼ୁଥିବା ପରମାଣୁ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି କହିଛନ୍ତି ଯେ, ଏଥିପାଇଁ ଇସ୍ରାଏଲକୁ କଠୋର ଦଣ୍ଡ ଦିଆଯିବ। 

 ଇସ୍ରାଏଲ ଆକ୍ରମଣରେ ରିଭୋଲ୍ୟୁସନାରୀ ଗାର୍ଡ ମୁଖ୍ୟ ଜେନେରାଲ ହୁସେନ ସଲାମି ମଧ୍ୟ ପ୍ରାଣ ହରାଇଛନ୍ତି । ଏହା ସହିତ ଇରାନର ସଶସ୍ତ୍ର ବାହିନୀ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରିଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣ ପଛରେ ଆମେରିକାର ହାତ ନାହିଁ ବୋଲି ଓ୍ବାଶିଂଟନ ଡିସି ସ୍ପଷ୍ଟ କରିଛି । ଇରାନ ଉପରେ ଆକ୍ରମଣ ପରେ, ସାଉଦି ବୈଦେଶିକ ମନ୍ତ୍ରୀ ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ ଇସ୍ରାଏଲ ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଇସ୍ରାଏଲ-ଇରାନ ଯୁଦ୍ଧ ଉପରେ ରୁଷ ମଧ୍ୟ ଏକ ବିବୃତ୍ତି ଜାରି କରିଛି। ରୁଷ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ଜାତିସଂଘ ନିୟମର ଉଲ୍ଲଂଘନ ବୋଲି କହିଛି।