ନୂଆଦିଲ୍ଲୀ,୨୧।୩: ଆମେରିକା ସମର୍ଥନରେ ଇସ୍ରାଏଲ ବୁଧବାର ରାତିରେ ବିଶ୍ୱର ସର୍ବବୃହତ୍ତ ଗ୍ୟାସ କ୍ଷେତ୍ର, ଦକ୍ଷିଣ ପାର୍ସ ଉପରେ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ସ୍ୱରୂପ କତର, ସାଉଦି ଆରବ, ୟୁଏଇ ଏବଂ କୁୱେତରେ ଥିବା ତୈଳ ଏବଂ ଗ୍ୟାସ ଆଡ୍ଡାରେ ଇରାନ ପ୍ରବଳ କ୍ଷତି ପହଞ୍ଚାଇଥିଲା। କତର ସବୁଠାରୁ ଅଧିକ କ୍ଷତି ସହିଛି। ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ କମ୍ପାନୀ କତର ଏନର୍ଜିର ସିଇଓ ସାଦ ଅଲ-କାବି କହିଛନ୍ତି, ସେ ଏ ବିଷୟରେ ଆମେରିକାକୁ ବାରମ୍ବାର ଚେତାବନୀ ଦେଇଥିଲି।

ଦକ୍ଷିଣ ପାର୍ସ ଆକ୍ରମଣର କିଛି ଘଣ୍ଟା ମଧ୍ୟରେ, ଇରାନୀ କ୍ଷେପଣାସ୍ତ୍ରଗୁଡ଼ିକ କତରର ରାସ ଲାଫାନ ଅଞ୍ଚଳକୁ ଟାର୍ଗେଟ କରିଥିଲା, ଯେଉଁଠାରେ ଏକ ପ୍ରମୁଖ ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ରିଫାଇନାରୀ ରହିଛି। କତରର ରାଷ୍ଟ୍ରାୟତ୍ତ ଗ୍ୟାସ କମ୍ପାନୀ ଅନୁଯାୟୀ, ଇରାନୀ ଆକ୍ରମଣ ବିଶ୍ୱର ସର୍ବବୃହତ ସମୁଦ୍ର ବାହିତ ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ପ୍ରବଳ କ୍ଷତି ପହଞ୍ଚାଇଛି। ଏହାର ପ୍ରମୁଖ ଅଲ୍ କାବି,ଯିଏକି ଦେଶର ଶକ୍ତିମନ୍ତ୍ରୀ ଅଛନ୍ତି,ସେ କହିଛନ୍ତି ଇରାନର ଆକ୍ରମଣରେ ଏତେ କ୍ଷତି ହୋଇଛି ଯେ, ଏହାକୁ ଠିକ୍ କରିବାରେ ୩ରୁ ୫ ବର୍ଷ ସମୟ ଲାଗିବ। ଇରାନର ତୈଳ ଏବଂ ଗ୍ୟାସ ଫାସିଲିଟି ଉପରେ ଆକ୍ରମଣ ପରେ ଆମକୁ ବି ସମାନ ପରସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ ପୂର୍ବରୁ ଅଧିକାରୀଙ୍କୁ ସତର୍କ କରାଇସାରିଛନ୍ତି।

ରଏଟର୍ସ ନ୍ୟୁଜ୍ ଏଜେନ୍ସି ସହିତ ଏକ ସାକ୍ଷାତକାରରେ, ସାଦ ଅଲ-କାବି କହିଛନ୍ତି, ମୁଁ ସର୍ବଦା ଚେତାବନୀ ଦେଇ ଆସୁଛି, ଆମ ସହିତ ସହଭାଗୀ ତୈଳ ଏବଂ ଗ୍ୟାସ୍ କମ୍ପାନୀଗୁଡ଼ିକର ଅଧିକାରୀମାନଙ୍କ ସହିତ କଥା ହୋଇଥିଲି। ଆମେରିକୀୟ ଶକ୍ତି ସଚିବଙ୍କ ସହିତ କଥା ହୋଇ, ସେମାନଙ୍କୁ ଏହି ପରିଣାମ ବିଷୟରେ ସତର୍କ କରାଇ କରାଇଥିଲି। ଏହା ସହ ସେମାନଙ୍କୁ କହିଥିଲି । ‘କତର ଏନର୍ଜିର ପାର୍ଟନରଙ୍କ ମଧ୍ୟରେ ଏକ୍ସନମୋବିଲ୍ ଏବଂ କନୋକୋଫିଲିପ୍ସ ଭଳି ପ୍ରମୁଖ ଆମେରିକୀୟ ଶକ୍ତି କମ୍ପାନୀ ରହିଛି। ଆମେରିକା ଏବଂ ଏହାର କମ୍ପାନୀଗୁଡ଼ିକ ଜାଣନ୍ତି ଯେ ଯଦି ଇରାନର ଗ୍ୟାସ ଫିଲ୍ଡଗୁଡ଼ିକ ଉପରେ ଆକ୍ରମଣ କରାଯାଏ ତେବେ ଇରାନ କଡ଼ା ପ୍ରତିଶୋଧ ନେବ। ସେମାନେ ବିପଦ ବିଷୟରେ ଅବଗତ ଥିଲେ, ଏବଂ ମୁଁ ପ୍ରାୟ ପ୍ରତିଦିନ ସେମାନଙ୍କୁ ମନେ ପକାଇ ଦେଉଥିଲି, ସେମାନଙ୍କୁ କହୁଥିଲି ଯେ ଆମକୁ ତେଲ ଏବଂ ଗ୍ୟାସ ଫାସିଲିଟି ଉପରେ ଆକ୍ରମଣକୁ ଏଡାଇବାକୁ ପଡିବ।’ସ୍ଥିତି ବିଷୟରେ ପଚରାଯିବାରୁ, ହ୍ୱାଇଟ୍ ହାଉସ୍ ମୁଖପାତ୍ର ଟେଲର ରୋଜର୍ସ ରଏଟର୍ସଙ୍କୁ କହିଥିଲେ, ‘ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ଟିମ୍ ଅବଗତ ଥିଲେ ଯେ ଇରାନରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ତେଲ ଏବଂ ଗ୍ୟାସ ଯୋଗାଣରେ ଅସ୍ଥାୟୀ ବାଧା ସୃଷ୍ଟି କରିବ। ଆମେ ଏହି ବାଧା ବିଷୟରେ ଅବଗତ ଥିଲୁ ଏବଂ ଏଥିପାଇଁ ଯୋଜନା କରିଥିଲୁ।’