ନୂଆଦିଲ୍ଲୀ: ଇସ୍ରାଏଲ ସେନା ଗାଜାରେ ଆଉ ଏକ ଜୋରଦାର ଆକ୍ରମଣ କରିଛି। ଗାଜାର ସ୍ୱାସ୍ଥ୍ୟ ଅଧିକାରୀମାନେ ରବିବାର କହିଛନ୍ତି ଯେ,  ଇସ୍ରାଏଲ ଆକ୍ରମଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ହସ୍ପିଟାଲର କର୍ମଚାରୀ, ତାଙ୍କ ପତ୍ନୀ  ଏବଂ ତିନି ଜଣ ପିଲା ମଧ୍ୟ ଅଛନ୍ତି । ଏହା ବ୍ୟତୀତ, ସହରର ଦକ୍ଷିଣ ଭାଗରେ ଏକ ଆବାସିକ କୋଠାରେ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ଏହି ଆକ୍ରମଣ ଜାତିସଂଘର ବୈଠକ ପୂର୍ବରୁ ହୋଇଛି । ଏହି ବୈଠକରେ ଅନେକ ଦେଶ  ପାଲେଷ୍ଟାଇନକୁ ଏକ ସ୍ବାଧୀନ ରାଷ୍ଟ୍ରଣ ମାନ୍ୟତା ଦେବାକୁ ପ୍ରସ୍ତୁତ ହେଉଛନ୍ତି।

 ଏପି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା  ଗାଜାରେ ଏକ ନୂଆ ଅଭିଯାନ ଆରମ୍ଭ କରିଛି । ଗାଜା ସହରରେ ଆକ୍ରମଣକୁ ତୀବ୍ର କରିଛି ଇସ୍ରାଏଲ । ଇସ୍ରାଏଲୀ ସେନା ପାଲେଷ୍ଟାଇନ ନାଗରିକଙ୍କୁ ସେଠାରୁ ଚାଲିଯିବାକୁ ଅପିଲ୍‌ କରିଛି । ଫଳରେ ଲକ୍ଷାଧିକ ଲୋକଙ୍କ ପାଇଁ  ସଙ୍କଟ ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଅଭିଯାନ ଗାଜାରେ କ୍ଷୁଧା ଏବଂ ମାନବିକ ସଙ୍କଟକୁ ଆହୁରି ବୃଦ୍ଧି କରିବ । ଅନ୍ୟପକ୍ଷରେ ଇସ୍ରାଏଲ ଶନିବାର ରାତିରେ ଗାଜାରେ କରାଯାଇଥିବା ଆକ୍ରମଣ ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ସୋମବାର  ବିଶ୍ୱ ନେତାମାନଙ୍କ ଏକ ସମାବେଶରେ ଅନେକ ପାଶ୍ଚାତ୍ୟ ଦେଶ ପାଲେଷ୍ଟାଇନକୁ ଏକ ରାଷ୍ଟ୍ର ଭାବରେ ମାନ୍ୟତା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତା ପୂର୍ବରୁ ବ୍ରିଟେନ ସମେତ ୩ ଦେଶ ପାଲେଷ୍ଟାଇନକୁ ଦେଶର ମାନ୍ୟତା ଦେଇଛନ୍ତି । ଇସ୍ରାଏଲ ସେନା ଅକ୍ଟୋବର ୨୦୨୩ ଠାରୁ ଗାଜାରେ  ଆକ୍ରମଣ କରିଆସୁଛି। ଇସ୍ରାଏଲରେ ହମାସ ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ ଏବଂ ୨୫୦ ଜଣଙ୍କୁ ବନ୍ଧକ ରଖିବା ପରେ ଇସ୍ରାଏଲ ସେନା ଗାଜାରେ ବୋମାମାଡ଼ ଆରମ୍ଭ କରିଥିଲା। ସେବେଠାରୁ ଇସ୍ରାଏଲ ନିରନ୍ତର ଗାଜା ଉପରେ ବୋମାମାଡ଼ କରିଆସୁଛି। ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ମଧ୍ୟ କରୁଛି।

ଇସ୍ରାଏଲ ଆକ୍ରମଣରେ ଗାଜାରେ ୬୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ମହିଳା ଏବଂ ଶିଶୁଙ୍କ ଜୀବନ ଯାଉଛି । ଆକ୍ରମଣରେ ଲକ୍ଷ ଲକ୍ଷ ଲୋକ ନିଜ ଘର ହରାଇଛନ୍ତି । ଫଳରେ ଗାଜାରେ ଏକ ବଡ଼ ମାନବିକ ସଙ୍କଟ ସୃଷ୍ଟି କରିଛି। ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଏବଂ ପାନୀୟ ଜଳର ଅଭାବର ସମ୍ମୁଖୀନ ହେଉଛନ୍ତି। ବିଶେଷଜ୍ଞମାନେ ଗାଜାର ପରିସ୍ଥିତି ବିଷୟରେ ବାରମ୍ବାର ସତର୍କ କରାଉଛନ୍ତି।